ନୂଆଦିଲ୍ଲୀ,୦୫/୦୮: ମଙ୍ଗଳବାର ଧାରା ୩୭୦ ଉଚ୍ଛେଦକୁ ପୂରିଲା ୬ ବର୍ଷ।  ଜମ୍ମୁ-କାଶ୍ମୀର ପୁଣି ପୂର୍ବଭଳି ରାଜ୍ୟ ମାନ୍ୟତା ଫେରିପାଇପାରେ। ରବିବାର ଠାରୁ ସୋସିଆଲ  ମିଡିଆରେ ଏଭଳି ଚର୍ଚ୍ଚା ଲାଗି ରହିଛି ।  ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି  ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ  ଭେଟିବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି । 

ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ ଚଳିତମାସ ପ୍ରଥମ  ଦୁଇଦିନରେ ଜମ୍ମୁ-କାଶ୍ମୀରର ବିଜେପି ମୁଖ୍ୟ  ସତ୍‌ ଶର୍ମା ଓ ଲଦାଖର ଉପରାଜ୍ୟପାଳ  କବିନ୍ଦର ଗୁପ୍ତାଙ୍କୁ ଭେଟି ଆଲୋଚନା  କରିଥିଲେ । ଏହା ପରେ ଜମ୍ମୁ-କାଶ୍ମୀରର  ଅନ୍ୟାନ୍ୟ ଦଳର ନେତାଙ୍କୁ ଭେଟିଥିଲେ । ମଙ୍ଗଳବାର  ପ୍ରଧାନମନ୍ତ୍ରୀ   ଏନ୍‌ଡିଏ ସାଂସଦଙ୍କ ବୈଠକ ଡାକିଛନ୍ତି ।  ଏଥିରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଲୋଚନା  ହେବ ବୋଲି ଚର୍ଚ୍ଚା ହେଉଛି । 

୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  କରାଯାଇ ଏହାକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ  (ଜମ୍ମୁ-କାଶ୍ମୀର ଓ ଲଦାଖ) ଭାବେ ଘୋଷଣା କରାଯାଇଥିଲା । ମଙ୍ଗଳବାର ଏହାକୁ ୬ ବର୍ଷ ପୂରଣ ହେଇଛି । ତେଣୁ ଜମ୍ମୁ-କାଶ୍ମୀରକୁ  ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏକ ବିଲ୍‌ ଆଣିପାରନ୍ତି । ରାଜନୀତି  ବିଶେଷଜ୍ଞ ଓ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ  ଏଭଳି କିଛି ଆକଳନ କରାଯାଇଛି ।  

ଛଅ ବର୍ଷ ତଳେ ଜମ୍ମୁ-କାଶ୍ମୀରକୁ  ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା  ପରଠାରୁ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ  ଅନେକଥର କହିଛନ୍ତି କି ଏହାକୁ ପୁଣି  ରାଜ୍ୟ ମାନ୍ୟତା ଦିଆଯିବ । କିନ୍ତୁ କେବେ  ଦିଆଯିବ ତାହା ସେମାନେ କହିନାହାନ୍ତି ।  ୨୦୨୩ ଡିସେମ୍ବରରେ ସୁପ୍ରିମକୋର୍ଟ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବୈଧତାକୁ  କାଏମ ରଖିବା ସହ ଏହାକୁ ଯଥାଶୀଘ୍ର ରାଜ୍ୟ  ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାରଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ସରକାର କୋର୍ଟଙ୍କୁ  ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସମୟ ସୀମା ଦେଇନଥିଲେ । 

୨୦୨୪ରେ ଜମ୍ମୁ-କାଶ୍ମୀରରେ  ନିର୍ବାଚନ ହୋଇଥିଲା ଏବଂ ୧୦ ବର୍ଷର  ପ୍ରତୀକ୍ଷା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ  ବନିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀ ଦଳ ସମେତ କଂଗ୍ରେସ ରାଜ୍ୟ ମାନ୍ୟତା ଦାବି କରିଥିଲା । ଯଦି ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବ ତେବେ ସେଠାରେ ସାନି ନିର୍ବାଚନ ହେବ । କାରଣ ପୂର୍ବରୁ ଏହା କେନ୍ଦ୍ରଶାସିତ ଅଞ୍ଚଳ ଥିବା  ବେଳେ ନିର୍ବାଚନ ହୋଇଥିଲା । ଗତ ଜୁନ୍‌ରେ  ଓମାର ଅବଦୁଲ୍ଲା କହିଥିଲେ କି ଯଦି ଜମ୍ମୁକାଶ୍ମୀରକୁ ରାଜ୍ୟ ମାନତା ମିଳିବ ତେବେ  ବିଧାନସଭା ଭଙ୍ଗ କରାଯାଇ ସାନି ନିର୍ବାଚନ  ହେଲେ ତାଙ୍କର ଆପତ୍ତି ନାହିଁ ।