ନୂଆଦିଲ୍ଲୀ,୧୧।୨: ସଂସଦର ବଜେଟ୍ ଅଧିବେଶନ୍ରେ ଲଗାତାର ଜାରି ହଙ୍ଗାମା ଭିତରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କଂଗ୍ରେସ ସାଂସଦଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସଂସଦୀୟ ମାମଲାର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଅତି କମ୍ରେ ୨୦-୨୫ ସାଂସଦ ଲୋକସଭା ବାଚସ୍ପତିଙ୍କ ଚାମ୍ବରରେ ପଶି ଯାଇଥିଲା ଓ ତାଙ୍କୁ ଗାଳି ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କେସି ବେଣୁଗୋପାଳଙ୍କ ସହ ବହୁ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଉପସ୍ଥିତ ଥିଲେ।
ବୁଧବାର ସଂସଦ ପରିସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ରିଜିଜୁ କହିଛନ୍ତି,ବାଚସ୍ପତି ଏଥିରେ ଖୁବ୍ ଆଘାତ ପାଇଛନ୍ତି। ମୁଁ ତାଙ୍କ ସହ କଥା ହୋଇଛି। ବାଚସ୍ପତିଙ୍କ ଚାମ୍ବରକୁ ଯାଇ ଗାଳି ଗୁଲଜ କରିଥିଲେ। ଏହାପରେ ବାଚସ୍ପତି ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ସେ ମାନି ନଥିଲେ। ଏହାପରେ ରାହୁଲ ଗାନ୍ଧି କହୁଛନ୍ତି ଯେ, ତାଙ୍କୁ ସଦନରେ କହିବା ପାଇଁ କାହାର ପରମିଶନ୍ ନେବା ଦରକାର ନାହିଁ,ସେ ନିଜ ଇଛାରେ କହିବେ। ଏହି ସବୁ ରେକର୍ଡରେ ରହିଛି। କିନ୍ତୁ ଗୃହରେ ଚେୟାରର ଅନୁମତି ବିନା କହିପାରିବେନି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବାଚସ୍ପତିଙ୍କ ଚାମ୍ବରରେ ୨୦,୨୫ କଂଗ୍ରେସ ସାଂସଦ ଯେତେବେଳେ ପଶିଥିଲେ, ମୁଁ ମଧ୍ୟ ସେଠିକୁ ଯାଇଥିଲି। ସେ ଯେଉଁ ଗାଳି ଗୁଲଜ କରିଛନ୍ତି ବାଚସ୍ପତିଙ୍କ ସହ ତାହା ମୁଁ ଆପଣଙ୍କୁ କହିପାରିବନି। ବାଚସ୍ପତି ଖୁବ୍ ନରମ ହୃଦୟର ବ୍ୟକ୍ତି। ନଚେତ କଠୋର ପଦକ୍ଷେପ ଉଠାଇ ପାରିଥାନ୍ତେ। ଏହା କୌଣସି ପଦ୍ଧତି ନୁହେଁ। ରିଜିଜୁ କହିଛନ୍ତି,ଯେତେବେଳେ ବାଚସ୍ପତିଙ୍କୁ ଗାଳି ଦିଆଯାଉଥିଲା ସେତେବେଳେ ପ୍ରିୟାଙ୍କା ଗାନ୍ଧୀ ଉପସ୍ଥିତ ଥିଲେ, ବେଳୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ,କଂଗ୍ରେସର ବରିଷ୍ଠ ନେତା ସେଠାରେ ଉପସ୍ଥିତ ଥିଲେ ଓ ଏହାକୁ ପ୍ରୋତ୍ସାହନ ଦେଉଥିଲେ।’
ଏହା ପୂର୍ବରୁ ବିରୋଧି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ ନେଉଥିବା ଆଣୁଥିବା ସମ୍ପର୍କିତ ନୋଟିସ୍ ମଙ୍ଗଳବାର ଲୋକସଭା ମହାସଚିବଙ୍କୁ ଦିଆଯାଇଥିଲା। ଓମ୍ ବିର୍ଲାଙ୍କ ଉପରେ ପକ୍ଷପାତ କରି ଗୃହ ଗୃହ ପରିଚାଳିତ କରିବା,କଂଗ୍ରେସ ସଦସ୍ୟଙ୍କ ଉପରେ ମିଛ ଅଭିଯୋଗ ଲଗାଇବା ଓ ନିଜ ପଦର ଦୁରୁପଯୋଗ କରିବାର ଅଭିଯୋଗ ରହିଛି। ଲୋକସଭା ସଚିବାଳୟ ସୁତ୍ର ଅନୁସାରେ, ବିରୋଧିଙ୍କ ପକ୍ଷରୁ ନୋଟିସ୍ ଦିଆଯିବା ପରେ ଲୋକସଭା ଅଧ୍ୟକ୍ଷ ବିର୍ଲା ନିଷ୍ପତ୍ତି ନେଇଛନ୍ତି ଯେ,ସେ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ଆସନରେ ବସିବେନି। ସେ ଲୋକସଭା ମହାସଚିବ ଉତ୍ପଲ କୁମାର ସିଂହଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ନୋଟିସ୍ ଯାଞ୍ଚ କରି ଉଚିତ କାର୍ଯ୍ୟାନୁଷ୍ଠାନ କରାଯାଉ। ସୁତ୍ର ଅନୁସାରେ,ଏହା ମଧ୍ୟ କୁହାଯାଇଛି ଯେ,ନୋଟିସ୍ ଉପରେ ବିଚାର କରାଯିବ ଓ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମିଳିଥିବା ସୂଚନା ଅନୁସାରେ,ନିମ୍ନ ସଦନରେ କଂଗ୍ରେସର ଉପ ନେତା ଗୌରବ ଗୋଗୋଇ,କଂଗ୍ରେସ ମୁଖ୍ୟ ସଚେତକ କୋଡିକୁନିଲ ସୁରେଶ ଓ ସଚେତକ ମହମ୍ମଦ ଜାଭେଦ ଲୋକସଭା ମହାସଚିବ ଉତ୍ପଲ କୁମାର ସିଂହଙ୍କୁ ଓମ୍ ବିର୍ଲାଙ୍କୁ ପଦରୁ ହଟାଇବା ସମ୍ପର୍କିତ ନୋଟିସ୍ ଦେଇଛନ୍ତି। ନୋଟିସ୍ ଉପରେ କଂଗ୍ରେସ, ସମାଜବାଦୀ ପାର୍ଟି,ଡିଏମ୍କେ ଓ ଅନ୍ୟ ବିରୋଧି ଦଳର ପ୍ରାୟ ୧୨୦ ସାଂସଦଙ୍କୁ ଅଧିକ ସାଂସଦ ହସ୍ତାକ୍ଷର କରିଛନ୍ତି। ତେବେ ଟିଏମ୍ସି ସାଂସଦ ଏହି ନୋଟିସ୍ ଉପରେ ସାକ୍ଷର କରି ନାହାନ୍ତି।