ଭୁବନେଶ୍ୱର ୧୧/୧୦: କିଏ  ହେବ ନୂଆପଡ଼ା ଯୋଦ୍ଧା? କାହାକୁ  ଟିକଟ ଦେଲେ ଉଡ଼ିବ ବିଜୟ ବାନା?  ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱ  ଚଳାଇଛନ୍ତି କସରତ । ସେପଟେ ନୂଆପଡ଼ା ବିଜେଡି- ବିଜେପି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଯାହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚ ଲାଗି ରହିଛି। ବିଜେଡ଼ି ଛାଡ଼ି ବିଜେପିରେ ଯୋଗେ ଦେଇପାରନ୍ତି ଦିବଙ୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ। ପଦ୍ମ ଦଳରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇପାରନ୍ତି ଜୟ। 

ସୂଚନା ଅନୁଯାୟୀ, ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭପତିଙ୍କ ଉପସ୍ଥିତିରେ ଜୟ ଢ଼ୋଲକିଆ ବିଜେପିରେ ଯୋଗଦାନ କରିବେ। ନୂଆପଡାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡାରେ ଉପ ନିର୍ବାଚନ ହେବାକୁ ଯାଉଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ବିଜେଡ଼ିରୁ ବିଧାୟକ ଥିବାବେଳେ ତାଙ୍କ ପୁଅ ବିଜେଡ଼ି ଟିକେଟରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ସେସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଜୟ ଢୋଲକିଆ ବିଜେପିରେ ଯୋଗଦାନ କରିବା ନେଇ ସୂଚନା ରହିଛି । ଅନ୍ୟପଟେ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ଘାସିରାମ ମାଝୀଙ୍କ ନାମ ଘୋଷଣା କରି ଦୌଡ଼ରେ ଆଗୁଆ ରହିଛି। ଜୟ ଢୋଲକିଆ ବିଜେପିରେ ମିଶିବା ପରେ ହିଁ ବିଜେପି ପ୍ରାର୍ଥୀ ହୋଇପାରନ୍ତି। ସେପଟେ ବିଜେଡି କାହାକୁ ପ୍ରାର୍ଥୀ କରିବ ସମସ୍ତ ନଜର ରହିଛି। ସୁପ୍ରିମୋ କେଉଁ କାର୍ଡ ଖେଳିବେ ଦେଖିବାକୁ ବାକି ରହିଛି।