ଭୁବନେଶ୍ୱର,୨୧/୦୪: କମି କମି ଆସିଲାଣି କିରାସିନି  ଚାହିଦା । ପୂର୍ବରୁ ବିଜୁଳି ଚାଲିଗଲେ ଡିବିରି, ଲଣ୍ଠନ ଜାଳିବାକୁ  ଏବଂ ରୋଷେଇ କରିବାକୁ ମଧ୍ୟ କିରାସିନି ଦରକାର  ହେଉଥିଲା । ଏବେ ଆଉ କିରାସିନି ଉପରେ ଲୋକେ ନିର୍ଭର କରୁନାହାନ୍ତି । ବିଦ୍ୟୁତ,  ଗ୍ୟାସ୍‌ ଓ ସୋଲାର ଶକ୍ତିର ବ୍ୟବହାର ବଢ଼ିବା ଯୋଗୁଁ ସରକାରଙ୍କ ପକ୍ଷରୁ ଯୋଗାଣ କିରାସିନିର ଅଧା ବି ଉଠାଣ ହେଉନି । ରାସନ କାର୍ଡରେ ମିଳୁଥିବା କିରାସିନି ମଧ୍ୟ କେହି ନେଉନାହାନ୍ତି । 

ସୂଚନାଥାଉକି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ରାଜ୍ୟ  ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୩ ମାସକୁ ୫୦୦  ମିଲିଲିଟର ହିସାବରେ କିରାସିନି ଯୋଗାଇ ଦିଆଯାଉଛି । ଏବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟକୁ ୪୯୪୪ କିଲୋଲିଟର  (କିଲି) କିରାସିନି ଦିଆଯାଇଛି । କିନ୍ତୁ ଏଥିରୁ ମାତ୍ର ୧୧୧୬  କିଲୋଲିଟର କିରାସିନି ଉଠାଣ ହୋଇଛି । ଢେଙ୍କାନାଳ, ବଲାଙ୍ଗିର, ବରଗଡ଼, କୋରାପୁଟ, ଖୋର୍ଦ୍ଧା, ଦେବଗଡ଼,  ମାଲକାନଗିରି, ନବରଙ୍ଗପୁର, ସୋନପୁର,  ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ  ହିତାଧିକାରୀ କିରାସିନି ନେଇ ନାହାନ୍ତି ବୋଲି  ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୦୮ କିଲୋଲିଟର କିରାସିନି ଉଠିଥିବା ବେଳେ  କେନ୍ଦୁଝରରେ ୧୫୬ ଏବଂ ମୟୂରଭଞ୍ଜରେ ୧୩୨ କିଲୋଲିଟର  ଉଠାଣ ହୋଇଛି । 

ଗତବର୍ଷ ଅକ୍ଟୋବରରୁ ଡିସେମ୍ବର  ମଧ୍ୟରେ ରାଜ୍ୟକୁ ମିଳିଥିବା ୫୦୪୦ କିଲି କିରାସିନିରୁ ମାତ୍ର  ୧୯୫୬ କିଲି ଉଠାଣ ହୋଇଥିଲା । ଅତ୍ୟଧିକ ଦର ଯୋଗୁଁ  କିରାସିନି କିଣୁନଥିବା ଅନେକ ହିତାଧିକାରୀ କହିଛନ୍ତି ।