ଖବରରେ ମହିଳା

ଓଡ଼ିଆ ସମ୍ବାଦପତ୍ରରେ ମହିଳାଙ୍କ ପ୍ରସଙ୍ଗ ନିୟମିତ ପଢ଼ିବାକୁ ମିଳିଥାଏ । ଅସାମାଜିକ କର୍ମ, ଯୌନ କେଳେଙ୍କାରୀ, ଭ୍ରଷ୍ଟାଚାର ପରି ଘଟଣାରେ କେହି ମହିଳା ଜଡ଼ିତ ଥିଲେ ସେ ଖବରକୁ ତତ୍କ୍ଷଣାତ୍ ଦୃଷ୍ଟିଆକର୍ଷଣ କରିବା ପରି ଛବି ଓ ଶୀର୍ଷକ ଦେଇ ଉପସ୍ଥାପନା କରାଯାଏ । କିନ୍ତୁ ଏହି ଧାରା ବା ମହିଳାମାନେ ଖବରରେ ରହିବା ଆଦୌ ନୂଆ ନୁହେଁ, ଓଡ଼ିଆରେ ସମ୍ବାଦପତ୍ର ପ୍ରକାଶ ହେବା ଦିନରୁ ମହିଳାଙ୍କୁ କେନ୍ଦ୍ର କରି ବହୁ ଧରଣର ଖବର ବାହାରି ଆସୁଛି ।

ଓଡ଼ିଶାର ପ୍ରଥମ ସମ୍ବାଦପତ୍ରର ମାନ୍ୟତା ପାଉଥିବା “ଉତ୍କଳ ଦୀପିକା’ରେ ୧୧ ଅଗଷ୍ଟ ୧୮୬୬ ତାରିଖରେ ଖବରଟି ଥିଲା- “ଅଦ୍ୟ ଆମ୍ଭମାନଙ୍କର ଶ୍ରୁତିଗୋଚରରେ ଆସିଲା ଯେ ମାହାଙ୍ଗା ଗ୍ରାମରେ କେତେକ ଦିନ ହେଲା ଗୋଟିଏ ଅନାହାର ପୀଡ଼ିତ ସ୍ତ୍ରୀଲୋକ ଜାତିରେ ଗୁଡ଼ିଆଣୀ ପ୍ରବେଶ କରିଅଛି । ତାହାର ଗୋଟିଏ ପାଦ ଅନ୍ୟ ପାଦାପେକ୍ଷା ଛୋଟ ଅଟେ ଓ ମୁଖ ଅତି ବକ୍ର, ରୂପ କୁତ୍ସିତ ଓ କିଞ୍ଚିତ୍ ଭୟଙ୍କର ଓ ତାହାର ଅବସ୍ଥା ଅତି ଘୃଣାକର । ମନୁଷ୍ୟ ମାଂସ ଭକ୍ଷଣରେ ତାହାର ଅତ୍ୟନ୍ତ ପ୍ରୀତି । ଅନ୍ନ ଭୋଜନ ପାଉଥିଲେ ମଧ୍ୟ ସେ ଶ୍ମଶାନକୁ ଯାଇ ମୃତପିଣ୍ଡ ମୃତ୍ତିକା ମଧ୍ୟରୁ ବାହାର କରି କଞ୍ଚା ମାଂସ ଭୋଜନ କରେ । ଏକଦା ଗୋଟିଏ ଅଳ୍ପବୟସ୍କ ସୁନ୍ଦରୀ ବାଳିକା ଦାଣ୍ଡରେ ବୁଲୁଥିଲା । ସେ ରାକ୍ଷସୀ ତାକୁ ଦେଖି ଦ୍ରୁତଗତିରେ ଆସି ତାହାର ଶରୀରରୁ ଦୁଇପୁଳା ମାଂସ କାମୁଡ଼ି ଖାଇଲା । ବାଳିକା ଉଚ୍ଚସ୍ୱରରେ ରୋଦନ କରନ୍ତେ କେତେଜଣ ଗ୍ରାମବାସୀ ଦଉଡ଼ି ଆସି ବାଳିକାକୁ ରକ୍ଷା କଲେ ଓ ରାଜଦଣ୍ଡ କିମ୍ବା ସ୍ତ୍ରୀ ହତ୍ୟା ଦୋଷ ଭୟରେ ସେ ରାକ୍ଷସୀର ପ୍ରାଣନାଶ ନକରି ତାକୁ ଯଷ୍ଠିରେ ଯଥୋଚିତ ପ୍ରହାର ପ୍ରଦାନ କଲେ । ତାହାର ଏ ରୂପ କଦାଚାର ନିମନ୍ତେ ପୂର୍ବେ ଥରେ ତାହା ଶରୀରରେ ତପ୍ତ ଲେହ ଦ୍ୱାରା ଚେଁକା ଦିଆଯାଇଥିଲା ।” ଉତ୍କଳ ଦୀପିକାର ସାପ୍ତାହିକ ସମ୍ବାଦରେ ପୁଣି ବାହାରିଲା- “ମାହାଙ୍ଗା ଗ୍ରାମରେ ଯେଉଁ ରାକ୍ଷସୀ ଗୁଡ଼ିଆଣୀର ବିଷୟ ଏଥିପୂର୍ବ ଏ ପତ୍ରିକାରେ ଲେଖାଯାଇଥିଲା ଶୁଣାଯାଏ ଯେ ଗତ ପ୍ରବଳ ବର୍ଷା ସମୟରେ ସେହି ଗ୍ରାମରେ ତାହାର ମୃତ୍ୟୁ ହେଲା । ତାହାର ମୃତ୍ୟୁରେ ଗ୍ରାମବାସୀମାନେ ଅତି ସନ୍ତୁଷ୍ଟ ହୋଇଅଛନ୍ତି ।”
“ଉତ୍କଳ ଦୀପିକା’ର ସେପ୍ଟେମ୍ବର ମାସ ସାପ୍ତାହିକ ଖବର ମଧ୍ୟରେ ଥିଲା ଜଣେ ଓଡ଼ିଆ ସ୍ତ୍ରୀ ଓ ଇଂରେଜ ପୁରୁଷଙ୍କ ସଂପର୍କ ବର୍ଣ୍ଣନା- “ଏଥିପୂର୍ବେ ଖୋରଧାର ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀଯୁକ୍ତ ବାର୍ଟଣ ସାହେବଙ୍କ ନାମରେ ଜଣେ ସ୍ତ୍ରୀ ଖୋରାକ ପୋଷାକ ଦାବିରେ ନାଲିସ କରିଥିଲା । ତାହାର ଗୋଟିଏ ଦୁହିତା ଅଛି । ବୟସ ପ୍ରାୟ ଦେଢ଼ବର୍ଷ, ଗୌରବର୍ଣ୍ଣ ଓ ସର୍ବାଙ୍ଗ ଏ ରୂପ ଲିଙ୍ଗରାଜ ସନ୍ତାନ ପରି ହୋଇଅଛି ଯେ ସମସ୍ତେ ତାହାକୁ ବିଲାତି ଲୋକ ଔରସ ଜାତ କହୁଅଛନ୍ତି । କେହି କେହି ଉକ୍ତ ଶିଶୁର ଆକୃତି ବାର୍ଟଣ ସାହେବଙ୍କ ସଙ୍ଗେ ଐକ୍ୟ ଥିବାର ଅନୁମାନ କରିବାକୁ ସୁଧା ତୃଟି କରିନାହାଁନ୍ତି । ସେ ସ୍ତ୍ରୀ କୁହେ ଯେ, ବାର୍ଟଣ ସାହେବ ତାକୁ ପ୍ରଥମାବସ୍ଥାରୁ ସ୍ତ୍ରୀ ପରି ରଖିଥିଲେ ଓ ଉକ୍ତ ଦୁହିତା ତାଙ୍କ ଔରସରୁ ଜାତ ହୋଇଅଛି । ଏ ମକଦ୍ଦମା ତଦାରଖରେ ଶ୍ରୀଯୁକ୍ତ ଟେଲର ସାହେବ ଡିପୋଟୀ ମେଜଷ୍ଟର ଅନେକ ଅନୁସନ୍ଧାନ କଲେ, ମାତ୍ର ସ୍ୱୟଂ ବାର୍ଟଣ ସାହେବ ଉକ୍ତ ସ୍ତ୍ରୀକୁ ନ ଚିହ୍ନୁଥିବାର ଓ ତାହାର ସମସ୍ତ ପ୍ରସଙ୍ଗରେ ଅଜ୍ଞାତ ଥିବାର ହଳଫ କରି କହିବାରୁ ଉତ୍ତମ ପ୍ରମାଣ ପାୟା ନଯିବାରୁ ମକଦ୍ଦମା ଡିସମିସ ହୋଇଗଲା ।”
“ବାଲେଶ୍ୱର ସମ୍ବାଦ ବାହିକା’ରେ ଅକ୍ଟୋବର ୧୮୭୨ରେ ଉଦ୍ଧୃତ ଖବରଟି ପ୍ରକାଶ ପାଇଥିଲା- “ଦୁଇ ସପ୍ତାହ ଅତୀତ ହେଲା ଛଣପୁର ଗ୍ରାମରେ ଗୋଟିଏ ୨୨ବର୍ଷ ଯୁବତୀ ସ୍ତ୍ରୀ, ପୁତ୍ର ନୋହିବା ଆଦି ଗଞ୍ଜଣା ସହିନପାରି ବୁଡ଼ିମରିଅଛି । ଏହି ମକଦମା ସାନୀ ତଦାରଖ କରିବା ନିମନ୍ତେ ବାଲେଶ୍ୱର ଡିଭିଜନର ସବ୍ ଇନ୍ସପେକ୍ଟର ଘଟଣାସ୍ଥଳକୁ ଯାଇଥିଲେ । ସେ ଭୂଆସୁଣୀମାନଙ୍କ ପ୍ରତି ପ୍ରହାରାଦି ଅତ୍ୟାଚାର କରିଥିବା ବିଷୟର ଖଣ୍ଡିଏ ଦୀର୍ଘ ପତ୍ର ଆମ୍ଭେମାନେ ପ୍ରାପ୍ତ ହୋଇଅଛୁଁ, ତାହା ଆଗାମୀରେ ପ୍ରଚାର କରିବାର ବାସନା ରହିଲା ।” ଏମିତି ଆଉ ଏକ ଅପମୃତ୍ୟୁର ଖବର “ଓଡ଼ିଆ ଓ ନବ ସମ୍ବାଦ’ (ସାପ୍ତାହିକ ସମ୍ବାଦ ପତ୍ର)ରେ ୧୮୮୭, ଡିସେମ୍ବର ୧୨ ତାରିଖରେ ବାହାରିଥିଲା- “ଖୁରୁଧା ମଉଜାରେ ଜଣେ ଚାଷୁଣୀ କୂପରେ ପଡ଼ି ମରି ଯାଇଅଛି ସତ୍ୟ, ମାତ୍ର ଗ୍ରାମବାସୀଏ କହନ୍ତି ଯେ ସ୍ୱାମୀ କର୍ତ୍ତୃକ ଦଣ୍ଡିତା ହୋଇ କୂପପତିତା ହୋଇଥିଲା । ସତ୍ୟାସତ୍ୟ ଈଶ୍ୱର ଜାଣନ୍ତି ।”
