ଭୁବନେଶ୍ବର, ୩୦/୧୧: ସୃଜନଶୀଳତା କିଛି ଅପରାଧ ନୁହେଁ । ସାଧାରଣ ଲୋକଟିଏ ବି ସୃଜନଶୀଳ ହୋଇପାରିବ । କେବଳ ଚିତ୍ରକର, କବି,  ସଙ୍ଗୀତକାର ଓ କାହାଣୀକାର ସୃଜନଶୀଳ ହୁଅନ୍ତି । ତାହା ଠିକ୍ ନୁହେଁ । ସୃଜନଶୀଳତା ପାଇଁ ପାଗଳପଣ ଦରକାର । ନିଜ ପଡ଼ୋଶୀ ଘର ପାଖ ଦେଇ ପ୍ରଶସ୍ତ ରାସ୍ତା ଯିବ । ଏଣୁ ଏହାକୁ ଆଗୁଆ ଚିନ୍ତା କରି ସେ ଜମି କିଣି ଦେବା ବି ସୃଜନଶୀଳତାରେ ଧରାଯିବ । ଶବ୍ଦକୁ ଧରି ରଖିବା ପାଇଁ ପ୍ରୟାସ କରିବା ବି ଏକ ସୃଜନଶୀଳତା । ସୋଆ ସାହିତ୍ୟ ଉତ୍ସବ-୨୦୨୫ ସାମିଲରେ ଏଭଳି କିଛି କହିଛନ୍ତି ବିଶିଷ୍ଟ ସଂଳାପ ଲେଖ ତଥା ସାହିତ୍ୟିକ ତଥା ସଙ୍ଗୀତକାର ପଦ୍ମବିଭୂଷଣ ଜାଭେଦ ଅଖତର ।  ଏହାଛଡ଼ା ପୁରୁଷଙ୍କୁ ନେଇ ଅନେକ କଥା କହିଛନ୍ତି ।

ସମସ୍ତେ ନିଜ ଦୁଃଖରେ କାନ୍ଦିବା ଦରକାର:

ପୁରୁଷକୁ ଯନ୍ତ୍ରଣା ହୁଏନି ବୋଲି ସମସ୍ତେ ଭାବନ୍ତି ।  ପୁରୁଷ ବି ଏହାକୁ ଦେଖାଇବାରେ ଲାଗିପଡ଼େ । କିନ୍ତୁ ଉଦାରବାଦୀ ସମାଜରେ ଯିଏ ହାରିଗଲା ତାକୁ କେହି ପଚାରନ୍ତନି । ଆଗରୁ ଉଦାସକୁ ନେଇ ରୋମାଣ୍ଟିକ୍  ଶୈଳୀରେ ଗୀତ ଲେଖା ହେଉଥିଲା । ଦୁଃଖକୁ ଖୋଲାଖୋଲି ପ୍ରକାଶ କରାଯାଉଥିଲା । କିନ୍ତୁ ଏବେ ଦୁଃଖ ମନ ଭିତରେ ଚାପି ହୋଇ ରହୁଛି । ନିଜ ଦୁଃଖକୁ ଦେଖାଇବାକୁ କାହାର ସାହସ ନାହିଁ  । ପରେ ହୃଦୟରେ ଚାପି ହୋଇ ରହିଥିବା ଏହି କୋହ, କ୍ରୋଧ ପାଲଟୁଛି । ପରେ ଏହା ବିସ୍ଫୋରକ ରୂପ ନେଉଛି । କେବେ ଏହା ଜାତିଗତ ହିଂସା, ଆଞ୍ଚଳିକ ହିଂସା ଓ ଭାଷାଗତ ଓ ରାଜ୍ୟଭିତ୍ତିକ ହିଂସାରେ ପ୍ରକାଶ ପାଉଛି । ନିଜ ଦୁଃଖ କାନ୍ଦିଥିଲେ ହିଁ ଜଣେ ଭଲ ମଣିଷ ହେବ ।