ମୁମ୍ବାଇ ୨୨/୦୩: ୨୦୧୪ରେ ମୁକ୍ତିପ୍ରାପ୍ତ ବ୍ଲକ୍‌ବଷ୍ଟର ଫିଲ୍ମ ‘କିକ୍‌’ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜୀବନ ବଦଳାଇ ଦେଇଥିଲା । ସଲମାନ-ଜ୍ୟାକ୍‌ଲିନ ଷ୍ଟାରର୍‌ ଏହି ଫିଲ୍ମ ତେଲୁଗୁ ଷ୍ଟାର୍‌ ରବି ତେଜାଙ୍କ ୨୦୦୯ର ସମାନ ଟାଇଟଲ୍‌ଯୁକ୍ତ ଫିଲ୍ମର ରିମେକ୍‌ ଥିଲା । ଏଥିରେ ରଣଦୀପ ହୁଡ୍ଡା ଓ ନୱାଜୁଦ୍ଦିନ ସିଦ୍ଦିକି ମଧ୍ୟ ଅଭିନୟ କରିଥିଲେ । ଉଭୟ ସଲମାନ ଓ  ସାଜିଦ ନାଦିଆଦୱାଲା ଫିଲ୍ମ ନିର୍ମାଣ କରିଥିଲେ । ଗତ ବର୍ଷ ଉଭୟ ଫିଲ୍ମର  ସିକ୍ୱେଲ ଘୋଷଣା କରିଥିଲେ । ଏବେ ସିକ୍ୱେଲକୁ ନେଇ ଜ୍ୟାକ୍‌ଲିନ ଖୁବ୍‌ ଉତ୍ସାହିତ । ‘କିକ୍‌’ର ସିକ୍ୱେଲ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ସେ  ଆଶା କରୁଛନ୍ତି । କାରଣ ଫ୍ୟାନ୍‌ ‘କିକ୍‌’ ବ୍ରାଣ୍ଡ୍‌କୁ ବହୁତ ଭଲପାଇବା  ଦେଇଛନ୍ତି ବୋଲି ଏକ ପୁରସ୍କାର ସମାରୋହର ପ୍ରେସ୍‌ ସମ୍ମିଳନୀରେ  ଜ୍ୟାକ୍‌ଲିନ କହିଛନ୍ତି । 

୨୦୧୪ ମସିହାର ସବୁଠୁ ବଡ଼ ବ୍ଲକ୍‌ବଷ୍ଟର ଫିଲ୍ମ  ଥିଲା ‘କିକ୍‌’ । ‘ମର୍ଡର୍‌-୨’, ‘ରେସ୍‌-୨’ ‘ଡିସୁମ୍‌’ ଭଳି ଫିଲ୍ମରେ  କାମ କରିଥିବା ଜ୍ୟାକ୍‌ଲିନ ୨୦୨୫ରେ ନିଜର ଏକାଧିକ ଫିଲ୍ମ ରିଲିଜ୍‌କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି । ତରୁନ ମନସୁଖାନୀଙ୍କ ‘ହାଉସ୍‌ଫୁଲ୍‌-୫’ରେ ଜ୍ୟାକ୍‌ଲିନ ନଜର ଆସିବେ । ଏଥିରେ ଅକ୍ଷୟ କୁମାର, ରିତେଶ  ଦେଶମୁଖ, ଅଭିଷେକ ବଚ୍ଚନ, ଫରଦୀନ ଖାନ୍‌, ସୋନମ ବାଜୱା, ନର୍ଗିସ  ଫଖରୀ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ୍‌, ନାନା ପାଟେକର, ଚଙ୍କି ପାଣ୍ଡେ,  ଜନି ଲିଭର, ଶ୍ରେୟସ ତଲପଡ଼େ, ଡିନୋ ମୋରିଆ, ଚିତ୍ରାଙ୍ଗଦା ସିଂହ,  ରଣଜୀତ, ସୌନ୍ଦର୍ଯ୍ୟା ଶର୍ମା, ନିକିତିନ ଧୀର ପ୍ରମୁଖ ଅଭିନୟ କରିଛନ୍ତି । 

ସେହିପରି ମଲ୍ଟି ଷ୍ଟାରର୍‌ ‘ୱେଲ୍‌କମ୍‌’ର ସଦ୍ୟ ସଂସ୍କରଣ ‘ୱେଲ୍‌କମ୍‌ ଟୁ  ଦ ଜଙ୍ଗଲ୍‌’ରେ ବି ଜ୍ୟାକ୍‌ଲିନ ନଜର ଆସିବେ । ଏଥିରେ ଟାଇଗର ଶ୍ରଫ୍‌,  ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ, ପରେଶ ରାୱଲ, ଅର୍ଶଦ ୱାର୍ସି, ତୁଷାର କପୁର,  ଶ୍ରେୟସ ତଲପଡ଼େ, ଅଫତାବ ଶିବଦାସାନି, ରବିନା ଟଣ୍ଡନ୍‌, ଲାରା ଦତ୍ତା, ଦିଶା  ପଟାନି, ଜନି ଲିଭର ଓ ରାଜପାଲ ଯାଦବ ଅଛନ୍ତି ।