ମୁମ୍ୱାଇ,୨୫/୧୨: ମା’ ହେବାର ୫ ମାସ ପରେ କାମକୁ ଫେରିଛନ୍ତି କିଆରା ଆଡ଼ଭାନି । ନିକଟରେ ଭୋଗ୍‌ ମ୍ୟାଗାଜିନ୍‌ ପାଇଁ ସେ ଫଟୋସୁଟ୍‌ କରାଇଛନ୍ତି ଏବଂ ସାକ୍ଷାତକାର ବି ଦେଇଛନ୍ତି । ଭୋଗ୍‌ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଆଜିକାଲି ଝିଅ ସରାୟାହର ହସ ଦେଖି ନିଜର ସବୁ ଥକାପଣ ଭୁଲି ଯାଉଛନ୍ତି । ଏହି ମୁହୂର୍ତ୍ତ ଓ ମାତୃତ୍ୱ ତାଙ୍କ ଶରୀର ସହ ତାଙ୍କ ସମ୍ପର୍କକୁ ବଦଳାଇ ଦେଇଛି । ମାତୃତ୍ୱ ତୁଳନାରେ ୧-୨ କିଲୋ ଓଜନ କମାଇବା ଗୁରୁତ୍ୱହୀନ ମନେ ହେଉଛି । କାରଣ ଏହା ହିଁ ତାଙ୍କୁ ନିଜ ଶରୀରର ମହତ୍ୱ ବିଷୟରେ ଶିକ୍ଷା ଦେଇଛି ।

‘ୱାର୍‌-୨’ର ବିକିନି ସିନ୍‌ ବିଷୟରେ କିଆରା କହିଛନ୍ତି, ଫିଲ୍ମରେ ବିକିନି ପିନ୍ଧିବା ଲାଗି ମୁଁ ଖୁବ୍‌ ଅନୁଶାସନ ସହ ତାଲିମ ନେଇଥିଲି । କିନ୍ତୁ ଝିଅ ଜନ୍ମ ଦେବା ପରେ ଫିଲ୍ମ ରିଲିଜ୍‌ ହେଲା ଏବଂ ସେତେବେଳେ ମୋ ଶରୀର ପୂରା ଅଲଗା ଦିଶୁଥିଲା । ମାତୃତ୍ୱ ଲାଭ ପରେ ଓଜନ କମ୍‌ କରିବା କଥା ମୋ ମନକୁ ଆସିଲା । କିନ୍ତୁ ଯେତେବେଳେ ମୁଁ ନିଜ ଶରୀରରୁ ଦେଖେ, ନିଜକୁ ନିଜେ କହେ ଯେ ୱାଃ, ତୁ ଏକ ଶିଶୁକୁ ଜନ୍ମ ଦେଇଛୁ । ଏହାର କୌଣସି ତୁଳନା ହୋଇପାରିବ ନାହିଁ । ଏବେ ମୋ ଶରୀରର ଆକାର ଓ ଓଜନ ଯାହା ହେଲେ ବି ମୁଁ ସର୍ବଦା ମୋ ଶରୀରକୁ ସମ୍ମାନ ଦେବି । ଆପଣଙ୍କୁ ନିଜ ଶରୀରର କ୍ଷମତାକୁ ସମ୍ମାନ ଦେବା ଉଚିତ୍‌ । କିଆରା ଖୁବ୍‌ଶୀଘ୍ର ‘ଟକ୍ସିକ୍‌’ ଜରିଆରେ ବଡ଼ ପରଦାକୁ ଫେରିବେ । ଏଥିରେ ‘କେଜିଏଫ୍‌’ ଷ୍ଟାର୍‌ ୟଶ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।