ଭାରତବର୍ଷର ଆଧ୍ୟାତ୍ମିକ ଚେତନା ଏବଂ ସାଂସ୍କୃତିକ ଇତିହାସରେ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ଶ୍ରୀ ସୋମନାଥ ମନ୍ଦିର ଏକ ଅନନ୍ୟ ସ୍ଥାନ ଅଧିକାର କରିଛି । ଆଜି ଯେତେବେଳେ ଆମେ ସୋମନାଥ ମନ୍ଦିରର ପୁନଃପ୍ରତିଷ୍ଠାର ୭୫ ବର୍ଷ (ପ୍ଲାଟିନମ୍ ଜୁବିଲି) ପାଳନ କରୁଛୁ, ସେତେବେଳେ ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭାରତୀୟ ସଭ୍ୟତାର ଅପରାଜେୟ ଶକ୍ତି ଏବଂ ସଂକଳ୍ପର ବିଜୟୋତ୍ସବ ।

ଜଣେ ଓଡ଼ିଆ ଭାବେ ଏବଂ ପ୍ରଭୁ ଜଗନ୍ନାଥଙ୍କ ସେବକ ଭାବେ, ମୁଁ ଅନୁଭବ କରୁଛି ଯେ ପୂର୍ବରୁ ଜଗନ୍ନାଥ ଏବଂ ପଶ୍ଚିମରୁ ସୋମନାଥ ଏହି ଦୁଇ ଦିବ୍ୟଶକ୍ତି ଆମ ଦେଶକୁ ଏକତା ଓ ଭକ୍ତିର ସୂତ୍ରରେ ବାନ୍ଧି ରଖିଛନ୍ତି । ସୋମନାଥ ମନ୍ଦିରର ଇତିହାସ ହେଉଛି ଧ୍ୱଂସ ଓ ନିର୍ମାଣର ଏକ ବିଚିତ୍ର ସଙ୍ଗମ ।

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ ଭାବେ ପରିଚିତ ଏହି ପୀଠକୁ ଅତୀତରେ ଅନେକ ଆକ୍ରମଣକାରୀ ଅନେକ ଥର ଧ୍ୱଂସ କରିବାକୁ ଚେଷ୍ଟା କରିଥିଲେ । ୧୦୨୬ ଖ୍ରୀଷ୍ଟାବ୍ଦରେ ଗଜନୀର ମାମୁଦ ଦ୍ୱାରା ହୋଇଥିବା ବର୍ବର ଆକ୍ରମଣ ଭାରତୀୟ ଇତିହାସର ଏକ କଳା ଅଧ୍ୟାୟ । କିନ୍ତୁ ପ୍ରତି ଥର ବିନାଶର ପାଉଁଶ ମଧ୍ୟରୁ ଏହି ଭବ୍ୟ ମନ୍ଦିର ଏକ ନୂତନ ରୂପରେ ଛିଡ଼ା ହୋଇଛି । ଏହା ପ୍ରମାଣ କରେ ଯେ ଆତତାୟୀ କେବଳ ମନ୍ଦିରର ପଥରକୁ ଭାଙ୍ଗି ପାରିବେ, କିନ୍ତୁ ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସକୁ କଦାପି ବିନାଶ କରିପାରିବେ ନାହିଁ ।

୧୯୪୭ ମସିହା ନଭେମ୍ବର ୧୩ ତାରିଖ ଦିନଟି ଭାରତ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ଯେତେବେଳେ ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୁନାଗଡ଼ରେ ପହଞ୍ଚିବା ପରେ ସିଧାସଳଖ ପ୍ରଭାସ ପାଟଣର ସେହି ଧ୍ୱଂସପ୍ରାପ୍ତ ସୋମନାଥ ମନ୍ଦିର ପରିଦର୍ଶନରେ ଯାଇଥିଲେ । ସେହି ଦିନ ସାଗରର ଅନନ୍ତ ଗର୍ଜନ ମଧ୍ୟରେ ସମୁଦ୍ର କୂଳରେ ଛିଡ଼ା ହୋଇ ସେ ଯେଉଁ ମହାନ ସଂକଳ୍ପ କରିଥିଲେ, ତାହା କେବଳ ଏକ ପଥର ନିର୍ମିତ ମନ୍ଦିରର ପୁନରୁଦ୍ଧାର ନଥିଲା, ବରଂ ତାହା ଥିଲା ହଜାର ହଜାର ବର୍ଷର ବିଦେଶୀ ଦାସତ୍ୱର କଳଙ୍କକୁ ପୋଛି ଭାରତୀୟ ସ୍ୱାଭିମାନକୁ ପୁନଃ- ପ୍ରତିଷ୍ଠା କରିବାର ଏକ ସାଂସ୍କୃତିକ ମହାସଂକଳ୍ପ । ସେହି ସମୟରେ ଅନେକ ରାଜନୈତିକ ନେତା ମନ୍ଦିର ନିର୍ମାଣକୁ ନେଇ ସନ୍ଦେହ ଓ ଦ୍ୱନ୍ଦ୍ୱ ପ୍ରକଟ କରିଥିଲେ ହେଁ, ସର୍ଦ୍ଦାର ପଟେଲ ନିଜର ନିର୍ଭୀକ ନେତୃତ୍ୱର ପରିଚୟ ଦେଇ ଦୃଢ଼ ଭାବରେ କହିଥିଲେ ଯେ, ‘ଯେଉଁ ସଭ୍ୟତା ନିଜର ଆଧ୍ୟାତ୍ମିକ ଚେରକୁ ଭୁଲିଯାଏ, ସେ କେବେ ବି ଜୀବନ୍ତ ରହିପାରେ ନାହିଁ । ’ଏକ ଐତିହାସିକ ନିଷ୍ପତ୍ତି କ୍ରମେ ସେ ସରକାରୀ କୋଷାଗାରରୁ ଅର୍ଥ ନେବା ପରିବର୍ତ୍ତେ ଜନସାଧାରଣଙ୍କ ସାହାଯ୍ୟ ଓ ସହଭାଗିତାରେ ସେ ‘ଶ୍ରୀ ସୋମନାଥ ଟ୍ରଷ୍ଟ’ ଗଠନ କରି ମନ୍ଦିର ନିର୍ମାଣର ମୂଳଦୁଆ ପକାଇଥିଲେ, ଯାହା ଆଜି ପର୍ଯ୍ୟନ୍ତ ସୋମନାଥର ବୈଭବ ଓ ପବିତ୍ରତାକୁ ସୁରକ୍ଷିତ ରଖିଛି । ବାସ୍ତବରେ ସର୍ଦ୍ଦାର ପଟେଲଙ୍କ ସେହି ଦୂରଦୃଷ୍ଟି ଓ ଦୃଢ଼ ଇଚ୍ଛାଶକ୍ତି ବିନା ସୋମନାଥର ଏହି ଭବ୍ୟତା କେବଳ ଏକ ସ୍ୱପ୍ନ ହୋଇ ରହିଯାଇଥାନ୍ତା । ସେ ହିଁ ପ୍ରକୃତରେ ଧ୍ୱଂସସ୍ତୂପ ମଧ୍ୟରୁ ଭାରତୀୟ ଆତ୍ମାର ପୁନରୁଦ୍ଧାର କରି ଦେଶକୁ ଏକ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରିଥିଲେ ।

ସର୍ଦ୍ଦାର ପଟେଲ କହୁଥିଲେ,‘ସୋମନାଥର ପୁନଃନିର୍ମାଣ କେବଳ ଏକ ମନ୍ଦିରର ନିର୍ମାଣ ନୁହେଁ, ବରଂ ଏହା ଦାସତ୍ୱର ପ୍ରତୀକକୁ ଦୂର କରି ଭାରତର ଆତ୍ମସମ୍ମାନ ଫେରାଇ ଆଣିବାର ଏକ ଅଭିଯାନ ।’ ତାଙ୍କରି ନିର୍ଦ୍ଦେଶରେ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା ଏବଂ ଜନସାଧାରଣଙ୍କ ସାହାଯ୍ୟରେ ମନ୍ଦିର କାର୍ଯ୍ୟ ଆଗେଇ ଚାଲିଥିଲା । ଯଦିଓ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସେ ଦେହତ୍ୟାଗ କରିଥିଲେ, କିନ୍ତୁ ତାଙ୍କର ସ୍ୱପ୍ନ ୧୧ ମଇ ୧୯୫୧ରେ ସଫଳ ହୋଇଥିଲା, ଯେତେବେଳେ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ମନ୍ଦିରର ଶୁଭ ପ୍ରତିଷ୍ଠା କରିଥିଲେ ।

