ନୂଆଦିଲ୍ଲୀ – ଜାପାନର ଉତ୍ତର-ପୂର୍ବ ଭାଗରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଜାପାନର ପାଣିପାଗ ବିଭାଗ ମୁତାବିକ , ସୋମବାର ( ୮ ଡିସେମ୍ୱର) ସମୁଦ୍ର ଉପକୂଳ ନିକଟରେ ୭.୬ ତୀବ୍ରତାର ଭୂକମ୍ପ ଆସିବା ପରେ ଜାପାନାର ପୂର୍ବ ଉପକୂଳର କିଛି ଭାଗ ପାଇଁ ସୁନାମୀର ଚେତାବନୀ ଜାରି କରାଯାଇଛି। ୟୁନାଇଟେଡ୍‌ ଷ୍ଟେଟ୍ସ୍‌ ଜିୟୋଲଜିକାଲ ସର୍ଭେ (ୟୁଏସଜିଏସ) କହିଛି ଯେ , ଭୂକମ୍ପ ଲୋକଲ ଟାଇମ୍‌ର ହିସାବରେ ରାତି  ୧୧.୧୫ ଟା ସମୟ (ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୪୫ )ଦେଶର ଉତ୍ତର ଉପକୂଳରୁ ପାଖାପାଖି ୪୪ ମାଇଲ (୭୦ କି.ମି) ଦୂର ଏବଂ ପାଖାପାଖି ୩୩  ମାଇଲର ଗଭୀରତାରେ ଆସିଥିଲା।

ଏଜେନ୍ସି ଅନୁସାରେ , ଭୂକମ୍ପ ଆଓମୋରୀ ଓ ହୋକ୍କାଇଡୋର ଉପକୂଳରେ ଆସିଥିଲା। ଭୂକମ୍ପ ପରେ ଏଜେନ୍ସି ଏହି ଅଞ୍ଚଳରେ ୧୦ ଫୁଟ୍‌ ଯାଏ ଉଚ୍ଚ ସୁନାମୀ (ସାମୁଦ୍ରିକ ଲହଡ଼ି ଉଠିବା) ର ଆଲର୍ଟ ଜାରି  କରିଛି। ଜାପାନୀ ଏଜେନ୍ସି କହିଛି , ସବୁଠୁ ଅଧିକ ବିପଦ ଇସିକାୱା ପ୍ରଦେଶ ଓ ଏହାର ଆଖପାଖର ଅଞ୍ଚଳକୁ ରହିଛି। ଭୂକମ୍ପର ଜୋରଦାର ଝଟକା କାରଣରୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପବ୍ଲିକ୍‌ ବ୍ରଡକାଷ୍ଟର ଏନଏଚକେ କହିଛି ଯେ,ସଂପୃକ୍ତ ଅଞ୍ଚଳରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟସର ସେଫ୍ଟି ଯାଞ୍ଚ କରାଯାଉଛି।  ଏହାସହ ଏଜେନ୍ସି  ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲିଯିବାକୁ  ଏବଂ ସାମୁଦ୍ରିକ ଉପକୂଳ ଠାରୁ ଦୂରେଇ ରହିବାକୁ ଅପଲି କରିଛନ୍ତି।