ଖଣ୍ଡଗିରି ଯାତ୍ରା ମହାକୁମ୍ଭ: ୪ ପାର୍ଟି ଜୋର୍ଦାର ଲଢ଼େଇ, ଆଜି ବି ସବୁ ପାର୍ଟିର ରିପିଟ୍ ନାଟକ

ଭୁବନେଶ୍ୱର,୧୫ ।୨(ବ୍ୟୁରୋ): ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପ୍ରଥମ ପର୍ଯ୍ୟାୟରେ ଚାଲିଛି ଜୋର୍ଦାର ଲଢ଼େଇ । ଦ୍ୱିତୀୟ ରାତିର ଲୋକପ୍ରିୟତା ତଥା ଅପୂର୍ବ ସଫଳତା ପରେ ତୃତୀୟ ରାତିରେ ମଧ୍ୟ ସବୁ ପାର୍ଟି ନାଟକକୁ ରିପିଟ୍ କରୁଛନ୍ତି । ଦ୍ୱିତୀୟ ରାତିରେ ସବୁ ପାର୍ଟିରେ ହାଉସ୍ ଫୁଲ୍ ବେପାର ହୋଇଛି । ସକାଳୁ ସକାଳୁ ସବୁ ପାର୍ଟିର ଟିକେଟ୍ କାଉଣ୍ଟର ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ସମସ୍ତ ପାର୍ଟିରେ ଅତ୍ୟାଧୁନିକ ସାଜସଜ୍ଜା ସାଙ୍ଗକୁ ରଙ୍ଗାରଙ୍ଗ୍ ମେଲୋଡି ଓ ସର୍କସ ଭଳି ରେକର୍ଡ ଡ୍ୟାନ୍ସ ଦର୍ଶକଙ୍କୁ ମତୁଆଲା କରୁଛି ।

ଗୌରୀ ନାନୀ ସାଙ୍ଗକୁ ରଜନୀ ସଜନୀ: ଜାଗମରା ଇନ୍ଦିରା ମଣ୍ଡପରେ ଗୌରୀ ଗଣନାଟ୍ୟର ଚର୍ଚ୍ଚିତ ନାଟକ ‘ଗୌରୀ ନାନୀର ନୂଆ ଠିକଣା’କୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହି ନାରୀ କେନ୍ଦ୍ରୀକ ନାଟକରେ ଅଭିନେତ୍ରୀ ରୀନା ପଣ୍ଡାଙ୍କ ଅଭିନୟ ସାଙ୍ଗକୁ ଚରିତ୍ର ଅଭିନେତା କୁନା ଓ ଜଲିଉଡ୍ର ମା’ କୁହା ଯାଉଥିବା ରଞ୍ଜିଙ୍କ ଅଭିନୟ ଦର୍ଶକଙ୍କୁ ସାରା ରାତି ମଞ୍ଚ ନିକଟରେ ବାନ୍ଧି ରଖୁଛି । ହାସ୍ୟ ଅଭିନେତା ବୁଦ୍ଧିଆନା ହସର ଖୋରାକ୍ ଯୋଗାଉଥିବା ବେଳେ ଅଭିନେତା ପ୍ରିୟ, ବାପୁନି, ଝୁନା, ନିଲୁଆ, ଜୟନ୍ତ ଓ ସଂଜୀବ ମଧ୍ୟ ବେଶ୍ ଭଲ ଅଭିନୟ କରୁଛନ୍ତି ।

ଖଣ୍ଡଗିରି ମେଳାରେ ପ୍ରତିବର୍ଷ ଦମ୍ ଦେଖାଇ ଆସିଥିବା ଶିବାନୀ ଗଣନାଟ୍ୟ ବରମୁଣ୍ଡା ବାରଭୂଜା ମଣ୍ଡପରେ ପ୍ରଥମ ରାତିରେ ‘ରଜନୀ ସଜନୀ ରାତି ପାହିଲା’ ନାଟକ ମଞ୍ଚସ୍ଥ କରି ଦର୍ଶକଙ୍କ ହୃଦୟ ଜିଣିଛି । ପ୍ରଥମ ରାତି ହାଉସ୍ ଫୁଲ୍ ପରେ ଦ୍ୱିତୀୟ ରାତିରେ ମଧ୍ୟ ଏହି ନାଟକକୁ ରିପିଟ୍ କରିବାକୁ ଯାଉଛି । ଏହି ନାରୀ କେନ୍ଦ୍ରୀକ ନାଟକରେ ଖଣ୍ଡଗିରି ଯାତ୍ରା ମହାକୁମ୍ଭର ଚର୍ଚ୍ଚିତ ନାୟିକା ଟିକିଙ୍କ ମନଛୁଆଁ ଅଭିନୟ ପୁଣି ଦର୍ଶକଙ୍କୁ କିମିଆ କରୁଛି । ଏଥିସହ କାହ୍ନା, ଅଜୁ, ଅପୁ, କମେଡିଆନ୍ ଭିକାରୀ ପ୍ରମୁଖ ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିତିଛନ୍ତ

