କେନ୍ଦୁଝର, ୨/୦୬ (ତାପସ ରଥ) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ପଣ୍ଡାପଡ଼ା ଥାନା ବାରହାଗଡ଼ ପଞ୍ଚାୟତ ନଡ଼ାମ ଗ୍ରାମର ବୈଲୋଚନ ଜୁଆଙ୍ଗ । ଏବର୍ଷ ଯୁକ୍ତ ୨ ପରୀକ୍ଷା (କଳା)ରେ ୮୩% ମାର୍କ ରଖି ପାସ୍‌ କରିଛନ୍ତି । ଇଚ୍ଛା ଭୁବନେଶ୍ୱରରେ ବିଜେବି କିମ୍ବା ଅନ୍ୟ କଲେଜରେ ପାଠ ପଢ଼ିବେ । କିନ୍ତୁ ହାତରେ ଅର୍ଥ ନାହିଁ । ହେଲେ ହାର୍‌ ମାନି ବସିଯିବା ବୈଲୋଚନଙ୍କ ପକ୍ଷେ ଅସମ୍ଭବ । ପାଠ ପଢ଼ିବା ପାଇଁ ସେ ଏବେ ଏକ ହୋଟେଲରେ ବାସନ ମାଜୁଛନ୍ତି । ଅଇଁଠା ପତ୍ର ଉଠାଉଛନ୍ତି । ପଚାରିଲେ କହିଛନ୍ତି, ସୁଯୋଗ ମିଳିଲେ ଭୁବନେଶ୍ୱରରେ ରହି ଯୁକ୍ତ ୩ରେ ପଢ଼ିବି । ଏଥିପାଇଁ ମାର୍ଚ୍ଚ ମାସରୁ ଝୁମ୍ପୁରାର ଏକ ହୋଟେଲରେ କାମ କରୁଛି । ୩ ମାସରେ ପାଇଥିବା ଦରମାରୁ ୪ ହଜାର ଟଙ୍କା ଘର ପାଇଁ ଓ କିଛି ପଇସା ମୋବାଇଲ ମରାମତିରେ ଖର୍ଚ୍ଚ ହୋଇଛି । ଅବଶିଷ୍ଟ ପଇସାରେ ବିଭିନ୍ନ ନାମୀ କଲେଜରେ ନାମ ଲେଖାଇବା ସହିତ ବହିପତ୍ର କିଣିବାରେ ବିନିଯୋଗ କରିବି । 

ନଡ଼ାମ ଗ୍ରାମର କୀର୍ତ୍ତନ ଜୁଆଙ୍ଗ ଓ ଗୋଲାପ ଜୁଆଙ୍ଗଙ୍କ ତିନି ପୁଅ ମଧ୍ୟରୁ ବୈଲୋଚନ ଜୁଆଙ୍ଗ ହେଉଛି ବଡ଼ ପୁଅ । ସେ ୨୦୨୪ ମସିହାରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇଥିଲେ ମଧ୍ୟ ପିତା କୀର୍ତ୍ତନ ଜୁଆଙ୍ଗ ଦାରିଦ୍ର‌୍ୟ କାରଣରୁ ପୁଅକୁ କଲେଜରେ ପାଠ ପଢ଼ାଇବାକୁ ଅକ୍ଷମତା ପ୍ରକାଶ କରିଥିଲେ । ବୈଲୋଚନ ମନ ମାରି ଘରେ ବସି ରହିଥିଲେ । ପାଠପଢ଼ାରେ ଡୋରି ବାନ୍ଧି ମଜୁରି ଲାଗିବାକୁ ପରିବାର ଲୋକଙ୍କ ଚାପ ରହିଥିଲା । ଏହି ଖବର ଶୁଆକାଟିସ୍ଥିତ ପାଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁ ଜାଣିବା ପରେ ବୈଲୋଚନଙ୍କୁ କଲେଜରେ ନାମ ଲେଖାଇବା ସହିତ ପାଠପଢ଼ା ପାଇଁ ବ୍ୟବସ୍ଥା କରିଥିଲେ । 

ଆହୁରି ପଢନ୍ତୁ୫ଦିନରେ ୪ ଡିଗ୍ରୀ ଯାଏ ବଢ଼ିପାରେ ତାପମାତ୍ରା, ଖରାକୁ ନ ଯିବାକୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

ମେଧାବୀ ବୈଲୋଚନ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏବଂ ଅଧ୍ୟାପକଙ୍କ ଉଦ୍ୟମରେ ଯୁକ୍ତ ଦୁଇରେ ସଫଳତା ଅର୍ଜନ କରିଥିଲେ । ଯୁକ୍ତ ୩ ଭୁବନେଶ୍ୱରରେ ରହି ପଢ଼ିବା ପାଇଁ ବୈଲୋଚନ ସ୍ୱପ୍ନ ଦେଖିଛନ୍ତି । ଉଚ୍ଚ ଶିକ୍ଷା ପାଇଁ ପରିବାର ଅର୍ଥ ଦେବା ସମ୍ଭବ ନଥିବାରୁ ମାର୍ଚ୍ଚ ମାସରୁ ଝୁମ୍ପୁରାର ଏକ ହୋଟେଲରେ ମାସିକ ୯ ହଜାର ଟଙ୍କା ପାରିଶ୍ରମିକରେ ବାସନ ମାଜିବା ଏବଂ ଅଇଁଠାପତ୍ର ଉଠାଇବା କାମକୁ ଆଦରି ନେଇଛନ୍ତି । ଏବେ ହାତରେ କିଛି ପଇସା ହୋଇଯାଇଥିବାରୁ ସେ ଖୁବ୍‌ଶୀଘ୍ର ଯୁକ୍ତ ୩ ପାଇଁ କଲେଜରେ ଆବେଦନ କରିବେ ବୋଲି କହିଛନ୍ତି । ଏ ସମ୍ପର୍କରେ ପାଟେଶ୍ୱର କଲେଜର ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁ କୁହନ୍ତି, ବୈଲୋଚନର ଆଗ୍ରହ ଦେଖି ତାଙ୍କୁ ପାଠ ପଢ଼ିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା । ଏପରିକି ବହି ଲାଇବ୍ରେରୀରୁ ଯୋଗାଇ ଦେବା ସହିତ ହଷ୍ଟେଲ ଖର୍ଚ୍ଚ ଅଧ୍ୟାପକ, କର୍ମଚାରୀମାନେ ସହଯୋଗ କରି ଆସୁଥିଲେ।