ଶ୍ରୀଜଗନ୍ନାଥ ସଂସ୍କୃତିର ବେଢ଼ା ପରିକ୍ରମା କରିବାକୁ ବାହାରିଲେ ପ୍ରଥମେ ନୀଳମାଧବଙ୍କୁ ଦର୍ଶନ କରି ଆଗକୁ ବଢ଼ିବାକୁ ହୁଏ । ନୀଳମାଧବଙ୍କୁ ଜଗନ୍ନାଥଙ୍କର ଆଦିରୂପ ଭାବେ ପ୍ରାୟ ସମସ୍ତ ଐତିହାସିକ ଓ ଗବେଷକମାନେ ମାନି ନେଇଛନ୍ତି । ସଂସ୍କୃତ ଓ ଓଡ଼ିଆ ପୁରାଣ ସାହିତ୍ୟମାନଙ୍କରେ ନୀଳମାଧବଙ୍କ ଉପାଖ୍ୟାନ ତଥା କିମ୍ବଦନ୍ତୀମାନ ଅତି ରୋଚକ ଭାବରେ ସ୍ଥାନ ପାଇଛି । ସ୍ଥଳପୁରାଣ ଓ ଅଷ୍ଟାଦଶପୁରାଣ ମଧ୍ୟରେ ଅନ୍ୟତମ ସ୍କନ୍ଦପୁରାଣର ବର୍ଣ୍ଣନା ପ୍ରସଙ୍ଗରୁ ଆମେ ଜାଣୁ ଯେ, ଶ୍ରୀପୁରୁଷୋତ୍ତମ କ୍ଷେତ୍ରର କେନ୍ଦ୍ରସ୍ଥଳରେ ଥିବା ନୀଳଗିରି ଓ ରୋହିଣୀକୁଣ୍ଡର ଠିକ୍‌ ପୂର୍ବ ଦିଗରେ ନୀଳମାଧବ ଓ କଳ୍ପବଟ ବିରାଜମାନ କରିଥିଲେ । ନୀଳମାଧବଙ୍କ ମୂର୍ତ୍ତି ଇନ୍ଦ୍ରନୀଳମଣି ରତ୍ନରେ ଗଢ଼ା ହୋଇଥିଲେ । ସେ ଥିଲେ ଚତୁର୍ଭୁଜୀ ଓ ତାଙ୍କୁ ଶବରରାଜ ବିଶ୍ୱାବସୁ ନିଜ କୁଳରୀତି ଅନୁସାରେ ପୂଜା କରୁଥିଲେ । ନୀଳମାଧବ ଆଖ୍ୟାନ ସହିତ ରାଜା ଇନ୍ଦ୍ରଦ୍ୟୁମ୍ନ ନିବିଡ଼ ଭାବେ ଜଡ଼ିତ ।

ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ପ୍ରଥମେ ବ୍ରାହ୍ମଣ ବିଦ୍ୟାପତି ନାରାୟଣ(ବିଷ୍ଣୁ) ଙ୍କୁ ଖୋଜିବାକୁ ଯାଇ ଶବର ରାଜ୍ୟରେ ପର୍ବତଗୁମ୍ଫା ମଧ୍ୟରେ ପୂଜା ପାଉଥିବା ନୀଳମାଧବଙ୍କ ମୂର୍ତ୍ତିକୁ ଦର୍ଶନ କରିଥିଲେ । (ଶବରରାଜ ବିଶ୍ୱାବସୁଙ୍କ କନ୍ୟା ସାହାଯ୍ୟରେ) ବିଦ୍ୟାପତିଙ୍କ ଠାରୁ ଦିଅଁଙ୍କ ଠିକଣା ପାଇବା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶବର ରାଜ୍ୟରେ ପହଞ୍ଚିବା ପୂର୍ବରୁ ସ୍ୱୟଂ ନୀଳମାଧବ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ନୀଳମାଧବଙ୍କ ଦର୍ଶନ ନପାଇ ଭକ୍ତ ଇନ୍ଦ୍ରଦ୍ୟୁମ୍ନ ଅତ୍ୟନ୍ତ ଦୁଃଖରେ ମର୍ମାହତ ହୋଇପଡ଼ିବାରୁ ତାଙ୍କୁ ଶୂନ୍ୟବାଣୀ ହେଲା ଯେ "ନୀଳମାଧବ ଏବେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ହେଁ କିଛିଦିନ ପରେ ପୁଣି ଆବିର୍ଭାବ ହୋଇ ଶ୍ରୀକ୍ଷେତ୍ରରେ ଦାରୁବ୍ରହ୍ମ ରୂପରେ ପୂଜା ପାଇବେ' ।

କିମ୍ବଦନ୍ତୀ ଅନୁସାରେ, ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା ନିମନ୍ତେ ବ୍ରହ୍ମାଙ୍କୁ ବରଣ କରିବାକୁ ଯାଇଥିବା ସମୟରେ ବହୁକାଳ ବିତିଯିବାରୁ ତାଙ୍କଦ୍ୱାରା ନିର୍ମିତ ଦେଉଳ ବାଲିରେ ପୋତି ହୋଇଯାଇଥିଲା । କାଳକ୍ରମେ ରାଜା ଗାଲମାଧବ ସେହି ମନ୍ଦିରକୁ ବାଲି ମଧ୍ୟରୁ ପୁନରୁଦ୍ଧାର କରିଥିଲେ । ଗାଲମାଧବଙ୍କ ସମୟରେ ନୀଳମାଧବ ମୂର୍ତ୍ତି ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ ପୂଜା ପାଉଥିବାର ଜନଶ୍ରୁତି ମଧ୍ୟ ରହିଛି । କିନ୍ତୁ ଜଗନ୍ନାଥ ସଂସ୍କୃତିର ପ୍ରସିଦ୍ଧ ଗବେଷକ ପ୍ରଫେସର ଡକ୍ଟର ବଂଶୀଧର ମହାନ୍ତିଙ୍କ ମତରେ ନୀଳମାଧବ ମୂର୍ତ୍ତି ଗାଲମାଧବଙ୍କ ଦ୍ୱାରା ବାଲି ମଧ୍ୟରୁ ଉଦ୍ଧାର ପାଇ ପୁଣିଥରେ ପୂଜା ପାଇବା ବିଷୟ କୌଣସି ସଂସ୍କୃତ ବା ଓଡ଼ିଆ ପୁରାଣରେ ଉଲ୍ଲେଖ ହୋଇନାହିଁ । ଡକ୍ଟର ମହାନ୍ତି ବ୍ରହ୍ମପୁରାଣରୁ ଉଦ୍ଧାର କରି ତାଙ୍କ ଆଲୋଚନାରେ କହିଛନ୍ତି ଯେ, ପ୍ରଥମେ ଯେଉଁ ନୀଳମାଧବ ମୂର୍ତ୍ତି ଶ୍ରୀକ୍ଷେତ୍ରରେ ପୂଜିତ ହେଉଥିଲେ ତାଙ୍କୁ ଯମଙ୍କ ଅନୁରୋଧରେ ଭଗବାନ ଲୁଚାଇ ଦେଇଥିଲେ । କେତେକଙ୍କ ମତରେ, ଓଡ଼ିଶାରେ ମାଧବ ଉପାସନାର ପରମ୍ପରା ବହୁ ପ୍ରାଚୀନ । ବୈଷ୍ଣବ ମତରେ ମୂର୍ତ୍ତିତତ୍ତ୍ୱ ଅନୁସାରେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଚତୁର୍ଭୁଜ ବିଷ୍ଣୁମୂର୍ତ୍ତି ହେଉଛନ୍ତି ମାଧବ । ମାଧବ ହିଁ ବିଷ୍ଣୁ, ନାରାୟଣ ଓ କୃଷ୍ଣ ନାମରେ ଖ୍ୟାତ । ପ୍ରାୟ ଖ୍ରୀ. ୪ର୍ଥ-୫ମ ଶତାବ୍ଦୀରୁ ଓଡ଼ିଶାରେ ବିଷ୍ଣୁ ମାଧବ ନାମରେ ଉପାସିତ ହେଉଥିବାର ପ୍ରମାଣ ପ୍ରାଚୀନଦୀ ତଟର ପୁରାତନ ଐତିହ୍ୟରୁ ପ୍ରମାଣିତ ହୋଇଥାଏ ।

ଗବେଷକଙ୍କ ମତରେ, ନୀଳମାଧବ ଶ୍ରୀଜଗନ୍ନାଥଙ୍କର ଅନ୍ୟ ଏକ ନାମ । ଜଗନ୍ନାଥ ହେଉଛନ୍ତି ବିଷ୍ଣୁଙ୍କର ଅବତାର । ବିଷ୍ଣୁଙ୍କର ବର୍ଣ୍ଣ ହେଉଛି ନୀଳବର୍ଣ୍ଣ, ତେଣୁ ନୀଳ ଅର୍ଥାତ୍‌ କୃଷ୍ଣବର୍ଣ୍ଣର ମାଧବ ହେଉଛନ୍ତି ଜଗନ୍ନାଥ । ବ୍ରହ୍ମପୁରାଣ ମତରେ ଇନ୍ଦ୍ରନୀଳମଣି ବା ନୀଳବର୍ଣ୍ଣର ଶିଳାରେ ନିର୍ମିତ ମାଧବ ବିଗ୍ରହ ହେଉଛନ୍ତି ନୀଳମାଧବ । ଜଗନ୍ନାଥ ସଂସ୍କୃତିର ଦାର୍ଶନିକ ପୃଷ୍ଠଭୂମି ଶବର ସଂସ୍କୃତି କୋଳରେ ବିକାଶ ଲାଭ କରିଥିଲା । ଆଦି ପର୍ଯ୍ୟାୟରେ ଶବର ସଂସ୍କୃତିରେ ପ୍ରଚଳିତ ଥିବା ସିନ୍ଧିବର ଉପାସନା ପିତୃପୂଜା ଉପରେ ଆଧାରିତ ଥିଲା । ମେଗାଲିଥ ବା ସିନ୍ଧିବର ନିର୍ମାତାମାନେ ଦୁଇଟି କାରଣରୁ ଏସବୁ ତିଆରି କରୁଥିଲେ । ପ୍ରଥମତଃ- ମୃତ ପୂର୍ବପୁରୁଷଙ୍କ ସ୍ମୃତି ପାଇଁ ଓ ଦ୍ୱିତୀୟତଃସେମାନଙ୍କର ଦେବଦେବୀଙ୍କର ଉପାସନା ପାଇଁ । ଏହି ପରମ୍ପରାରୁ ଶାବର ସଂସ୍କୃତିରେ ଦୈବୀ ବିଶ୍ୱାସ ଓ ଉପାସନା ବିଧିର ଶୁଭାରମ୍ଭ ହୋଇଥିବାର ଗବେଷକମାନେ କହନ୍ତି । ଶ୍ରୀକୃଷ୍ଣଙ୍କ ଅପୋଡ଼ା ପିଣ୍ଡ- ଅବଶେଷକୁ ଜାରା ଶବରମାନେ କୁଳଦେବତା ନୀଳମାଧବ ରୂପରେ ପର୍ବତଗୁମ୍ଫା ଭିତରେ ପୂଜା କରିବା ମୂଳରେ ଏହି ତତ୍ତ୍ୱର ସଙ୍କେତ ନିହିତ । ସନାତନ ଧର୍ମରେ ବିଷ୍ଣୁଙ୍କର ଦଶ ଅବତାର ପରିକଳ୍ପନାର