ଉଲ୍ଲେଖଯୋଗ୍ୟ, ଊନବିଂଶ ଶତାବ୍ଦୀରେ ବାହାରୁଥିବା ଓଡ଼ିଆ ସମ୍ବାଦପତ୍ର ଗୁଡ଼ିକରେ କେବଳ ଓଡ଼ିଶାର ନୁହେଁ ବରଂ ଦେଶ ବିଦେଶର ମହିଳା ପ୍ରସଙ୍ଗ ପ୍ରକାଶ ପାଉଥିଲା । “ଉତ୍କଳ ଦର୍ପଣ’ରେ ୧୮୭୯ ଅଗଷ୍ଟ ୭ ତାରିଖରେ ଖବରଟି ଥିଲା- “ବାଙ୍ଗାଲୋରରେ କେତେକ ଗୁଡ଼ିଏ ଇଉରୋପୀୟ ସ୍ତ୍ରୀ ଜେନରଲ ପୋଷ୍ଟ ଅଫିସର କିରାଣୀ ନିଯୁକ୍ତ ହୋଇ ଅଛନ୍ତି । ହିନ୍ଦୁ ମହିଳାମାନେ ଏକଥା ଶୁଣି ଆଶ୍ଚର୍ଯ୍ୟ ହେବେ କି? ସିଲୋନରେ ମଧ୍ୟ ଏହିପରି ସ୍ତ୍ରୀମାନେ ନାନା ପ୍ରକାର କର୍ମରେ ନିଯୁକ୍ତ ହୋଇ ଅଛନ୍ତି ।” “ଓଡ଼ିଶା ଓ ନବ ସମ୍ବାଦ’ରେ ଫେବୃଆରୀ ୧୮୮୮ ମସିହାରେ ଖବର ଥିଲା- “ଆମେରିକାରେ ସ୍ତ୍ରୀଲୋକମାନେ ସୁରାପାନ ନିବାରଣ ସକାଶେ ଗୋଟିଏ ସଭା ସ୍ଥାପନ କରି ଅଛନ୍ତି । ସଭାର ମେମ୍ବର ସଂଖ୍ୟା ଲକ୍ଷେ ପଞ୍ଚାଶ ହଜାର ସ୍ତ୍ରୀଲୋକ । ସଭାଟିର ୧୦ ହଜାର ହେବ ଶାଖା ଅଛି । ଏହି ମହାସଭାର ସଭାପତି ଶ୍ରୀମତୀ କୁମାରୀ ଉଇଲାର୍ଡ । ଏ ରମଣୀ ସୁଶିକ୍ଷିତା ଓ ବିଦୁଷୀ । ସାଂସାରିକ ସମସ୍ତ କାର୍ଯ୍ୟ ତ୍ୟାଗ ସ୍ୱୀକାର କରି ଏହି କାର୍ଯ୍ୟରେ ଜୀବନ ଦେଇ ଅଛନ୍ତି । ଏ ସଭା କେବଳ ଗଭର୍ନମେଣ୍ଟକୁ ଦରଖାସ୍ତ ଦେଇ ନିଶ୍ଚିନ୍ତ ଥାଆନ୍ତି ନାହିଁ । ସୁରାବିଦ୍ୱେଷପୂର୍ଣ୍ଣ ପୁସ୍ତକ ପୁସ୍ତିକାମାନ ଯହିଁରେ ସ୍କୁଲମାନଙ୍କରେ ପଠିତ ହୁଏ ତହିଁର ଉପାୟ କରୁଅଛନ୍ତି । ଏହି ଦେବୀମାନଙ୍କ ଦ୍ୱାରା ଯେ ସୁରାରାକ୍ଷସୀ ସପରିବାରରେ ଧ୍ୱଂସ ହେବ ସେଥିରେ ସନ୍ଦେହ ନାହିଁ । ଉତ୍କଳବାସୀ ପୁରୁଷେ, ଏଥିରୁ କଣ ଶିଖିବେ?”
“ସମ୍ବଲପୁର ହିତୈଷିଣୀ’ ସାପ୍ତାହିକ ପତ୍ରିକାରେ ୧୮୯୦ ମସିହା ଜାନୁଆରୀ ୨୯ ତାରିଖରେ ପାରିବାରିକ ଜୀବନକୁ ନେଇ ସମାଚାରଟି କମ୍ ରୋଚକ ଭାବେ ପରିବେଷଣ ହୋଇନଥିଲା- “ଆମେରିକାରେ ଏକ ପୁରୁଷ ଆପଣା ପତ୍ନୀ ସଦା ରୋଗୀ ହେବାରୁ ବଡ଼ ବ୍ୟସ୍ତରେ ଥାଏ, ନାନା ପ୍ରକାରେ ତାର ସେବା ଶୁଶ୍ରୂଷା କରୁଥାଏ । ବଡ଼ ଦୁଇ ଚିକିତ୍ସକମାନେ ରୋଗ ନିର୍ଣ୍ଣୟ କରିନପାରି ପଶ୍ଚାଦପଦ ହେଲେ । ଏକ ଦିନ ପରୀକ୍ଷା ନିମିତ୍ତ ଆପଣାର ଯୁବତୀ ପରିଚାରିକାର ପୂର୍ବ ସମ୍ମତି ଅନୁସାରେ, ପୀଡିତା ସ୍ତ୍ରୀ ସମକ୍ଷରେ ତାର ଗଣ୍ଡ ଚୁମ୍ବନ କରିବାରୁ ତାର ପତ୍ନୀ ସହ୍ୟ କରିନପାରି ବାଘିନୀ ପରି ଲମ୍ଫ ଦେଇ ଉଠିଲା, ପଛକୁ ଜଣାପଡ଼ିଲା ଯେ ସ୍ତ୍ରୀର କୌଣସି ରୋଗ ନାହିଁ, କେବଳ ଅଳସତା ପ୍ରଯୁକ୍ତ ଗୃହକାର୍ଯ୍ୟ ନକରି ପୀଡା ବାହାନା କରି ସଦା ଶଯ୍ୟାଗତ ହୋଇ ରହିଥାଏ, ଏବେ ତାର ସ୍ୱାମୀ ଅନ୍ୟ ରମଣୀ ପ୍ରତି ଆସକ୍ତ ହେଉଥିବାର ଦେଖି ସମ୍ଭାଳି ନପାରି ରୀତିମତ ଗୃହକାର୍ଯ୍ୟ କରୁଅଛି, ହିଂସା ପରବଶ ହୋଇ ସେ ଦାସୀକୁ ବହିଷ୍କୃତ କରି ଦେଇଅଛି । ରୋଗ ଜାଣି ଚିକିତ୍ସା କଲେ ଏହିପରି ଫଳ ଫଳିଥାଏ, ଏହି ଧରଣର ସ୍ତ୍ରୀ ଯେ ଏ ଦେଶରେ ନାହିଁ ପାଠକମାନେ ଏପରି ଭାବିବେ ନାହିଁ, ଭଲ କରି ତବ କଲେ ପଡା ପଡୋଶୀରେ ଦେଖିପାରିବେ, କିନ୍ତୁ ଏପରି ପରିଚାରିକା ମିଳିବା ଦୁରୂହ ।”
ସାପ୍ତାହିକ ସମ୍ବାଦପତ୍ର “ଓଡ଼ିଆ’ରେ ୧୮୮୭ରେ ପ୍ରକାଶିତ ହୋଇଥିବା ଖବରରେ ସ୍ତ୍ରୀଲୋକଙ୍କ କର୍ମକ୍ଷେତ୍ରରେ ସଫଳତା ବର୍ଣ୍ଣନା କଲାବେଳେ ଶେଷରେ ବିସ୍ମୟସୂଚକ ଚିହ୍ନର ବ୍ୟବହାର ଦୃଷ୍ଟି ଆକର୍ଷଣ କରେ- “ଆମେରିକାର ସ୍ତ୍ରୀଲୋକମାନେ ପୁରୁଷଙ୍କୁ ବଳିଗଲେଣି, ସ୍ତ୍ରୀ ଡାକ୍ତର ଗଳି ଗଳି ବୁଲୁ ଅଛନ୍ତି । ସ୍ତ୍ରୀ ବାରିଷ୍ଟର ଓ ସ୍ତ୍ରୀ କେରାଣି ଅନେକ । ଗୋଟିଏ ସ୍ତ୍ରୀଲୋକ ଏକ ଜିଲ୍ଲାର ଜଜ୍ ହୋଇ ଅଛନ୍ତି । ସ୍ତ୍ରୀଲୋକ ଜାହାଜର ପାଇଲେଟ୍, ରାଜପଥ ପରିଷ୍କାରର କାନ୍ତରାଟକାର ହୋଇ ଅଛନ୍ତି । ଦୁଇ ଗୋଟି ନଗରରେ ଯୋଡିଏ ସ୍ତ୍ରୀ ମିଉନିସିପାଲିଟି କାଉନ୍ସିଲ୍ ମେମ୍ବର ହୋଇଛନ୍ତି । ଆମେରିକାର ରାଜକୀୟ ପ୍ରଧାନ କର୍ତ୍ତୃତ୍ୱପଦ ଅର୍ଥାତ୍ ପ୍ରେସିଡେଣ୍ଟ୍ ପଦ ପାଇବା ନିମନ୍ତେ ଜଣେ ସ୍ତ୍ରୀଲୋକ ଚେଷ୍ଟା କରୁ ଅଛନ୍ତି । ସ୍ତ୍ରୀଲୋକମାନେ ନିତାନ୍ତ ଅବଳା ନୁହନ୍ତି!”
ବିଧବା ବିବାହ ପ୍ରସଙ୍ଗ ଉପରେ “ପୁରୁଷୋତ୍ତମ’ ପତ୍ରିକାରେ ୨୪ ଜୁଲାଇ ୧୮୮୨ରେ ସମ୍ବାଦଟି ଥିଲା- “ଆଜିକାଲି ବଙ୍ଗଳାରେ ନାନାସ୍ଥାନରେ ଶାସ୍ତ୍ରମତ ବିଧବା ବିବାହର ପ୍ରସ୍ତାବ ଲାଗିଅଛି । ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ମହାଶୟ ଏ ବିଷୟରେ ବହୁଳ ଅର୍ଥ ବ୍ୟୟ ଏବଂ ଅସୀମ ଯତ୍ନ କରି ସୁଦ୍ଧା ମନୋରଥ ସଫଳ କରିପାରି ନାହାନ୍ତି । ଦେଖାଯାଉ ଆମ୍ଭମାନଙ୍କର ବଙ୍ଗୀୟ ନବ୍ୟ ଦଳ କେତେଦୂର କୃତକାର୍ଯ୍ୟ ହୋଇପାରିବେ । ଯେତେବେଳେ ବିଧବା ବିବାହ ଯୁକ୍ତିସିଦ୍ଧ ଏବଂ ଶାସ୍ତ୍ର ସଙ୍ଗତ ତେତେବେଳେ ଏ ପ୍ରଥା ଯଦିଚ କେତେକ କାଳ ହେଲା ବଙ୍ଗଳାରୁ ଲୋପ ପାଇଅଛି ତଥାଚ ସେ ପ୍ରଥାକୁ ପୁନଃ ପ୍ରଚାର ପକ୍ଷେ କୌଣସି କ୍ଷତି ନାହିଁ, ବରଂ ଶ୍ରେୟସ୍କର ଅଟେ । ଆଗେ ଭୃଣ ହତ୍ୟାଗୁଡ଼ିକ ତ କ୍ଷାନ୍ତ ପଡ଼ିବ ।”
ଓଡ଼ିଶାରେ ଖ୍ରୀଷ୍ଟଧର୍ମ ପ୍ରଚାରକୁ ନେଇ ଉପରୋକ୍ତ ସମ୍ବାଦପତ୍ରର ଅଗଷ୍ଟ ୧୮୮୨ରେ ଖବର ଥିଲା- “ବିଶ୍ୱସ୍ତ ସୂତ୍ରେ ଅବଗତ ହେଲୁଁ ଯେ ଏ ଜିଲ୍ଲାର ଅନ୍ତର୍ଗତ ପିପିଲି ନାମ ସ୍ଥାନର ମିସ୍ନରି (ଖ୍ରୀଷ୍ଟ ଧର୍ମପ୍ରଚାରକ) ଶ୍ରୀଯୁକ୍ତ ଭାନ ସାହେବ ୨ଜଣ ଖ୍ରୀଷ୍ଟାନ୍ ସ୍ତ୍ରୀଲୋକଙ୍କୁ ହିନ୍ଦୁ ସ୍ତ୍ରୀଲୋକଙ୍କ ମଧ୍ୟରେ ପ୍ରବେଶ କରି ସ୍ୱଧର୍ମ ଶିକ୍ଷା ଦେବା ନିମନ୍ତେ ମାସିକ ଅଢେଇ ଟଙ୍କା ଲେଖାଏଁ ବେତନରେ ନିଯୁକ୍ତ କରି ଜଣକୁ ପିପିଲିରେ ରଖାଇ ଅନ୍ୟକୁ କଟକ ପଠାଇଛନ୍ତି । ହିନ୍ଦୁ ସ୍ତ୍ରୀଲୋକଙ୍କୁ ପ୍ରବର୍ତ୍ତାଇ ଖ୍ରୀଷ୍ଟଧର୍ମାବଲମ୍ବି କରିବାର ଏ ବଡ଼ ସୁଲଭ ଉପାୟ କରିଅଛନ୍ତି । ଶୁଣାଯାଏ ଯେ ଉପଦେଶକ ସ୍ତ୍ରୀଲୋକମାନେ ସମୟ ଜାଣି ଯେତେବେଳେ ପୁରୁଷମାନେ ଗୃହରେ ନଥାନ୍ତି ସେହି ସମୟରେ ପ୍ରବେଶ କରି ଉପଦେଶ ଦେଉଅଛନ୍ତି ଏବଂ ଦୁଇ ଏକ ଗୃହ ସ୍ୱାମୀ ତାଙ୍କ ବିନା ଅନୁମତିରେ ଗୃହକୁ ଆସି ଏପରି କାର୍ଯ୍ୟ କରିଥିବା ଲାଗି ତିରସ୍କାର କରି ନିଷେଧ କରିଅଛନ୍ତି । ୟାକୁ ନମାନି ଯେବେ ପୁନର୍ବାର ପ୍ରବୃର୍ତ୍ତ ହେବେ ତେବେ ଆଉ କିଛି କପାଳରେ ଥାଇପାରେ । ଆମ୍ଭମାନଙ୍କ ମତରେ ଏପରି ଉପଦେଶକ ସ୍ତ୍ରୀଲୋକଙ୍କୁ ଗୃହ ମଧ୍ୟକୁ ପ୍ରବେଶ କରିବାକୁ ଦେବା ଉଚିତ୍ ନୁହେଁ ।”
“ନବ ସମ୍ବାଦ’ରେ ୧୮୮୭ ଫେବୃଆରୀ ୧୩ ତାରିଖରେ ପ୍ରକାଶ ପାଇଥିଲା ସ୍ତ୍ରୀ ହତ୍ୟା ଖବରଟିଏ- “ସାଲେପୁର ଥାନା ମାହାଙ୍ଗା ଗ୍ରାମରେ ଗୋଟିଏ ଲୋମହର୍ଷଣ କାଣ୍ଡ ଘଟିଅଛି । ସାଧୁ ସାହୁ ନାମକ ଗୋଟିଏ ବଣିଆ ଆପଣାର ସ୍ତ୍ରୀକୁ ବଧ କରିଅଛି । ତାକୁ ପଚାରିବାରେ ସେ କହେ ଯେ ଉକ୍ତ ଗ୍ରାମବାସୀ ଜମିଦାର ସୀତାନାଥ ରାୟ ତାହାର ସ୍ତ୍ରୀର ସତୀତ୍ୱ ନଷ୍ଟ କରି ତାହାକୁ ଅତ୍ୟନ୍ତ ଅପମାନିତ କରିବାରୁ ସେ ଉକ୍ତ ଜମିଦାରକୁ ମରିବାର ସଂକଳ୍ପ କରିଥିଲା, ମାତ୍ର ସୁବିଧା ନ ହେବାରୁ ଏବଂ ସ୍ତ୍ରୀର ଚରିତ୍ର ତାକୁ ଅତି ବ୍ୟଥିତ କରିଥିବାରୁ ସେ କ୍ରୋଧର ବଶବର୍ତ୍ତୀ ହାଇ ସ୍ତ୍ରୀକୁ ବଧ କରିଅଛି । ସୀତାନାଥ ରାୟ ଉଆରେଣ୍ଟ ଦ୍ୱାରା ଧରାଯାଇ ହାଜତକୁ ପ୍ରେରିତ ହୋଇଅଛନ୍ତି । ତାହାଙ୍କର ଅତ୍ୟାଚାର ଓ ଜୁଲମ ବିଷୟରେ ଏଥିପୂର୍ବେ ଅନେକ କଥା ଶୁଣା ଯାଇଅଛି ।”
