ମୁମ୍ବାଇ,୨୮/୦୯: ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ହତ୍ୟା ଧମକ ଘଟଣାରେ ଧରା ପଡ଼ିଲା ଅଭିଯୁକ୍ତ । ୧ କୋଟି ଟଙ୍କା ଦାବି କରିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦିଲୀପ ଚୌଧୁରୀ ବୋଲି ଜଣାପଡ଼ିଛି । ସେ କପିଲ ଶର୍ମାଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ଫୋନ୍ କରି ଧମକ ଦେଇଥିଲା । ଏ ସମ୍ପର୍କରେ ତୁରନ୍ତ ମୁମ୍ବାଇ ପୁଲିସକୁ ରିପୋର୍ଟ କରାଯାଇଥିଲା। ପରେ ପୁଲୁସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୁମ୍ବାଇ କ୍ରାଇମବ୍ରାଞ୍ଚ ଶୀଘ୍ର ପଦକ୍ଷେପ ନେଇ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ।
ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ତେବେ ଧମକ ପଛରେ ପ୍ରକୃତ କ'ଣ ଉଦ୍ଦେଶ୍ୟ ଏବଂ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଅଭିଯୁକ୍ତଙ୍କୁ ବିସ୍ତୃତ ପଚରାଉଚରା କରୁଛନ୍ତି । ପ୍ରକାଶ ଥାଉକି, ନିକଟରେ, କାନାଡାରେ କପିଲ ଶର୍ମାଙ୍କ କାଫେ ଉପରକୁ ଗୁଳିମାଡ଼ ହୋଇଥିଲା । ସୋସିଆଲ ମିଡିଆରେ ତାଙ୍କୁ ଧମକ ଦିଆଯାଇଥିଲା। ଲରେନ୍ସ ବିଷ୍ନୋଇ ଏବଂ ଗୋଲ୍ଡୀ ଢିଲୋନ ଗ୍ୟାଙ୍ଗ ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଥିଲେ।ଏକ ଫେସବୁକ୍ ପୋଷ୍ଟରେ କୁହାଯାଇଛି ଯେ ଗ୍ୟାଙ୍ଗର ସଦସ୍ୟମାନେ କପିଲ ଶର୍ମାଙ୍କୁ ଫୋନ୍ କରିଥିଲେ, କିନ୍ତୁ ସେ ରିଙ୍ଗ ଶୁଣିପାରି ନଥିଲେ, ଯାହା ଫଳରେ ଗୁଳିକାଣ୍ଡ କରିବାକୁ ବାଧ୍ୟ ହୋଇଥିଲେ। ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଫୋନ୍ କରିଥିବା ବ୍ୟକ୍ତି ଏପର୍ଯ୍ୟନ୍ତ ଉତ୍ତର ନ ଦିଅନ୍ତି, ତେବେ ମୁମ୍ବାଇରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।