ଭୁବନେଶ୍ବର,୦୫/୦୧: ଜଲିଉଡକୁ ସତେ ଯେମିତି ଗ୍ରହଣ ଲାଗିଛି। ଜଣଙ୍କ ପରେ ଜଣେ କଳାକାରଙ୍କ ଦେହାନ୍ତ ପୂରା ଯାତ୍ରା ଦୁନିଆକୁ ସ୍ତବ୍ଧ କରିଦେଇଛି। ସୋମବାର ଯଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କର ଚିକିତ୍ସାଧିନ ଅବସ୍ତାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜଣ୍ଡିସରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଓଡ଼ିଆ ଯାତ୍ରା ଜଗତ ଏଭଳି ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଛି। ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୫-୨୬ ଯାତ୍ରା ଋତୁରେ ସେ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିବାର ଥିଲା ବୋଲି ସୂଚନା ରହିଛି। 

ଜ୍ଞାନରଞ୍ଜନଙ୍କ ପାଖରେ ଅଭିନୟ କରିବାର ଯେତିିକି ଦକ୍ଷତା ଥିଲା, ତା'ଠାରୁ ତାଙ୍କୁ ବେଶ୍‌ ଲୋକପ୍ରିୟ କରାଇଥିଲା ତାଙ୍କ ନାକରେ କଥା କହିବାର ଚାତୁରତା। ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ଡାଏଲଗ୍‌ କରି ଆଖିରେ ଆଖିରେ ଭୟଙ୍କର ଚାହାଣିରେ ସେ ଡରାଉଥିଲେ ଦର୍ଶକଙ୍କୁ ଆଉ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଥିଲେ। ବାଃ ବାଃରେ କ୍ୟାପିଟାଲ, ଖରାପ ଝିଅର ଗପ, ଅସତି ତୁଳସୀ ସତି ଚଉରା, ମିଛୁଆ ରାଧୁଆ ଗପ ସରିଲା, ହାଟ ବସେଇଛି ହଟ ନାଗରୀଭଳି ୧୦୦ ରୁ ଅଧିକ ନାଟକରେ ସେ ନିଜ ଅଭିନୟର ନିଖୁଣ ନିଦର୍ଶନ ଦେଖାଇଛନ୍ତି। ତାଙ୍କ ଅଭିନିତ ପ୍ରତିଟି ଭୁମିକା ନିଶ୍ଚୟ ଭାବେ ଓଡ଼ିଶାର ଅଗଣୀତ ଯାତ୍ରାପ୍ରେମୀଙ୍କ ହୃଦୟରେ ଏକ ବିରାଟ ଛାପ ଛାଡ଼ିଛି। ତାଙ୍କ ଆବର୍ତ୍ତମାନରେ ଭାଙ୍ଗିପଡ଼ିଛି ଜଲିଉଡ୍‌ ଇଣ୍ଡଷ୍ଟ୍ରୀ।  

ସୂଚନାଥାଉକି, ଗତ ମାସକ ମଧ୍ୟରେ ଓଡ଼ିଆ ଯାତ୍ରା ଜଗତ କିଛି ପ୍ରମୁଖ କଳାକାରଙ୍କୁ ହରାଇସାରିଲାଣି। କିଛିଦିନ ପୂର୍ବେ ଓଡ଼ିଆ ଯାତ୍ରାର ମାମୁଁ ବୋଲାଉଥିବା ବରିଷ୍ଠ କଳାକାର ଦେବୀ ରଥଙ୍କର ପରଲୋକ ହୋଇଥିଲା। ପରେ ନିକଟ ଅତୀତରେ ସଡ଼କ ଦୁର୍ଘଟଣାରେ ହାସ୍ୟଅଭିନେତା ଗୁରୁ ପୃଷ୍ଟିଙ୍କର ଦେହାନ୍ତ ସମସ୍ତଙ୍କୁ ମର୍ମାହତ କରିଥିଲା। ଦଇବର ବିଧାନ ବଡ଼ ବିଚିତ୍ର...ସତେ ଯେମିତି କାଳର କଳାବାଦଲ ଯାତ୍ରା ଉପରେ ଢ଼ାଙ୍କି ହେବା ପରି ଲଗାତର  ପୁଣି ଦୁଇଜଣ ଯାତ୍ରା କଳାକାର ନରେନ୍ଦ୍ର ଦାସ ଏବଂ ବୁଦ୍ଧିଆ ନନାଙ୍କ ଦେହାନ୍ତ ସମଗ୍ର ଯାତ୍ରା ଜଗତକୁ ମର୍ମାହତ କରିଥିଲା। ସୋମବାର ଜ୍ଞାନରଞ୍ଜନ ସାହୁଙ୍କ ପରଲୋକ ଯାତ୍ରାରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ ।