ଜର୍ମାନୀରେ ଅର୍ଥନୈତିକ ମାନ୍ଦାବସ୍ଥା: ୦.୩% ଖସିଲା ଜିଡିପି

.zeebiz.com
ବର୍ଲିନ,୨୬/୦୫: ୨୦୨୩ର ପ୍ରଥମ ତ୍ରୟମାସରେ ଜର୍ମାନୀ ଅର୍ଥନୀତି ସଂକୁଚିତ ହୋଇଛି । ଆଲୋଚ୍ୟ ସମୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୦.୩% ଖସିଥିବା ଦେଶର ପରିସଂଖ୍ୟାନ କାର୍ଯ୍ୟାଳୟ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ଏଥିସହ ମାନ୍ଦାବସ୍ଥାରେ ପ୍ରବେଶ କରିଛି ଜର୍ମାନୀ ।
ସୂଚନାଯୋଗ୍ୟ, ୨୦୨୨ ଚତୁର୍ଥ ତ୍ରୟମାସରେ ଦେଶର ଜିଡିପି ୦.୫% ଖସିଥିଲା । ଜର୍ମାନୀରେ ପ୍ରଚଳିତ ନିୟମ ଅନୁସାରେ ଯଦି ଅର୍ଥବ୍ୟବସ୍ଥା ଲଗାତର ଦୁଇଟି ତ୍ରୟମାସ ଧରି ସଂକୁଚିତ ହୁଏ, ତେବେ ତାହାକୁ ମାନ୍ଦାବସ୍ଥାର ସଂଜ୍ଞା ଦିଆଯାଇଥାଏ । ଦେଶରେ ଦରବୃଦ୍ଧି ଆକାଶ ଛୁଇଁଛି । ସାଧାରଣ ଖାଉଟିଙ୍କ ଅବସ୍ଥା ଶୋଚନୀୟ । ଏହା ଅର୍ଥନୀତିକୁ ତଳକୁ ତଳକୁ ଖସାଇ ଚାଲିଥିବା ଡେକାବ୍ୟାଙ୍କର ବିଶ୍ଳେଷକ ଆଣ୍ଡ୍ର୍ୟୁ ସରେଲ କହିଛନ୍ତି ।
ପାରିବାରିକ ଚାହିଦା ୧.୨% ଖସିଛି । ଆଲୋଚ୍ୟ ତ୍ରୟମାସରେ ସରକାରୀ ବ୍ୟୟ ମଧ୍ୟ ୪.୯% ହ୍ରାସ ପାଇଥିବା ରିପୋର୍ଟରୁ ଜଣାଯାଇଛି । ଏସବୁ ମଧ୍ୟରେ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ, ୨୦୨୨ର ଦ୍ୱିତୀୟାର୍ଦ୍ଧରେ ଦେଶରେ ନିବେଶ ଧାରା ଦୁର୍ବଳ ରହିବା ପରେ ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି । ଯନ୍ତ୍ରାଂଶ ଏବଂ ଉପକରଣ କ୍ଷେତ୍ରରେ ନିବେଶ ୩.୨% ବୃଦ୍ଧି ପାଇଛି । ସେହିଭଳି ନିର୍ମାଣ କ୍ଷେତ୍ରରେ ନିବେଶ ୩.୯% ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡ଼ିଛି ।
ବାଣିଜ୍ୟ କାରବାର ଭଲ ରହିଛି । ଆଲୋଚ୍ୟ ତ୍ରୟମାସରେ ରପ୍ତାନିରେ ୦.୪% ବୃଦ୍ଧି ଘଟିଥିବାବେଳେ ଆମଦାନି ୦.୯% ଖସିଛି । ତେବେ ଶକ୍ତି ଦରରେ ବୃହତ୍ ମାତ୍ରାରେ ବୃଦ୍ଧି ଘଟିଛି । ଏହା ଶିଳ୍ପ କାର୍ଯ୍ୟକଳାପକୁ ପ୍ରଭାବିତ କରିଛି । ଏସବୁ କାରଣ ଯୋଗୁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିବା କମର୍ଜବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ଜର୍ଜ କ୍ରାଏମର ପ୍ରକାଶ କରିଛନ୍ତି ।
କ୍ରୟ କ୍ଷମତାରେ ହ୍ରାସ ଯୋଗୁ ଇଣ୍ଡଷ୍ଟ୍ରିଆଲ ଅର୍ଡର ସଂଖ୍ୟା କମିଛି । ସେହିଭଳି କଡ଼ା ମୁଦ୍ରାନୀତି ଏବଂ ଆମେରିକାରେ ସମ୍ଭାବ୍ୟ ମାନ୍ଦାବସ୍ଥା ଜର୍ମାନୀ ଅର୍ଥନୀତି ଉପରେ ବିପରୀତ ପ୍ରଭାବ ପକାଇଥିବା ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।