ଖଣ୍ଡପଡ଼ା,୨୧/୦୪: ପୁଲିସ ବାବୁଙ୍କ କଳା କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳାଙ୍କୁ ମୋବାଇଲରେ ଅଶ୍ଳୀଳ ମେସେଜ୍ ପଠାଇବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗରେ ଖଣ୍ଡପଡ଼ା ଏସ୍ଡିପିଓ ମଦନ ମୋହନ ପ୍ରଧାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀ। ଏସ୍ଡିପିଓ ମଦନମୋହନ ପ୍ରଧାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫତେଗଡ଼ ଥାନାରେ SDPOଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।
ଅନ୍ୟପଟେ SDPOଙ୍କ ବିରୋଧରେ ମହିଳା କମିଶନଙ୍କୁ ଭେଟିଛନ୍ତି ପୀଡ଼ିତା । ଏଭଳି ପୁଲିସ ଅଧିକାରୀଙ୍କୁ କେବଳ ବଦଳି କରି ଚୁପ ବସିଗଲେ ହେବନାହିଁ । ତାଙ୍କୁ ଜେଲ୍ ପଠାଇବା ଦରକାର । ଯାହାଫଳରେ ଅନ୍ୟ କୌଣସି ସ୍ଥାନରେ ପୁଲିସ ମହିଳାଙ୍କ ପ୍ରତି ଅସମ୍ମାନ କରିବାକୁ ସାହସ କରିବନାହିଁ।
ଅଭିଯୋଗ ଅନୁଯାୟୀ, ଫତେଗଡ଼ ଥାନା ଅଞ୍ଚଳର ଜଣେ ମହିଳା ଗତ ବର୍ଷ ଜୁଲାଇ ମାସରେ ଏକ ଗଣ୍ଡଗୋଳ ମାମଲାରେ ପୁଲିସର ସହାୟତା ଲୋଡ଼ିଥିଲେ । ସେହି ମାମଲାର ସମାଧାନ କରିବା ବାହାନାରେ ଏସ୍ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଅଶ୍ଳୀଳ ମେସେଜ ପଠାଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ମହିଳାଙ୍କୁ ବିଭିନ୍ନ ସ୍ଥାନକୁ ଖରାପ ଉଦ୍ଦେଶ୍ୟରେ ଡାକିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଘଟଣାର ଚାଟିଂ ଏବଂ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ :- ଚୌଦ୍ୱାର ଜେଲ୍ରୁ ବିହାରୀ ଅପରାଧୀ ଫେରାର୍ ଘଟଣା: ପ୍ରାଥମିକ ଚାର୍ଜସିଟ୍ ଦାଖଲ କଲା ପୁଲିସ, ରାଜାକୁ ରିମାଣ୍ଡ୍ରେ ଆଣିବାକୁ ଯୋଜନା
ଏହି ସମ୍ବେଦନଶୀଳ ଘଟଣା ସମ୍ପୃକ୍ତ ଏସ୍ଡିପିଓଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଣେ ପୁଲିସ ଅଧିକାରୀ ହୋଇ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବାରୁ ତାଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯାଉ ବୋଲି ଦାବି କରାଯାଇଛି । ଏହି ଘଟଣା ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ସାଧାରଣ ଜନତା ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଅଧିକାରୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରାଯାଉଛି ।