ନୂଆଦିଲ୍ଲୀ: ପୁଣି ବିଜୟକୁ ଫେରିଲା କୋଲକାତା । ଗୁଜୁରାଟକୁ ୨୯ ରନରେ କଲା ପରାସ୍ତ । ୨୪୮ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଗୁଜୁରାଟ ୪ ଓ୍ବିକେଟ ବିନିମୟରେ ୨୧୮ ରନ କରିବାରେ ସକ୍ଷମ ହୋଇଛି । କୋଲକାତା ପକ୍ଷରୁ ନାରାୟଣ ୨ଟି ଓ୍ବିକେଟ ନେଇଛନ୍ତି । ଏହାସହ ସୌରଭ ଦୁବେ ଏବଂ ଗ୍ରୀନ୍ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ବାକି ବୋଲର ଆଜିର ମ୍ୟାଚରେ ଓ୍ବିକେଟ ଲେସ ଯାଇଛନ୍ତି । ସାଇ ସୁଦର୍ଶନ ଶେଷ ପର୍ଯ୍ୟନ୍ତ ଦଳକୁ ବିଜୟ କରାଇବାକୁ ପ୍ରୟାସ କରିଥିଲେ । ସେ ୨୮ ବଲରୁ ୫୩ ରନ କରିବାରେ ସକ୍ଷମ ହୋଇଛନ୍ତି ।

୨୪୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରିଥିଲା ଗୁଜୁରାଟ । ଆରମ୍ଭରୁ ସାଇ ସୁଦର୍ଶନ ଏବଂ ଗିଲ ବଡ଼ ବଡ଼ ସଟ୍ ଖେଳିଥିଲେ । ସୁଦର୍ଶନ ରିଟାର୍ଡହଟ ହୋଇ ପାଭିଲିୟନ ଫେରିଥିଲେ । ମାତ୍ର ଗିଲ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଗିଲ୍ ୮୫ ରନ କରି ନାରାୟଣଙ୍କ ବଲରେ ଆଉଟ୍ ହୋଇଥିଲେ । ତେବେ ସିନ୍ଧୁ ମାତ୍ର ୧ ରନ କରି ପାଭିଲିୟନ ଫେରିଥିଲେ । ପରେ ବଟଲର ୩୫ ବଲରୁ ୫୭ ରନ କରିଥିଲେ ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୨ ଓ୍ବିକେଟରେ ୨୪୭ ରନର ବିଶାଳ ସ୍କୋର କରିଥିଲା । ଦଳ ପକ୍ଷରୁ ଫିନ୍ ଆଲେନ, ରଘୁବଂଶୀ ଏବଂ ଗ୍ରୀନ ଖେଳିଲେ ଅର୍ଦ୍ଧଶତକୀୟ ପାଳି ।

ଦଳର ଓପନର ବ୍ୟାଟ୍ସମ୍ୟାନ ଫିନ୍ ଆଲେନ ଆରମ୍ଭକୁ ଗୁଜଜୁରାଟ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ଯଦିଓ ରାହାଣେ ୧୪ ରନ କରି ଆଉଟ୍ ହୋଇଥିଲେ କିନ୍ତୁ ଆଲେନଙ୍କ ବ୍ୟାଟ୍ ଅଟକି ନଥିଲା । ସେ ୩୫ ବଲରୁ ୯୩ ରନ କରିଥିଲେ । ଯେଉଁଥିରେ ୧୦ ଛକା ଏବଂ ୪ ଚୌକା ରହିଥିଲା ।

ଏହାପରେ ରଘୁବଂଶୀ ଏବଂ ଗ୍ରୀନ ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ରଘୁବଂଶୀ ୪୪ ବଲରୁ ୮୨ ରନ କରିଥିବାବେଳେ ଗ୍ରୀନ ୨୮ ବଲରୁ ୫୨ ରନ କରିଥିଲେ । ସେପଟେ ଗୁଜୁରାଟ ପକ୍ଷରୁ ସିରାଜ ଏବଂ ସାଇକିଶୋର ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।

ଏହାସହ ପଢ଼ନ୍ତୁ : ପେଟ୍ରୋଲ-ଡିଜେଲ ପରେ ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