ନୂଆଦିଲ୍ଲୀ,୫।୫: ହିନ୍ଦୁଙ୍କ ବାହାର କର। ଏଭଳି କିଛି ଦାବି କରି କାନାଡାର ଟରୋଣ୍ଟୋରେ ଖଲିସ୍ତାନୀଙ୍କ ପରେଡ୍।   ଦାବି ଏଭଳି ସେହି ସମୟରେ ହୋଇଛି ଯେତେବେଳେ ମାର୍କ କାର୍ନି ନିର୍ବାଚନରେ ଜିତି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ଜଷ୍ଟିନ୍ ଟ୍ରୁଡୋଙ୍କ କାର୍ଯ୍ୟକାଳରେ ଭାରତ ସହ କାନାଡାର ସମ୍ପର୍କ ବିବାଦୀୟ ଥିଲା। ଏବେ ଏହି ପରେଡ୍ ନୂତନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛି।   ଖଲିସ୍ତାନୀ ସମର୍ଥକ ଭାରତ ସରକାରଙ୍କ ବିରୋଧରେ ନାରାବାଜି  କରିଥିଲେ।ଏହି ପ୍ରଦର୍ଶନ ପଞ୍ଜାବର ସ୍ବାଧିନତା ପାଇଁ କରାଯାଇଛି ବୋଲି  କହିଛନ୍ତି ଖଲିସ୍ତାନୀ। 

କାନାଡୀୟ ସାମ୍ବାଦିକ ଡାନିୟଲ ବୋର୍ଡମ୍ୟାନ୍  ରବିବାର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଟରୋଣ୍ଟୋର ମଲଟନ୍ ଗୁରୁଦ୍ବାର‌ରେ ହୋଇଥିବା କଥିତ ‘ହିନ୍ଦୁ ବିରୋଧି ପରେଡ୍’ ଦେଖିବାକୁ ମିଳିଛି। ଭିଡିଓ ବାହାନାରେ ବୋର୍ଡମ୍ୟାନ୍ କାନାଡାର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଭଳି ଖଲିସ୍ତାନୀଙ୍କ ପ୍ରତି ନରମ  କି ଶକ୍ତ ଆଭିମୁଖ୍ୟ ଗ୍ରହଣ କରିବେ ?

ଏକ୍ସରେ ପୋଷ୍ଟ ସେୟାର କରି ବୋର୍ଡମ୍ୟାନ୍ ଲେଖିଛନ୍ତି, ଆମର ରାସ୍ତାରେ ଆତଙ୍କ ସୃଷ୍ଟି କରାଯାଇଛି, ଯାହାକି ଆମକୁ ସାମାଜିକ ସ୍ତରରେ କ୍ଷତି କରୁଛି। ଜିହୁଦୀଙ୍କୁ ଖୋଲାଖୋଲି ଭାବରେ ଧମକ ଦେଉଛି। କିନ୍ତୁ ଖଲିସ୍ତାନୀ ମଧ୍ୟ ଘୃଣା ସୃଷ୍ଟି କରିବାରେ ପଛରେ କାହିଁକି ରହିବେ। କ’ଣ ମାର୍କ କାର୍ନିଙ୍କ କାନାଡା ଜଷ୍ଟିନ୍ ଟ୍ରୁଡୋଙ୍କ କାନାଡାଠାରୁ ଅଲଗା କି ? ବୋର୍ଡମ୍ୟାନ୍‌ଙ୍କ ଏହି ପୋଷ୍ଟ ପରେ ଶାନ୍ ବିନ୍ଦା ନାମକ ଜଣେ ୟୁଜର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ମଲଟନ୍‌ ଗୁରୁଦ୍ବାରାରେ ଖଲିସ୍ତାନୀମାନେ କାନାଡାରେ ରହୁଥିବା ୮ ଲକ୍ଷ ହିନ୍ଦୁଙ୍କୁ ଭାରତ ଫେରିଯିବାକୁ ଦାବି କରିଛନ୍ତି।