ନୂଆଦିଲ୍ଲୀ, ୨୩।୭: କ୍ରୁଡ୍ ଅଏଲ୍ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ଦେଶରେ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ କରାଯାଉଛି । ଇଥାନଲ୍ ଯୋଗୁଁ ଗାଡ଼ିଗୁଡ଼ିକ ଉପରେ ପଡ଼ୁଥିବା ପ୍ରଭାବ ଏବଂ ଏହାର ଆର୍ଥିକ ଲାଭ-କ୍ଷତି ଚର୍ଚ୍ଚା ମଧ୍ୟରେ ସରକାର ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି । ବିଗତ ତିନି ବର୍ଷ ମଧ୍ୟରେ ସରକାରୀ କ୍ଷେତ୍ରର ତେଲ କମ୍ପାନୀଗୁଡ଼ିକ ୧.୭୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଇଥାନଲ୍ କିଣିଥିବା ସରକାର ଜଣାଇଛନ୍ତି । ସଂସଦରେ ଏକ ଲିଖିତ ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ, ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଘରୋଇ ଉତ୍ସରୁ ଫ୍ୟୁଏଲ୍ ଗ୍ରେଡ୍ ଇଥାନଲ୍ କିଣୁଛନ୍ତି । ଇଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ କାର୍ଯ୍ୟକ୍ରମ ଅଧୀନରେ ପେଟ୍ରୋଲରେ ମିଶାଇବା ପାଇଁ ଏହାକୁ ବ୍ୟବହାର କରାଯାଉଛି ।
୩ ବର୍ଷରେ କେତେ ଖର୍ଚ୍ଚ ହୋଇଛି ?
ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ତେଲ କମ୍ପାନୀଗୁଡ଼ିକ ଇଥାନଲ୍ କିଣିବା ପାଇଁ
୨୦୨୩-୨୪: ପାଖାପାଖି ୪୮,୭୫୭ କୋଟି
୨୦୨୪-୨୫: ସବୁଠାରୁ ଅଧିକ ୭୩,୯୯୬ କୋଟି
୨୦୨୫-୨୬ (୩୦ ଜୁନ୍ ୨୦୨୬ ସୁଦ୍ଧା): ୪୯,୫୭୭ କୋଟି ଖର୍ଚ୍ଚ କରିଛନ୍ତି ।
ଅର୍ଥାତ୍ ଏହି ତିନି ବର୍ଷକୁ ମିଶାଇ ମୋଟ୍ ୧,୭୨,୩୩୦ କୋଟିରୁ ଅଧିକ ଟଙ୍କାର ଇଥାନଲ୍ କିଣାଯାଇସାରିଛି ।
ଏହା ବି ପଢ଼ନ୍ତୁ... Iran US War: ହୋର୍ମୁଜରେ ସଙ୍କଟ, ଆମେରିକାକୁ ଇରାନର ଖୋଲା ଚେତାବନୀ ! କହିଲା "କାହାରିକୁ ବି ତେଲ ବିକିବାକୁ ଦେବୁନି"
କେଉଁ ସବୁ ଉତ୍ସରୁ କିଣାଯାଉଛି ଇଥାନଲ୍ ?
ସରକାରଙ୍କ ସୂଚନା ଅନୁଯାୟୀ, ସରକାରୀ କ୍ଷେତ୍ରର ତେଲ କମ୍ପାନୀଗୁଡ଼ିକଗୁଡ଼ିକ ଘରୋଇ ସ୍ତରରେ ପ୍ରସ୍ତୁତ ଫୁଏଲ୍ ଗ୍ରେଡ୍ ଇଥାନଲ୍ କିଣୁଛନ୍ତି । ଆଖୁରୁ ତିଆରି ସି-ହେଭି ଶିରା, ବି-ହେଭି ଶିରା, ଆଖୁ ରସ, ସୁଗାର ସିରପ୍ ଏବଂ ଭାରତୀୟ ଖାଦ୍ୟ ନିଗମର ବଳକା ଚାଉଳ ଓ ମକା ଇଥାନଲ୍ ଉତ୍ପାଦନର ମୁଖ୍ୟ ଉତ୍ସ । ଏହାଦ୍ୱାରା ଚିନି ଶିଳ୍ପ ସହିତ ଶସ୍ୟ ଆଧାରିତ ଡିଷ୍ଟିଲରୀଗୁଡ଼ିକୁ ମଧ୍ୟ ବଡ଼ ବଜାର ମିଳୁଛି । ୧୬ ଜୁଲାଇ ୨୦୨୬ ସୁଦ୍ଧା ଦେଶରେ ସରକାରୀ ତେଲ କମ୍ପାନୀଗୁଡ଼ିକ ୫୦୧ଟି ଇଥାନଲ୍ ନିର୍ମାଣ ୟୁନିଟ୍କୁ ପଞ୍ଜୀକୃତ କରିଛନ୍ତି । ଏହି ୟୁନିଟ୍ଗୁଡ଼ିକ ଡିନେଚର୍ଡ ଏନହାଇଡ୍ରସ୍ ଇଥାନଲ୍ ଯୋଗାଉଛନ୍ତି, ଯାହାକୁ ସିଧାସଳଖ ଇଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ ପ୍ରୋଗ୍ରାମରେ ବ୍ୟବହାର କରାଯାଉଛି ।
ତେଲ କମ୍ପାନୀଗୁଡ଼ିକ କେବଳ ଇଥାନଲ୍ କିଣୁନାହାନ୍ତି, ବରଂ ନିଜେ ମଧ୍ୟ ଉତ୍ପାଦନ କରୁଛନ୍ତି । ଇଣ୍ଡିଆନ୍ ଅଏଲ୍ ଦୈନିକ ୨୨୮ କିଲୋଲିଟର୍ କ୍ଷମତା ଥିବା ବେଳେ ୨୦୨୫-୨୬ (୩୦ ଜୁନ୍ ସୁଦ୍ଧା) ୭୧୨ କିଲୋଲିଟର୍ ଇଥାନଲ୍ ଉତ୍ପାଦନ କରିଛି । ଭାରତ ପେଟ୍ରୋଲିୟମ୍ ଦୈନିକ ୨୦୦ କିଲୋଲିଟର୍ କ୍ଷମତା ଥିବା ବେଳେ ୭୬ କିଲୋଲିଟର୍ ଉତ୍ପାଦନ କରିଛି । ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ବାୟୋଫ୍ୟୁଏଲ୍ସ ଦୈନିକ ୧୨୦ କିଲୋଲିଟର୍ କ୍ଷମତା ଥିବା ବେଳେ ୯,୩୭୩ କିଲୋଲିଟର୍ ଇଥାନଲ୍ ଉତ୍ପାଦନ କରିଛି ।