ପୁରୀ,୩୧/୦୫: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା। ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥ ନିର୍ମାଣକୁ ଚାହିଁ ଚାଳି ଓ ଶାଳରେ ସମନ୍ୱୟ ରହି କାମ ଆଗଉଛି । ବଡ଼ଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍ ପ୍ରସ୍ତୁତ ପରେ ଶନିବାର ନମ୍ବରିଂ କରାଯାଇ ଖୋଲା ଆରମ୍ଭ ହୋଇଛି । ସମସ୍ତ ଅଂଶକୁ ମାପଚୁପ ହୋଇ ଦାଗ ଦେବା ପରେ ବର୍ତ୍ତମାନ କଳସା ଚାଲିଛି । ଗୁଜଗୁଡ଼ିକ ଦଣ୍ଡାରେ ଠିକ୍ରେ ଫିଟିଂ ପାଇଁ କଳସା ଚାଲିଛି । ଅର୍ଥାତ୍ ଅଲମ୍ବିଲମ୍ ଅଂଶକୁ କାଟି ସାଇଜ୍ କରିବାରେ ଲାଗିଛନ୍ତି ତିନି ରଥର ବିଶ୍ୱକର୍ମା । ଚାଳିରେ ତିନିର ରଥର ପୋଲ ଗୟଳ ଦୁଇଟି ଲେଖାଏଁ ଚଉପଟ ହେଉଛି ।

ଏପଟେ ଦୋଳବେଦି ସ୍ଥିତ ଶାଳରେ କମାର ସେବକମାନେ ଦଣ୍ଡା ଓ ଗୟଳ ପାଇଁ କଣ୍ଟା ପ୍ରସ୍ତୁତ କରୁଛନ୍ତି । ବଡ଼ବାଡ଼ କମାର ସେବକ ମୁଖ୍ୟ ଜଗନ୍ନାଥ ମହାରଣା କୁହନ୍ତି ରଥରେ ଗୟଳ ଲାଗିବା ପାଇଁ ଅଗପାତଳି ଓ ଚଉରସ କଣ୍ଟା ତିଆରି ହୋଇଛି । ଉଭୟରୁ ୨୫ଟି ଲେଖାଏଁ ଦରକାର । ଏହା ଗୟଳ ଓ ଗୁଜକୁ ମିଶାଇ ପିଟା ହେବ । ସେହିଭଳି ଗୋଟିଏ ରଥର ଦୁଇଟି ଗରଗରା ପାଇଁ ୪ଟି କଣ୍ଟା ତିଆରି ହେଉଛି । ଦଣ୍ଡା ଉଠିଲା ପରେ ଗରଗରା ରହି କଣ୍ଟା ଫିଟିଂ ହେବ । ଦଣ୍ଡା ମିଶା ଗରଗରାରେ ପଡ଼ିବ ଏହି କଣ୍ଟା । ଏହାର ଉଚ୍ଚତା ୧୮ ଇଞ୍ଚରୁ ୨୨ ଇଞ୍ଚ । ଉପର ଛତି ଭଳି ନିମ୍ନ ଆଡ଼କୁ ସରୁ । କଣ୍ଟା ବାଡ଼ିଆ ସରିବା ପରେ ତଳଭାଗ ମୋଡ଼ି ଟାଇଟ୍ କରାଯିବ । ରୂପକାର ସେବକମାନେ ବେଦି ସିଂହାସନ ଓ କରତି ସେବକ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ :-  Puri News: ଶ୍ରୀମନ୍ଦିର ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି, ଆଜି ଛତିଶା ନିଯୋଗ ବୈଠକ