ନୂଆଦିଲ୍ଲୀ,୨୧/୧୨: ଗତ ଶୁକ୍ରବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ସାମ୍ବାଦିକ ସମ୍ମିଳନୀ ଚାଲିଥିଲା । ଏହି ସମୟରେ ଜଣେ ୨୩ ବର୍ଷୀୟ ସାମ୍ବାଦିକ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ ପାଇଁ ନିବେଦନ କଲେ । ତାଙ୍କ ହାତରେ ଏକ ପ୍ଲାକାର୍ଡ ଥିଲା, ଯେଉଁଥିରେ ଲେଖାଥିଲା ‘ଆଇ ୱାଣ୍ଟ୍ ଟୁ ଗେଟ୍ ମ୍ୟାରେଡ୍ ।’ କିରିଲ ବାଜାନୋଭ ନାମକ ଏହି ସାମ୍ବାଦିକ ରୁଷ୍ର ଏକ ସ୍ଥାନୀୟ ଟିଭିର ରିପୋର୍ଟର୍ ।

ଭାଇରାଲ ହେଉଥିବା ଭିଡିଓରେ କିରିଲ ପୁଟିନଙ୍କୁ ପ୍ରଶ୍ନ ପଚାରିବା ପୂର୍ବରୁ ଦର୍ଶକଙ୍କୁ କହିଲେ ‘ମୋ ଗର୍ଲଫ୍ରେଣ୍ଡ୍ ଏହାକୁ ଦେଖୁଛନ୍ତି । ଓଲ୍ଗା, ତୁମେ ମୋତେ ବିବାହ କରିବ? ଦୟାକରି ମୋତେ ବିବାହ କର... ମୁଁ ତୁମକୁ ବିବାହ ପାଇଁ ନିବେଦନ କରୁଛି ।’ ଏହାର କିଛି ସମୟ ପରେ ଲାଇଭ୍ ବ୍ରଡ୍କାଷ୍ଟ୍ର ହୋଷ୍ଟ୍ ତାଜା ଖବର ଦେଇ କହିଲେ, ଆମକୁ ତାଜା ଖବର ମିଳୁଛି- କିରିଲ ବାଜାନୋଭଙ୍କ ଗର୍ଲଫ୍ରେଣ୍ଡ୍ ଓଲେଚକା ତାଙ୍କ ନିବେଦନ ସ୍ୱୀକାର କରିଛନ୍ତି । ଏବେ ସେ କିରିଲଙ୍କୁ ବିବାହ କରିବେ ।’ ହୋଷ୍ଟ୍ଙ୍କ ଘୋଷଣା ପରେ ଦର୍ଶକଙ୍କ ସହିତ ପୁଟିନ ମଧ୍ୟ ତାଳି ମାରିବାକୁ ଲାଗିଲେ । ଏହି ସମୟରେ କିରିଲ ପୁଟିନଙ୍କୁ ନିମନ୍ତ୍ରଣ ଦେଇ କହିଲେ, ରାଷ୍ଟ୍ରପତି ମହୋଦୟ, ଆମ ବିବାହରେ ଆପଣଙ୍କୁ ଦେଖିଲେ ଆମେ ଅତ୍ୟନ୍ତ ଖୁସି ହେବୁ ।’ ପୁଟିନ ବିବାହ ନିମନ୍ତ୍ରଣର ଜବାବ ଦେଲେ ନାହିଁ, କିନ୍ତୁ ଆର୍ଥିକ ସହାୟତା ବିଷୟରେ କହିଲେ । ସେ କହିଲେ, କିରିଲ ପରିବାରମାନଙ୍କର ଆର୍ଥିକ ସ୍ଥିତି ବିଷୟରେ ପଚାରୁଥିଲେ । ତେଣୁ ତାଙ୍କ ପାଇଁ ଏହା ଠିକ୍ ହେବ । ଏବେ ଆମେ ଚାନ୍ଦା କରି ତାଙ୍କ ବିବାହ ପାଇଁ ପର୍ଯ୍ୟାପ୍ତ ଧନ ସଂଗ୍ରହ କରିବା ।’