ନୂଆଦିଲ୍ଲୀ ୧୮/୦୪: ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ଠକେଇ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ । ସେ ଦିଲ୍ଲୀର ଏକ କୋର୍ଟକୁ କହିଛନ୍ତି ଯେ, ସୁକେଶଙ୍କ ବିରୋଧରେ ସରକାରୀ ସାକ୍ଷୀ ହେବାକୁ ସେ ପ୍ରସ୍ତୁତ ଅଛନ୍ତି । ଏହାର ଅର୍ଥ, ଯାଞ୍ଚରେ ସହଯୋଗ ପାଇଁ ସୂଚନା ଦେବାକୁ ସେ ଇଚ୍ଛୁକ । ପୂର୍ବରୁ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଏବେ ଏହି ଖବର ସମସ୍ତଙ୍କୁ ଚକିତ କରିଛି ।
ରିପୋର୍ଟ ଅନୁସାରେ, କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଜ୍ୟାକ୍ଲିନଙ୍କ ଅନୁରୋଧର ପ୍ରତିକ୍ରିୟା ଦେବାକୁ ଏବଂ ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା ୨୦ ତାରିଖ ସ୍ଥିର କରିବାକୁ କହିଛନ୍ତି । ଇତିମଧ୍ୟରେ କୋର୍ଟ ଜ୍ୟାକ୍ଲିନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି, ନିଜ ଅନୁରୋଧର ବିଚାର ଲାଗି ସେ ଉପଯୁକ୍ତ ନ୍ୟାୟିକ ପ୍ରକ୍ରିୟା ପାଳନ କରନ୍ତୁ । ତାଙ୍କୁ ଔପଚାରିକ ରୂପେ ଇଡିକୁ ଅନୁରୋଧ କରିବାକୁ ପଡ଼ିବ । ତା’ପରେ ଏହା ତାଙ୍କ ବୟାନ ରେକର୍ଡ କରିବ ଏବଂ ତାଙ୍କ ଅନୁରୋଧକୁ ସମର୍ଥନ କରିବା ସମ୍ପର୍କରେ ନିଷ୍ପତ୍ତି ନେବ । ଏହା ସହିତ, ଜ୍ୟାକଲିନଙ୍କୁ ଏପ୍ରିଲ ୨୪ ରୁ ମଇ ୨୫ ମଧ୍ୟରେ ବିଦେଶ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ତଥାପି, ଏହି ସମୟ ମଧ୍ୟରେ, ତାଙ୍କୁ କିଛି ସର୍ତ୍ତ ପାଳନ କରିବାକୁ ପଡିବ ଏବଂ ତଦନ୍ତରେ ସହଯୋଗ କରିବାକୁ ପଡିବ।
ତେବେ ସମ୍ପୂର୍ଣ୍ଣ ମାମଲାଟି ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ସହିତ ଜଡିତ, ଯେଉଁଥିରେ ସୁକେଶ ଚନ୍ଦ୍ରଶେଖର ମୁଖ୍ୟ ଅଭିଯୁକ୍ତ । ସେ ଅନେକ ଧନୀ ବ୍ୟକ୍ତିଙ୍କୁ ଠକିଥିଲା । ଖାଲି ଏତିକି ନୁହେଁ ସେ ବଲିଉଡ ସହିତ ମଧ୍ୟ ଜଡିତ ଥିଲା,ଏବଂ ଅଭିନେତ୍ରୀ ଜ୍ୟାକଲିନଙ୍କ ନାମ ଏହି ମାମଲାରେ ସାମ୍ନାକୁ ଆସିଥିଲା। ଇଡିର ଦାବି ଯେ ଜ୍ୟାକ୍ଲିନ ସୁକେଶଠୁ ଦାମୀ ଉପହାର ଗ୍ରହଣ କରିଥିଲେ, ଯାହା ତା’ର ଅବୈଧ ଟଙ୍କା ସହ ସଂଶ୍ଳିଷ୍ଟ ।
ଆହୁରି ପଢ଼ନ୍ତୁ...ଜେଲ୍ ଭିତରୁ ଜ୍ୟାକ୍ଲିନ୍ଙ୍କୁ ଭାଲେନ୍ଟାଇନ୍ସ ଉପହାର, ଏୟାରବସ୍ ହେଲିକପ୍ଟର ଦେଇଥିବା ସୁକେଶର ଦାବି