ନୂଆଦିଲ୍ଲୀ,୦୪/୦୭; ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା । ଭାରତ ଯଥା ସମ୍ଭବ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ତତ୍ପର ରହିଥିବାବେଳେ ଇଂଲଣ୍ଡ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଆଜି ଫର୍ମରେ ରହିଥିବା ଜୋଫ୍ରା ଆର୍ଚର ଓ ଜୋସ ଟଙ୍ଗ ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି । ଯାହା ଫଳରେ ଇଂଲଣ୍ଡର ବୋଲିଂ ବିଭାଗ ପୂର୍ବାପେକ୍ଷା ଶକ୍ତିଶାଳୀ ରହିବ । ତେଣୁ ଭାରତକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ । ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ନଜର ଚୂଡ଼ାନ୍ତ ଏକାଦଶ ଚୟନ ଉପରେ ରହିବ । ୧୫ ବର୍ଷିୟ ବୈଭବ ଦଳରେ ରହିଥିଲେ ହେଁ ଏପର୍ଯ୍ୟନ୍ତ ପଦାର୍ପଣ କରି ନାହାନ୍ତି । ଅନ୍ୟ ପଟରେ ସଞ୍ଜୁ ସାମସନ ଓପନର ଭାବେ କ୍ରମାନ୍ୱୟରେ ୩ଟି ମ୍ୟାଚରେ ବିଫଳ ହୋଇଛନ୍ତି । ବୈଭବଙ୍କୁ ଏକ ସୁଯୋଗ ଦେବା ପାଇଁ ଉପଯୁକ୍ତ ସମୟ ଉପନୀତ ହୋଇଥିବା ଅନୁଭବ କରି ହେଉଛି ।

ଡରହାମରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ପୂର୍ଣ୍ଣ ୨୦ ଓଭର ବ୍ୟାଟିଂ କରିବା ପରେ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିଲା । ଇଂଲଣ୍ଡ ବ୍ୟାଟିଂ କରିବା ପାଇଁ ଆଉ ସୁଯୋଗ ପାଇ ନଥିଲା । ତେଣୁ ଇଂଲଣ୍ଡର ବ୍ୟାଟିଂକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହେବ । ତଥାପି ଅଧିନାୟକ ହ୍ୟାରୀ ବ୍ରୁକ୍ ଓ ଜାକବ ବେଥେଲଙ୍କୁ ଅଟକାଇବା ପାଇଁ ଭାରତ ଯଥେଷ୍ଟ ଗୁରୁତ୍ୱ ଦେବ । ଓଲ୍ଡ ଟ୍ରାଫୋର୍ଡ ଫିଲ ସଲ୍ଟଙ୍କ ଘରୋଇ ଗ୍ରାଉଣ୍ଡ । ହେଲେ ଗତ ସେପ୍ଟେମ୍ବରରୁ ସେ ଏହି ଗ୍ରାଉଣ୍ଡରେ ଗୋଟିଏ ହେଲେ ମ୍ୟାଚ ଖେଳି ନାହାନ୍ତି । ତଥାପି ତାଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଆଶା କରାଯାଉଛି । ଓଲ୍ଡ ଟ୍ରାଫୋର୍ଡ ପିଚ୍ ପାରମ୍ପରିକ ଭାବେ ଅତିରିକ୍ତ ବାଉନ୍ସ ପାଇଁ ପରିଚିତ । ତଥାପି ଏଠାରେ ବ୍ୟାଟିଂ ମଧ୍ୟ ବେଶ୍ ସହଜ ହୋଇଥାଏ । ଏହି ଗ୍ରାଉଣ୍ଡରେ ବହୁ ବିଶାଳ ସ୍କୋର ସଂଗୃହୀତ ହୋଇଛି । ଭାରତ ୩ ସ୍ପିନର ଖେଳାଇବା ଯୋଜନାରେ ରହିଥିବାରୁ ପିଚ୍ ସ୍ପିନରଙ୍କୁ ମଧ୍ୟ ସହାୟତା କରିବା ଏକ ପ୍ରକାର ନିଶ୍ଚିତ ।

ଏହା ବି ପଢନ୍ତୁ...FIFA World Cup: ମେସିଙ୍କ ମହାଧମାକାରେ ହାରୁ ହାରୁ ବଞ୍ଚିଗଲା ଆର୍ଜେଣ୍ଟିନା, କନ୍ଦାଇ ଦେଇଥିଲା ଏହି ଛୋଟ ଦେଶ

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଫିଲ ସଲ୍ଟ, ଜୋସ ବଟଲର, ହ୍ୟାରୀ ବ୍ରୁକ୍ (ଅଧିନାୟକ), ଜାକବ ବେଥେଲ, ଟମ ବାଣ୍ଟନ, ସାମ କୁରାନ, ୱିଲ ଜ୍ୟାକ୍ସ, ଲାଏମ ଡାଓସନ, ଆଦିଲ ରସିଦ, ଜୋଫ୍ରା ଆର୍ଚର, ଜୋସ ଟଙ୍ଗ ।

ସମ୍ଭାବ୍ୟ ଭାରତ ଏକାଦଶ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ ।