ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲା କୋର୍ଟ ନ୍ୟାୟ ବ୍ୟବସ୍ଥାର ଏଭଳି ଏକ ସର୍ବୋତ୍ତମ ଉଦାହରଣ ସୃଷ୍ଟି କରିଛି ଯାହା ଅପରାଧୀଙ୍କ ହୃଦୟରେ ଭୟ ସୃଷ୍ଟି କରିଛି। ଜିଲ୍ଲା ଜଜ୍ ଶିକୋହାବାଦର ଯାଦବ କଲୋନୀରେ ଦେଢ଼ ବର୍ଷର ଶିଶୁ ଆରବକୁ ନିର୍ମମ ଭାବରେ ହତ୍ୟା କରିଥିବା କଂସେଇ ବିରାଜ ଓରଫ ଜିତେନ୍ଦ୍ର ପାଠକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ମାମଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋର୍ଟର ଐତିହାସିକ ରାୟ। ଘଟଣାର ମାତ୍ର ୪୦ ଦିନ ମଧ୍ୟରେ ଅଭିଯୁକ୍ତକୁ ମିଳିଛି ମୃତ୍ୟୁ ଦଣ୍ଡାଦେଶ ନେଇ ରାୟ।
ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ, ଫିରୋଜାବାଦ ପୋଲିସ ଅତ୍ୟନ୍ତ ସମ୍ବେଦନଶୀଳତା ଏବଂ ଦ୍ରୁତଗତିରେ କାର୍ଯ୍ୟ କରିଥିଲା। ଘଟଣାର ମାତ୍ର ଛଅ ଦିନ ମଧ୍ୟରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଏବଂ କୋର୍ଟରେ ଉପସ୍ଥାପିତ ଦୃଢ଼ ବୈଜ୍ଞାନିକ ପ୍ରମାଣକୁ ଆଧାର କରି, ଜିଲ୍ଲା ଏବଂ ସେସନ୍ସ ଜଜ୍ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ।
ଦେଢ ବର୍ଷର ଆରବର ହତ୍ୟା ଶିକୋହବାଦର ଯାଦବ କଲୋନୀରେ ହୋଇଥିଲା। ଆରବର ମା’ ରତିଙ୍କ ସମ୍ପର୍କୀୟ ଦିଅର ବିରାଜ ପାଠକ, ଯାହାର ଘର ବଦାୟୁର ଶେଖୁପୁରା ଅଞ୍ଚଳରେ, ସେ ରତିଙ୍କୁ ଏକତରଫା ପ୍ରେମ କରୁଥିଲା। ହେଲେ ରତିଙ୍କର ଛୋଟ ପୁଅଟିଏ ଥିବାରୁ ବିରାଜ ତାକୁ ନିଜର ରାସ୍ତାର କଣ୍ଟା ଭାବିଥିଲା। ତେଣୁ ଆରବକୁ ସେ ତଳେ କଚାଡି କଚାଡି ଅତି ନିର୍ମମ ଭାବରେ ହତ୍ୟା କରିଥିଲା। ପୁରା ଘଟଣା ଗଳି ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।
ଏହି ଭୟଙ୍କର ଘଟଣାଟି ମେ ୩୦ରେ ଶିକୋହାବାଦ ଅଞ୍ଚଳରେ ଘଟିଥିଲା। ପିଙ୍କି ଦେବୀଙ୍କ ଝିଅ ରତି, ବଦାୟୁଁରେ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହ ବିବାଦ ଯୋଗୁଁ ତାଙ୍କ ଦେଢ଼ ବର୍ଷର ପୁଅ ଆରବଙ୍କ ସହିତ ତାଙ୍କ ବାପା-ମାଆଙ୍କ ଘରେ ରହୁଥିଲେ। ମେ ୩୦ରେ ରତି, ଶିକୋହାବାଦର ଯାଦବ କଲୋନୀରେ ତାଙ୍କ ମାଆଙ୍କ ବନ୍ଧୁଙ୍କୁ ଭେଟିବାକୁ ଯାଉଥିଲେ। ସେହି ସମୟରେ ରତିଙ୍କ ପିଉସୀ ଶାଶୁଙ୍କ ପୁଅ ବିରାଜ ଓରଫ ଜିତେନ୍ଦ୍ର ପାଠକ ସେଠାରେ ପହଞ୍ଚିଲା। ଅଭିଯୁକ୍ତ ଜିତେନ୍ଦ୍ର ପୂର୍ବରୁ ରତିଙ୍କୁ ବିବାହ କରିବାକୁ ଚାପ ଦେଉଥିଲେ, କିନ୍ତୁ ସେ ମନା କରିଦେଇଥିଲେ।
ମିଳିଥିବା ସୂଚନା ଅନୁସାରେ, ରତି ନିଜ ସ୍ବାମୀଙ୍କ ବିରୋଧରେ ମାରପିଟ୍ ଏବଂ ଶାରିରୀକ ନିର୍ଯାତନା ନେଇ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ଚାଲିଥିଲା। କୋର୍ଟରେ ଛାଡପତ୍ର ଦେବା କଥା କହି ସହଯୋଗ କରିବା ନାଁରେ ଅଭିଯୁକ୍ତ ରତିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା। ମହିଳା ଜଣକ ନିଜ ପୁଅ ଥିବାରୁ ମନା କରିଦେଇଥିଲେ। ଏହାକୁ ରାଗ ରଖି ଅଭିଯୁକ୍ତ ନିର୍ଦୟତାର ସମସ୍ତ ସୀମା ପାର କରି ଦେଢ଼ ବର୍ଷର ଶିଶୁକୁ ରାସ୍ତା ମଝିରେ ପଥରରେ ଫୋପାଡ଼ି ହତ୍ୟା କରି ପଳାଇ ଯାଇଥିଲା। ପରେ ପୋଲିସ ତାକୁ ଏକ ଏନକାଉଣ୍ଟର ସମୟରେ ଗିରଫ କରିଥିଲା।
ଶୁକ୍ରବାର ଦିନ ଦଣ୍ଡ ଘୋଷଣା ସମୟରେ, କୋର୍ଟ ପରିସର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଜନସାଧାରଣ ଏବଂ ପୀଡିତାଙ୍କ ପରିବାର ଉତ୍ସାହର ସହିତ ରାୟକୁ ଅପେକ୍ଷା କରିଥିଲେ। ଜିଲ୍ଲା ଏବଂ ସେସନ୍ସ ଜଜ୍ ଏହାକୁ ‘ବିରଳରୁ ବିରଳତମ’ ମାମଲା ବୋଲି ବିବେଚନା କରି ହତ୍ୟାକାରୀ ଜିତେନ୍ଦ୍ର ପାଠକକୁ ମୃତ୍ୟୁଦଣ୍ଡ ଦେଇଥିଲେ।