ମୁମ୍ବାଇ, ୨୯/୮ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରଧାରକଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ୍ ୨୦୨୬ରେ ଆସିବ ଜିଓ ଆଇପିଓ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୮ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନଙ୍କୁ ସମ୍ବୋଧିତ କରି କମ୍ପାନୀର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି।

ମୁକେଶ ଅମ୍ବାନୀ କହିଛନ୍ତି, "ମୁଁ ଗର୍ବର ସହିତ ଘୋଷଣା କରୁଛି ଯେ, ଜିଓ ଏହାର ଆଇପିଓ ପାଇଁ ଆବେଦନ କରିବାକୁ ପ୍ରସ୍ତୁତ ହେଉଛି । ଆମର ଲକ୍ଷ୍ୟ ରହିଛି ୨୦୨୬ର ପ୍ରଥମାର୍ଦ୍ଧ ସୁଦ୍ଧା ଜିଓକୁ ସୁଚକାଙ୍କରେ ସାମିଲ କରିବା। ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ଜିଓ ଆମର ବିଶ୍ୱ ସ୍ତରର ସମକକ୍ଷ କମ୍ପନୀମାନଙ୍କ ପରି ସମାନ ମୂଲ୍ୟ ସୃଷ୍ଟି କରିବ। ମୋର ବିଶ୍ୱାସ ରହିଛି ଯେ ଏହା ସମସ୍ତ ନିବେଶକଙ୍କ ପାଇଁ ଏକ ଅତ୍ୟନ୍ତ ଆକର୍ଷଣୀୟ ସୁଯୋଗ ହେବ।" ରିଲାଏନ୍ସ ଜିଓ ଆଜି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି, କମ୍ପାନୀର ଗ୍ରାହକଙ୍କ ସଂଖ୍ୟା ୫୦କୋଟି ଅତିକ୍ରମ କରିଛି । ସେୟାରଧାରକ ଏବଂ ଗ୍ରାହକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ମୁକେଶ ଅମ୍ବାନୀ ଜିଓକୁ ଏକ ଜୀବନ ପରିବର୍ତ୍ତନକାରୀ କମ୍ପାନୀ ବୋଲି କହିଛନ୍ତି। ଜିଓର ସଫଳତାଗୁଡିକ ଉଲ୍ଲେଖ କରି ସେ କହିଛନ୍ତି ଯେ "ଜିଓ କେତେକ ଅକଳ୍ପନୀୟ କାମ କରିଛି। ଯେପରିକି ଭଏସ୍ କଲ୍ ମାଗଣା କରିବା, ଡିଜିଟାଲ୍ ପେମେଣ୍ଟର ଉପାୟ ବଦଳାଇବା, ଆଧାର, ୟୁପିଆଇ, ଜନଧନ ଭଳି ଡିଜିଟାଲ୍ ପ୍ଲାଟଫର୍ମଗୁଡିକୁ ସଜୀବ କରିବା ଏବଂ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିବା।

ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ଯେ, ଦେଶରେ ୫ଜିର ସବୁଠାରୁ ଦ୍ରୁତତମ ସ୍ଥାପନା ପରେ, ଜିଓର ୫ଜି ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୨କୋଟିରୁ ଅଧିକ ଉପଭୋକ୍ତା ଜିଓ ଟ୍ରୁ ୫ଜି ନେଟୱାର୍କ ସହିତ ଯୋଡି ହୋଇଛନ୍ତି। ସେ କହିଛନ୍ତି ଯେ ଜିଓ ଖୁବଶୀଘ୍ର ଅନ୍ତର୍ଜାତୀୟ ସ୍ତରରେ ଅପରେସନ ଆରମ୍ଭ କରିବ। ମୁକେଶ ଅମ୍ବାନୀ କହିଛନ୍ତି ଯେ, "ଜିଓ ଟ୍ରୁ ୫ଜି ଡିଜିଟାଲ୍ ସଂଯୋଗର ଗତିଶୀଳତା, ବିଶ୍ୱସନୀୟତା ଏବଂ ଉପଲବ୍ଧତାକୁ ନୂତନ ଭାବରେ ପରିଭାଷିତ କରିଛି। ମୁଁ ଲୋକମାନଙ୍କୁ କହିବା ଶୁଣିଛି ଯେ ଜିଓ ମୋ ଜୀବନ ବଦଳାଇ ଦେଇଛି କିମ୍ବା ମୁଁ ଜିଓକୁ ପସନ୍ଦ କରେ। କିନ୍ତୁ ମୁଁ ମୋ ହୃଦୟରୁ କହୁଛି ଯେ ପ୍ରକୃତରେ, ପ୍ରତ୍ୟେକ ଭାରତୀୟ ଜିଓକୁ ନିଜ ଜୀବନର ଏକ ଅଂଶ କରି ଏହାର ନିର୍ମାଣ କରିଛନ୍ତି।"