ସର୍ଦ୍ଦାର ପଟେଲଙ୍କ ସେହି ଅଧୁରା ସ୍ୱପ୍ନକୁ ଏବଂ ସୋମନାଥ ପୀଠର ମହିମାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଯେଉଁ ଅଦ୍ୱିତୀୟ କାର୍ଯ୍ୟ କରିଛନ୍ତି, ତାହା ଚିରସ୍ମରଣୀୟ । ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ମୋଦୀଜୀ ଏହି ପବିତ୍ର ପୀଠର କାୟାକଳ୍ପ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ମାର୍ଗଦର୍ଶନ ଯୋଗୁଁ ଆଜି ପବିତ୍ର ସୋମନାଥ ପୀଠର କାୟାକଳ୍ପ ହୋଇପାରିଛି । ମନ୍ଦିରର ସମୃଦ୍ଧ ଇତିହାସ ଓ ସାଂସ୍କୃତିକ ଗୌରବକୁ ସାରା ବିଶ୍ୱ ନିକଟରେ ପହଞ୍ଚାଇବା ପାଇଁ ସେଠାରେ ଏକ ଅତ୍ୟାଧୁନିକ ଭବ୍ୟ ପ୍ରଦର୍ଶନୀ ଶାଳା ଓ ମ୍ୟୁଜିୟମ ସ୍ଥାପନ କରାଯାଇଛି, ଯାହା ଭକ୍ତମାନଙ୍କୁ ମନ୍ଦିରର ପୁନରୁତ୍ଥାନର ଗାଥା ସହ ପରିଚିତ କରାଉଛି ।

ଶ୍ରଦ୍ଧାଳୁମାନଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ଅଧିକ ମନୋରମ କରିବା ପାଇଁ ସମୁଦ୍ର କୂଳରେ ଏକ ସୁନ୍ଦର ‘ସମୁଦ୍ର ଦର୍ଶନ ପଥ’ (ଚକ୍ସକ୍ଟଜ୍ଞରଦ୍ଭବୟର) ନିର୍ମାଣ କରାଯାଇଛି, ଯେଉଁଠାରେ ଯାତ୍ରୀମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଶାନ୍ତିରେ ମୂହୁର୍ତ୍ତ ଅତିବାହିତ କରିପାରୁଛନ୍ତି । ଏହା ସହିତ, କେନ୍ଦ୍ର ସରକାରଙ୍କ “ପ୍ରସାଦ” ଯୋଜନା ଅଧୀନରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଭକ୍ତମାନଙ୍କ ପାଇଁ ବିଶ୍ୱସ୍ତରୀୟ ଯାତ୍ରୀ ସୁବିଧା ଓ ଭିତ୍ତିଭୂମିର ବିକାଶ କରାଯାଇଛି, ଯାହା ସୋମନାଥ ପୀଠକୁ ଏକ ଆଦର୍ଶ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିଛି ।

ମୋଦୀଜୀଙ୍କ ମନ୍ତ୍ର ‘ବିକାଶ ବି, ବିରାସତ ବି’ ଆଜି ସୋମନାଥରୁ ଆରମ୍ଭ କରି କାଶୀ ବିଶ୍ୱନାଥ ଏବଂ ଅଯୋଧ୍ୟାର ରାମ ମନ୍ଦିର ପର୍ଯ୍ୟନ୍ତ ପ୍ରତିଫଳିତ ହେଉଛି । ସେ କେବଳ ଢାଞ୍ଚାର ପୁନରୁଦ୍ଧାର କରିନାହାନ୍ତି, ବରଂ ଭାରତୀୟଙ୍କ ମନରେ ନିଜ ସଂସ୍କୃତି ପ୍ରତି ଥିବା ସମ୍ମାନବୋଧ ଓ ଭଲପାଇବା ବୃଦ୍ଧିକରି ଏକ ‘ନବ ଭାରତ’ ଗଠନର ମୂଳଦୁଆ ପକାଇଛନ୍ତି ।

