ବ୍ୟାସନଗର,୩୧/୦୫(ଆପ୍ର): ଅନ୍ୟ ଖବରକାଗଜ ମାନଙ୍କଠାରୁ ‘ପ୍ରମେୟ’ ସର୍ବଦା ଭିନ୍ନ ଓ ସ୍ୱତନ୍ତ୍ର ସ୍ୱାଦର ଖବର ପରିବେଷଣ ଉପରେ ଗୁରୁତ୍ୱ ଦିଏ । ଏବେ ଏହି ଧାରାକୁ ଆହୁରି ଶାଣିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପ୍ରମେୟର ଉତ୍‌ଥାନକୁ ମୁଁ ଗଭୀର ଭାବେ ଅନୁଶୀଳନ କରିଛି । ଗ୍ରାମାଞ୍ଚଳର ଛୋଟ ଛୋଟ ଖବର ଗୁଡ଼ିକ ପ୍ରକାଶ କରିବାରେ ‘ପ୍ରମେୟ’ ମାହିର । ଜିଲ୍ଲା ଖବରଗୁଡିକ ମୋତେ ଅଧିକ ଛୁଇଁଥାଏ ବୋଲି ଜିଲ୍ଲାପାଳ ଅମ୍ବର କୁମାର କର ମତବ୍ୟକ୍ତ କରିଥିଲେ । ବ୍ୟାସନଗର ସହରର ବ୍ୟାସଦେବ ଟାଉନ୍‌ ହଲରେ ଆୟୋଜିତ ‘ପ୍ରମେୟ ଜାଗରଣ-ଲୋକକଳା ଉତ୍ସବ-୨୦୨୬’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଜିଲ୍ଲାପାଳ ଶ୍ରୀ କର ଆହୁରି କହିଥିଲେ ଯେ, ଆଧୁନିକ ସ୍ରୋତରେ ଆମେ ନିଜକୁ ହଜେଇ ଦେଉଛୁ । ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ସମସ୍ତେ ଜାଗ୍ରତ ହେବା ଆବଶ୍ୟକ । ସମାଜରେ ଲୋକକଳା କେବେ ହଜିଯିବ ନାହିଁ । ଜାଗରଣର ଅର୍ଥ ହେଉଛି ଖୋଜିବା । ଆମେ ଲୋକକଳାକୁ ଖୋଜିବା, ଆଉ ତାକୁ ଆଗେଇ ନେବା ପାଇଁ ଉଦ୍ୟମ କରିବା । ପିଲାମାନଙ୍କୁ ଲୋକକଳା ବିଷୟରେ ଶିକ୍ଷା ଦେବା । ଏବେ ଜେନ୍‌-ଜେଡ୍‌ ପୁରୁଣା ସଂସ୍କୃତିକୁ ନେଇ ଜାଗରଣ ହୋଇପାରୁନାହାନ୍ତି । ଏଥିପାଇଁ ଚିନ୍ତା କରିବାର ସମୟ ଆସିଛି । ‘ପ୍ରମେୟ’ ଏହି ଉଦ୍ୟମ ଆରମ୍ଭ କରିଛି । ଯାଜପୁରର ଲୋକକଳାକୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସିଛି । ଯାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଜିଲ୍ଲାପାଳ ଶ୍ରୀ କର ପ୍ରକାଶ କରିଥିଲେ ।

‘ପ୍ରମେୟ’ ଓ ‘ନ୍ୟୁଜ-୭’ ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ କହିଥିଲେ, ସଂସ୍କୃତି, ସବୁଜିମା ଓ ଶିଳ୍ପ ସମୃଦ୍ଧିର ଭୂମି ଯାଜପୁର । ଆଧୁନିକ ଯୁଗରେ ଆମେ ପୁଣି ସେଇ ଲୋକକଳା ଆଡ଼କୁ ମୁହାଁଉଛେ । ପ୍ରମେୟ ଜାଗରଣର ଲୋକକଳା ଆଡ଼କୁ ଆମେ ଫେରିବା ଓ ପ୍ରୋତ୍ସାହିତ କରିବା । ଆଜିର ଯୁବ ସମାଜକୁ ଶୃଙ୍ଖଳିତ କରିବା ପାଇଁ ଲୋକକଳା ଉତ୍ସବର ଆୟୋଜନ । ପ୍ରମେୟ ଲୋକଙ୍କ ମନରେ ଅଛି । ଓଡ଼ିଶାରେ ଯେଉଁ ଆଞ୍ଚଳିକ ପ୍ରତିଭା ରହିଛି, ସେମାନଙ୍କୁ ଆଉ ଟିକେ ଆଗକୁ ନେବାକୁ ପ୍ରୟାସ ଆରମ୍ଭ କରିଛି । ଭଲ ଖବର ପରିବେଷଣ ସମାଜକୁ ଶୃଙ୍ଖଳିତ କରିବ । ବିଭିନ୍ନ କାରଣରୁ ଛୋଟ ପିଲାମାନେ ଖରାପ ବାଟକୁ ଯାଉଛନ୍ତି । ହିଂସ୍ର ହେଉଛନ୍ତି । ଏହି ଧାରାକୁ ବଦଳାଇବାକୁ ପଡ଼ିବ । ପ୍ରମେୟ ଏବେ ଭଲ ଖବର ପରିବେଷଣର ଧାରାକୁ ଆପଣେଇଛି ବୋଲି ଗୋପାଳ ମହାପାତ୍ର କହିଥିଲେ ।

‘ପ୍ରମେୟ’ ଓ ‘ନ୍ୟୁଜ -୭’ ଗ୍ରୁପ୍‌ ଡାଇରେକ୍ଟର ହିମାଂଶୁ ହୋତା ଯୋଗଦେଇ ଜାଗରଣ ୨୦୨୫ରେ ଯାଜପୁରରେ ଆରମ୍ଭ ହୋଇଥିଲା ବୋଲି କହିଥିଲେ । ପ୍ରଥମ ବର୍ଷ ନଦୀ ଏବଂ ପରିବେଶ ପାଇଁ ସଚେତନ କରୁଥିବା ବ୍ୟକ୍ତିବିଷେଶଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ଥର ଲୋକକଳାକୁ ପ୍ରୋତ୍ସାହିତ କରିବାକୁ ଆମେ ଆଗେଇ ଆସିଛୁ । ଆମେ ଆଧୁନିକ ଯୁଗର ଗଣମାଧ୍ୟମ ହେଲେ ବି ପୁରୁଣା କଥାକୁ ଭୁଲିଯିବା ଉଚିତ୍‌ ନୁହେଁ । ଏଥିପାଇଁ ପ୍ରମୟ ଜାଗରଣର ଆୟୋଜନ ବୋଲି ଶ୍ରୀ ହୋତା ପ୍ରକାଶ କରିଥିଲେ । ‘ପ୍ରମେୟ’ ସର୍ବଦା ସତ୍ୟ, ନିରପେକ୍ଷ ଓ ଲୋକାଭିମୁଖୀ ଖବରକୁ ଗୁରୁତ୍ୱ ଦିଏ ବୋଲି ପ୍ରସାର ବିଭାଗର ଡିଜିଏମ୍‌ ଗଜେନ୍ଦ୍ର ଦାସ କହିଥିଲେ ।

ଏହି କାର୍ଯ୍ୟକ୍ରମରେ କୋରେଇର ପାଲା ଗାୟକ ଚୈତନ୍ୟ ବିଶ୍ୱାଳ, ଓଡ଼ିଶୀ ନୃତ୍ୟଗୁରୁ ବୈକୁଣ୍ଠ ନନ୍ଦ, ବରିର ଘୋଡ଼ାନାଚ ପାଇଁ ଅଭୟ ଶତପଥୀ, ଧର୍ମଶାଳା ଭବାନୀପୁରର ଦାସକାଠିଆ ପାଇଁ ମଦନ ମୋହନ ପଣ୍ଡିତ, ବ୍ୟାସନଗରରୁ ନନ୍ଦ ମାଷ୍ଟରଙ୍କ ଚାଟଶାଳୀ ଚଳଚ୍ଚିତ୍ର ପାଇଁ ଅଭୟ କୁମାର ପତି, ଦନଗଦୀର ଲାଉ ଧୁଡ଼ିକି ପାଇଁ ଜଗବନ୍ଧୁ କାଣ୍ଡି, ସୁକିନ୍ଦାର ଘୁମୁରା ନୃତ୍ୟ ପାଇଁ ପୀତବାସ ଦେହୁରୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଦୀର୍ଘ ବର୍ଷ ଧରି ଲୋକ କଳାକୁ ଜୀବିତ ରଖିଥିବା ୧୨ଟି ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲ। ସେପଟେ ଏହି ଉତ୍ସବରେ ଆସିଥିବା କଳାକାର ମାନେ ବିଭିନ୍ନ ଲୋକ କଳା ମାଧ୍ୟମରେ ଭିନ୍ନ ଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ । ଘୋଡା ନାଚ, ଦାସ କାଠିଆ, ନାଉ ଧୁଡ଼ିକ୍, ଘୁମୁରା ନୃତ୍ୟ ଆଦି ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା।

ଅତିଥି ଭାବେ ଜିନ୍ଦଲ ଷ୍ଟେନଲେସ୍‌ର ବରିଷ୍ଠ ଉପସଭାପତି ଦୀପକ ଅଗ୍ରୱାଲ, କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା, ବିଜେଡି ନେତ୍ରୀ ସବିତା ରାଉତ, କୋରେଇ ବ୍ଲକ୍‌ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଡ. ଦେବସ୍ମିତା ସାହୁ, ଯାଜପୁର ରୋଡ୍‌ ଥାନାଧିକାରୀ ଆଶିଷ କୁମାର ସାହୁ, ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ଡ. ଅଭୟ ପତି, ଡ. କୁଶଚନ୍ଦ୍ର ଦାସ, ହାରାଧନ ବାନାର୍ଜୀ, ସିପିଆଇ ନେତା କମ୍ରେଡ୍‌ ଆଲୋକ ମହାନ୍ତି, ସିପିଆଇଏମ୍‌ ନେତା ପ୍ରଫୁଲ ନାୟକ, ବିଜେପି ନେତା ବିଦ୍ୟାଧର ମହାନ୍ତି, କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଅଧିକ ପଢନ୍ତୁ- Rath Khala: ଗୟଳ ଓ ଚେସିସ୍‌ କଣ୍ଟା ତିଆରି ଶେଷ, ଦଣ୍ଡା ଫ୍ରେମ୍‌ ଖୋଲା ଚାଲିଛି...