ଉପରୋକ୍ତ ଘଟଣା ସବୁ ଯେ ସେ ସମୟରେ ଚର୍ଚ୍ଚାର ବିଷୟ ହେଇଥିବ ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆଜିକାଲି ଏପରି ଖବରଗୁଡ଼ିକ ସେପର୍ଯ୍ୟନ୍ତ ବାହାରୁଛି, ଯେପର୍ଯ୍ୟନ୍ତ ପାଠକର କୌତୂହଳ ଧୀରେ ଧୀରେ ବିରକ୍ତି ଓ ପରିଶେଷରେ କ୍ଲାନ୍ତିରେ ପରିଣତ ନହେଇଛି! ତା’ପରେ ପାଠକ ଏହାକୁ ପାସୋରି ସଂକ୍ଷିପ୍ତ ସକାରାତ୍ମକ ଖବର ମଧ୍ୟରେ ସ୍ୱାଭାବିକତା ଖୋଜୁଛି- ଯେମିତି “ମୟୂରଭଞ୍ଜ’ ପାକ୍ଷିକ ପତ୍ରିକାରେ ୧୮୮୦ରେ ସ୍ତ୍ରୀ ଶିକ୍ଷା ଉପରେ ପ୍ରକାଶିତ ସବୁଠୁ ଉତ୍ସାହପ୍ରଦ ଅଥଚ ସବୁଠୁ ସଂକ୍ଷିପ୍ତ ସମ୍ବାଦ- “ବର୍ତ୍ତମାନ ସ୍ତ୍ରୀ ଶିକ୍ଷାର କ୍ରମଶଃ ଉନ୍ନତି ହେଉଅଛି । ସାଧାରଣ ଶିକ୍ଷା ବିଭାଗର ଡାଇରେକ୍ଟର ଏହି ରିପୋର୍ଟ ଦେଇ ଅଛନ୍ତି ଯେ ସେ ଗତ ମାର୍ଚ୍ଚ ମାସରେ ଯେ ବର୍ଷ ଶେଷ ଯାଇଅଛି ସେଥି ମଧ୍ୟରେ ୧୧୪ ଗୋଟି ବାଳିକା ବିଦ୍ୟାଳୟ ସ୍ଥାପିତ ହୋଇଅଛି । ଏହାକୁ ଘେନି ଭାରତବର୍ଷରେ ୧୧୨୧୫ ଗୋଟିଏ ବାଳିକା ସ୍କୁଲ ସ୍ଥାପିତ ହେଲା ।”
ଶୁଣାଯାଏ ଯେ ଉପଦେଶକ ସ୍ତ୍ରୀଲୋକମାନେ ସମୟ ଜାଣି ଯେତେବେଳେ ପୁରୁଷମାନେ ଗୃହରେ ନଥାନ୍ତି ସେହି ସମୟରେ ପ୍ରବେଶ କରି ଉପଦେଶ ଦେଉଅଛନ୍ତି ଏବଂ ଦୁଇ ଏକ ଗୃହ ସ୍ୱାମୀ ତାଙ୍କ ବିନା ଅନୁମତିରେ ଗୃହକୁ ଆସି ଏପରି କାର୍ଯ୍ୟ କରିଥିବା ଲାଗି ତିରସ୍କାର କରି ନିଷେଧ କରିଅଛନ୍ତି ।