ଓଡ଼ିଶାର ସଂସ୍କୃତି ସର୍ବଦା ମନ୍ଦିର ଭିତ୍ତିକ । ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ଓଡ଼ିଆଙ୍କ ଆତ୍ମା, ସୋମନାଥ ସେହିପରି ଭାରତର ଶୈବ ପରମ୍ପରାର ପ୍ରାଣକେନ୍ଦ୍ର । ଓଡ଼ିଶାର କୋଣାର୍କ ହେଉ ବା ଲିଙ୍ଗରାଜ, ଆମର ଶିଳ୍ପକଳା ଏବଂ ଭକ୍ତିର ଧାରା ସୋମନାଥଙ୍କ ଦର୍ଶନ ସହିତ ସମାନ । ଆଜି ସୋମନାଥ ମନ୍ଦିରର ୭୫ତମ ବର୍ଷରେ ଓଡ଼ିଶା ସରକାର ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କ ପକ୍ଷରୁ ମୁଁ ଏହି ପବିତ୍ର ପୀଠକୁ ପ୍ରଣାମ ଜଣାଉଛି ।

ଓଡ଼ିଶାର ଜଣେ ସାଧାରଣ ସେବକ ଭାବେ ମୁଁ ଗର୍ବିତ ଯେ, ଆମ ସରକାର ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ‘ସାଂସ୍କୃତିକ ଜାଗରଣ’ ଅଭିଯାନରେ ସମ୍ପୂର୍ଣ୍ଣ ସହଯୋଗ କରୁଛି । ଯେପରି ସୋମନାଥଙ୍କ ବିକାଶ ହୋଇଛି, ସେହିପରି ଓଡ଼ିଶାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଏବଂ କୋଣାର୍କ ଐତିହ୍ୟ କରିଡର ଭାରତୀୟ ସଂସ୍କୃତିକୁ ଏକ ନୂତନ ଶିଖରକୁ ନେଇଯିବ ।

ସୋମନାଥ ମନ୍ଦିରରୁ ଆମକୁ ଏହା ଶିକ୍ଷା ମିଳେ ଯେ, କୌଣସି ବି ଶକ୍ତି ଭାରତକୁ ବା ଭାରତୀୟ ଆତ୍ମାକୁ ବିନାଶ କରିପାରିବ ନାହିଁ । ସର୍ଦ୍ଦାର ପଟେଲଙ୍କ ସଂକଳ୍ପବଦ୍ଧତା ଏବଂ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ କର୍ମବୀର ଶୈଳୀ ହିଁ ଆଜି ‘ବିକଶିତ ଭାରତ’ର ମୂଳଦୁଆ ।

ଆଜିର ଏହି ପବିତ୍ର ଅବସରରେ, ମୁଁ ପ୍ରଭୁ ସୋମନାଥଙ୍କ ନିକଟରେ ସାରା ବିଶ୍ୱର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ମୋଦୀଜୀଙ୍କ ମାର୍ଗଦର୍ଶନରେ ଭାରତ ପୁଣି ଥରେ“ବିଶ୍ୱଗୁରୁ” ଆସନରେ ଅଧିଷ୍ଠିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।

ଆଜିର ଯୁବପିଢ଼ି ପାଇଁ ସୋମନାଥଙ୍କ ଇତିହାସ ଏକ ପ୍ରେରଣା । ଏହା ଆମକୁ ଶିଖାଏ ଯେ ସତ୍ୟର ଜୟ ସର୍ବଦା ହୁଏ ଏବଂ ଧର୍ମକୁ କେହି ଚିରଦିନ ପାଇଁ ଦବାଇ ରଖିପାରିବେ ନାହିଁ । ଆମର ଗୌରବମୟ ଅତୀତକୁ ପାଥେୟ କରି ମୋଦୀଜୀଙ୍କ ନେତୃତ୍ୱରେ ଆମେ ଏକ ସଶକ୍ତ ଏବଂ ସାଂସ୍କୃତିକ ଭାବେ ସମୃଦ୍ଧ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ।

ସୋମନାଥ ହେଉଛି ଭାରତର ପୁନରୁତ୍ଥାନର ପ୍ରତୀକ । ସର୍ଦ୍ଦାର ପଟେଲଙ୍କ ସଂକଳ୍ପ ଏବଂ ମୋଦୀଜୀଙ୍କ କର୍ମନିଷ୍ଠା ଆଜି ସୋମନାଥକୁ ବିଶ୍ୱର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିଛି । ଆସନ୍ତୁ, ଆମେ ସମସ୍ତେ ଏହି ବିରାସତର ସୁରକ୍ଷା ପାଇଁ ନିଜକୁ ନିୟୋଜିତ କରିବା ।