• ସ୍ୱଳ୍ପ ଅବଧି ବିଶିଷ୍ଟ କିସମ ଉପରେ ଗୁରୁତ୍ୱ
  • ସାର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ
  • ଫସଲ ବୀମା ଉପରେ ଗୁରୁତ୍ବ

ଭୁବନେଶ୍ୱର/ବଲାଙ୍ଗୀର,୨୭।୫ ; ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚଳିତ ବର୍ଷ ରାଜ୍ୟରେ ସ୍ଵାଭାବିକଠାରୁ କମ୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଏବଂ ଏଲ୍ ନିନୋ (El Niño) ର ପ୍ରଭାବ ନେଇ ଆଶଙ୍କା କରିଛି। ଏହାକୁ ଦୃଷ୍ଟିରେ ରଖି ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୁଧବାର ଏକ ଉଚ୍ଚସ୍ତରୀୟ ଭର୍ଚ୍ଚୁଆଲ୍ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆସନ୍ତା ଖରିଫ୍ ୨୦୨୬ ଋତୁ ପାଇଁ ବ୍ୟାପକ ଭାବେ କୃଷି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ପ୍ରସ୍ତୁତି ରଣନୀତି ଉପରେ ଆଲୋଚନା କରାଯାଇଛି। ଆସନ୍ତା ଋତୁରେ ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ନିଜ ନିଜ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ଅଗ୍ରୀମ ବିହନ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ର ପରିଚାଳନା ନିର୍ଦ୍ଦେଶକ ଜୁନ୍ ୨୦୨୬ ପ୍ରଥମ ସପ୍ତାହ ସୁଦ୍ଧା ପ୍ରମାଣିତ ବିହନର ସମୟାନୁବର୍ତ୍ତୀ ବଣ୍ଟନ ସୁନିଶ୍ଚିତ କରିବେ। ଦୁର୍ଗମ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ।

ସେହିପରି ସ୍ୱଳ୍ପ ଅବଧି ବିଶିଷ୍ଟ କିସମ ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱଳ୍ପ ଓ ମଧ୍ୟମ ଅବଧି ବିଶିଷ୍ଟ ଧାନ, ଡାଲିଜାତୀୟ, ତୈଳବୀଜ ଏବଂ ମାଣ୍ଡିଆ/କ୍ଷୁଦ୍ର ଶସ୍ୟ (ମିଲେଟ୍) ବିହନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି।ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧକରଣକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବାକୁ ଜିଲ୍ଲା କୃଷି ଦଳକୁ ନିର୍ଦ୍ଦେଶ ଦିଆଯାଇଛି। ମୌସୁମୀ ଆସିବାରେ ବିଳମ୍ବ ହେଲେ 'କମ୍ୟୁନିଟି ନର୍ସରୀ' ବ୍ୟବସ୍ଥା ଗ୍ରହଣ କରାଯିବ।ପାଣିପାଗ ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଧାନ, ଡାଲି ଏବଂ ତୈଳବୀଜ ବିହନ ସଂରକ୍ଷିତ ରଖାଯିବ।

ସାର ସୁରକ୍ଷା ଏବଂ କଳାବଜାରୀ ବିରୋଧୀ ପଦକ୍ଷେପ ନିଆଯିବ। ମାର୍କଫେଡ୍ (MARKFED), ପ୍ୟାକ୍ସ (PACS) ଏବଂ ଲ୍ୟାମ୍ପସ (LAMPCS) ମାଧ୍ୟମରେ ଚାଷୀଙ୍କ ପାଖରେ ସାରର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାରର କଳାବଜାରୀ, ବେଆଇନ ମହଜୁଦ ଏବଂ ଚାଷ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଗଲେ ସରକାର 'ଶୂନ୍ୟ ସହନଶୀଳତା' (Zero-tolerance) ନୀତି ଆପଣେଇବେ।

ସେହିପରି କ୍ଷେତ୍ର ସ୍ତରୀୟ କର୍ମଚାରୀମାନେ ବ୍ୟକ୍ତିଗତ 'ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ' (Soil Health Card) ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା, ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଜିଲ୍ଲା ପ୍ରଶାସନକୁ ସେମାନଙ୍କ କୃଷକ ପଞ୍ଜୀକରଣ (Farmer Registry) ଧାର୍ଯ୍ୟ ଲକ୍ଷ୍ୟ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀମାନେ ପିଏମ୍-କିସାନ (PM-KISAN), ସିଏମ୍-କିସାନ (CM-KISAN) ସହାୟତା, ରିହାତି ଦରରେ ସାର/ବିହନ କ୍ରୟ ଏବଂ ସରକାରୀ ଧାନ ସଂଗ୍ରହ (ମଣ୍ଡି) ର ସୁବିଧା ପାଇବା ପାଇଁ ଏହି ପଞ୍ଜୀକରଣ ବାଧ୍ୟତାମୂଳକ ଅଟେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ଏହାର କୃଷି ବିଜ୍ଞାନ କେନ୍ଦ୍ର (KVK) ଗୁଡ଼ିକ ମାଧ୍ୟମରେ ସମୟୋପଯୋଗୀ, ଆଞ୍ଚଳିକ ଭିତ୍ତିକ ଏବଂ ପାଣିପାଗ ଆଧାରିତ କୃଷି ପରାମର୍ଶ ପ୍ରଦାନ କରିବ। ଓୟୁଏଟି ରୋଗପୋକ ପରିଚାଳନା ଏବଂ ପ୍ରତିକୂଳ ପରିସ୍ଥିତି ସହନଶୀଳ ଫସଲ କିସମ ପାଇଁ ବୈଷୟିକ ସହାୟତା ମଧ୍ୟ ଯୋଗାଇଦେବ। ଚାଷୀଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ପାଇଁ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଥିବା ଏଲ୍ଇଡି (LED) ସ୍କ୍ରିନଗୁଡ଼ିକରେ କୃଷି ପରାମର୍ଶବଳୀକୁ ପ୍ରମୁଖତାର ସହ ପ୍ରଦର୍ଶିତ କରାଯିବ। ସମ୍ପୂର୍ଣ୍ଣ ଖରିଫ୍ ଋତୁରେ ଜିଲ୍ଲା ଜରୁରୀକାଳୀନ ଟିମ୍ ସମ୍ପୂର୍ଣ୍ଣ ସକ୍ରିୟ ରହିବେ। କ୍ଷେତ୍ର ଅଧିକାରୀମାନେ ନିୟମିତ ଭାବେ ଗ୍ରାମ ପରିଦର୍ଶନ କରି ଚାଷୀଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ ଏବଂ ଅନାବୃଷ୍ଟି ବା ମରୁଡ଼ି ସଦୃଶ ସ୍ଥିତିର ମୁକାବିଲା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବେ।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ଓୟୁଏଟି କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ଆଇଏମଡି (IMD) ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାପାତ୍ର, ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଏବଂ ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆହୁରି ପଢନ୍ତୁ : ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ : ପରିବହନ ମନ୍ତ୍ରୀ