ଆଲ୍ଲା, ଜଗନ୍ନାଥଙ୍କ ପାଖରେ ଗୌର ଦାସ: ହତାବ ପେଣ୍ଡାଲରେ ଅପେରା ସ୍ୱର୍ଣ୍ଣ ମହଲ ‘ଆମ ଗାଁ ଜଗନ୍ନାଥ, ତୁମ ଗାଁ ଆଲ୍ଲା’ ନାଟକ ଦର୍ଶକ ମହଲରେ ବେଶ୍ ଆଦୃତି ଲାଭ କରିଛି । ପାଖ ଘାଟିକିଆ ସନାତନ ପେଣ୍ଡାଲରେ ଧଉଳି ଗଣନାଟ୍ୟର ‘କହ ଗୌର ଦାସ, କାହାର ଦୋଷ’ ମଧ୍ୟ ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି । ସ୍ୱର୍ଣ୍ଣ ମହଲରେ ଅଭିନେତା ପ୍ରତାପଙ୍କ ଦମଦାର ଅଭିନୟ ସାଙ୍ଗକୁ ଧଉଳିରେ ଗୌରଙ୍କ ମନଛୁଆଁ ଅଭିନୟ ସାରା ରାତି ଦର୍ଶକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖୁଛି । ଏହି ଦୁଇଟି ଭିନ୍ନ ସ୍ୱାଦର ନାଟକ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହା ଛଡ଼ା ସ୍ୱର୍ଣ୍ଣ ମହଲରେ ଚରିତ୍ର ଅଭିନେତା ଦୁର୍ଗା ଭୂୟାଁ, ସଞ୍ଜୟ, ରାଧା, କାବେରୀ, ଜଗା ପଣ୍ଡା, ହାସ୍ୟ ଅଭିନେତା ରବି ଶତପଥି ଓ ଧେଡ଼ିଆ ମୁନା ପ୍ରମୁଖଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳୁଛି । ସେହିପରି ଧଉଳିରେ ଖଳନାୟକ ମହେନ୍ଦ୍ର ଦାସ(ଭିକୁ ସେଠ୍)ଙ୍କ ଅଭିନୟକୁ ମଧ୍ୟ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି । ଏହା ଛଡ଼ା ନାଟକରେ ମୁନା-ନମିତା, ବୁଢ଼ା, କବିତା, ସାନମଣି, ନରି ପଣ୍ଡା ପ୍ରମୁଖ ଦମ୍ଦାର ଅଭିନୟ ଦେଖାଇଛନ୍ତି ।

ପୁଣି ହସାଇ ବେଦମ୍ କଲେ ପପୁ:ଗୌରୀ ଗଣନାଟ୍ୟରେ ପ୍ରଥମ ରାତିରେ ହସାଇ ହସାଇ ଦର୍ଶକଙ୍କୁ ବେଦମ୍ କରିଥିବା ହାସ୍ୟ ଅଭିନେତା ପପୁ ପମ୍ପମ୍ ପୁଣି ଦ୍ୱିତୀୟ ରାତିରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିଣିଛନ୍ତି । ମଞ୍ଚ ଉପରେ ମଜାମଜା କଥା କହି ଦର୍ଶକଙ୍କୁ ଢ଼େର୍ ସମୟ ପର୍ଯ୍ୟନ୍ତ ହସାଇଛନ୍ତି । ପପୁ ତାଙ୍କ ଫିଲ୍ମର କିଛି ଗିତ ଗାଇବା ସହ ନାଚି ନଚାଇ ଥିଲେ ଦର୍ଶକଙ୍କୁ ।