ବହୁପୂର୍ବରୁ ଆଦିମ ଅଧିବାସୀ ସମାଜରେ ଶବରମାନେ ବିଷ୍ଣୁଙ୍କର ଦଶବିଧ ରୂପ କଳ୍ପନା କରିସାରିଥିଲେ । ଏହି ଦଶବିଧ ରୂପ ଭିତରେ ପ୍ରଥମ ଜଗନ୍ତଙ୍କୁ ବିଶ୍ୱବ୍ୟାପୀ ଦେବତା ଭାବରେ ଗ୍ରହଣ କରିଥିଲେ । ଶବର ସଂସ୍କୃତିରେ ଜଗନ୍ତ ଉପାସନାର ଉନ୍ମେଷ ଘଟିବା ନୃତାତ୍ତ୍ୱିକ, ସାଂସ୍କୃତିକ ଓ ଧାର୍ମିକ ବିବର୍ତ୍ତନର ପୃଷ୍ଠଭୂମିରେ ବେଶ୍‌ ଉଲ୍ଲେଖନୀୟ ଘଟଣା । ଏହା ହିଁ ପରବର୍ତ୍ତୀ କାଳରେ ଜଗନ୍ନାଥ ସଂସ୍କୃତିକୁ ଜନ୍ମ ଦେଇଥିଲା । ଜଗନ୍ତ ଜଗତର ଅନ୍ତ ବା ସାରତତ୍ତ୍ୱ ଭାବରେ ବିବେଚିତ ହେଲେ । ଏଥିରେ ଶବର ସଂସ୍କୃତିର ତିନୋଟି ତତ୍ତ୍ୱ ସନ୍ନିହିତ ହୋଇ ରହିଲା । ତାହା ହେଉଛି– ନୀଳ=ଆଦିଜଗନ୍ତ, ମା=ଶକ୍ତି ଓ ଧବ=ଧବଳେଶ୍ୱର ଶିବ ବା ରୁଦ୍ର ।

ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ତରୁ ରୂପାନ୍ତରିତ ନୀଳମାଧବ ବୈଷ୍ଣବୀୟ ପ୍ରଭାବ ଫଳରେ ନୀଳମାଧବ ବିଷ୍ଣୁ ବା ଜଗନ୍ନାଥ ରୂପେ ପରିଗୃହୀତ ହେଲେ । ଏବେ ମଧ୍ୟ ଜଗନ୍ନାଥ (ନୀଳ) ବିଷ୍ଣୁ, ସୁଭଦ୍ରା (ମା) ଶକ୍ତି ଓ ବଳରାମ (ଧବ) ରୁଦ୍ର ବୋଲାଉଛନ୍ତି । ଅଧିକନ୍ତୁ ଜଗନ୍ତ=ଜଗନ୍ନାଥ ଜଗତର ଅନ୍ତ ବା ସାରତତ୍ତ୍ୱ ରୂପେ ଭୈରବ ବୋଲାଉଛନ୍ତି । ମହାଭାରତରେ ନୀଳମାଧବଙ୍କୁ ମୌନ, ଧ୍ୟାନ ଓ ଯୋଗର (ଠିକ୍‌ ଜଗନ୍ନାଥଙ୍କ ପରି) ଦେବତା ଭାବରେ ଗ୍ରହଣ କରାଯାଇଛି । ନୀଳମାଧବ ଉପାସନାରେ ଶବର ସଂସ୍କୃତିର ସୂକ୍ଷ୍ମ ଚିନ୍ତାଧାରା ପ୍ରତିଫଳିତ । କଣ୍ଟିଲୋ ନୀଳମାଧବ ମନ୍ଦିରର ଅନତି ଦୂରରେ ସର୍ବପ୍ରଥମେ ବିଶ୍ୱାବସୁ ବ୍ୟାଘ୍ରଗୁମ୍ଫା ମଧ୍ୟରେ ନୀଳମାଧବଙ୍କୁ ପୂଜା କରୁଥିଲା । ଶକ୍ତିସଙ୍ଗମ ତନ୍ତ୍ରରେ କଣ୍ଟକବର୍ତ୍ତିନୀ ଠାରୁ (କଣ୍ଟିଲୋ?) ପୁରୁଷୋତ୍ତମ କ୍ଷେତ୍ର ପର୍ଯ୍ୟନ୍ତ ବନାଞ୍ଚଳକୁ ଜଗନ୍ନାଥ ବନ ବୋଲି ବର୍ଣ୍ଣନା କରାଯାଇଛି । ସମ୍ଭବତଃ ଏହି ଅଞ୍ଚଳରେ ହିଁ ନୀଳମାଧବ ଜଗନ୍ନାଥ ରୂପରେ ରୂପାନ୍ତରିତ ହୋଇଥିଲେ । ଶକ୍ତିସଙ୍ଗମ ତନ୍ତ୍ରରେ ଜଗତର ଅନ୍ତକାଳରେ ସମସ୍ତ ଜୀବ ଜଗନ୍ନାଥଙ୍କର ଦେହରେ ଲୀନ ହୋଇଥାନ୍ତି ବୋଲି କୁହାଯାଇଛି । ଏହି ଦୃଷ୍ଟିରୁ ଜଗନ୍ତ ଓ ଜଗନ୍ନାଥ ସମପର୍ଯ୍ୟାୟବାଚୀ ଶବ୍ଦ । ପଣ୍ଡିତ ନୀଳକଣ୍ଠ ଦାସ ନୀଳମାଧବ ଶବ୍ଦକୁ ବ୍ୟୁତ୍ପତ୍ତି କଲାବେଳେ ନୀଳ ଶବ୍ଦକୁ ତନ୍ତ୍ରବିଦ୍ୟା, ମା’ ଶବ୍ଦକୁ ମାତୃଦେବୀ ଓ ଧବ ଶବ୍ଦକୁ ବିରାଟ ପୁରୁଷ ସହିତ ପରିଚିତ କରାଇଛନ୍ତି । ତାଙ୍କ ମତରେ ନୀଳମାଧବ ଏକ ତନ୍ତ୍ରଦେବତା । ଏହି ଦେବତାଙ୍କର ଉପାସନାରେ ବା ତନ୍ତ୍ରପ୍ରୟୋଗ ମାଧ୍ୟମରେ ସମଗ୍ର ପ୍ରକୃତି ଓ ପୁରୁଷର ମିଳନ ସମ୍ଭବ ହୋଇଥାଏ । ଅବଶ୍ୟ ଶାବ୍ଦିକ ବିଶ୍ଳେଷଣ ଦୃଷ୍ଟିକୋଣରୁ ଏହି ଅର୍ଥ ତାତ୍ପର୍ଯ୍ୟର ସମ୍ଭାବନା ସୁସ୍ପଷ୍ଟ ହେଲେହେଁ, ଐତିହାସିକ ବିବର୍ତ୍ତନ ଦୃଷ୍ଟିରୁ ଏହାକୁ ଗ୍ରହଣ କରିବାରେ ଦ୍ୱିଧା ରହୁଛି, ଯାହା ଏକ ସ୍ୱତନ୍ତ୍ର ଆଲୋଚନାର ବିଷୟ ।

ଶବର, ବୌଦ୍ଧ ଓ ବୈଷ୍ଣବ ସଂସ୍କୃତିର ପାରସ୍ପରିକ କ୍ରିୟାଶୀଳତା ଭିତରେ ନୀଳମାଧବ ରୂପରେ ଜଗନ୍ତ ପ୍ରତିଷ୍ଠା ଲାଭ କରିଥିଲେ । ଚକ୍ରସମ୍ବର ତନ୍ତ୍ରରେ ନୀଳମାଧବଙ୍କୁ ବୁଦ୍ଧଙ୍କର ଏକ ଶକ୍ତିମୟ ରୂପ ଭାବରେ ଗ୍ରହଣ କରାଯାଇଛି । ଏହି ନୀଳମାଧବ ବୌଦ୍ଧ ସଂସ୍କୃତିରେ ପଞ୍ଚଧ୍ୟାନୀ ବୁଦ୍ଧରୂପରେ ଆବିର୍ଭାବ ହୋଇ ସାରାଜଗତକୁ କ୍ଳେଶମୁକ୍ତ କରିଥାନ୍ତି । ଏଣୁ ଶବର ସଂସ୍କୃତିର ନୀଳମାଧବ, ବୌଦ୍ଧ ସଂସ୍କୃତିର ନୀଳମାଧବ ଓ ଭାଗବତ ଧର୍ମର ନୀଳମାଧବଙ୍କ ଭିତରେ ବିଚିତ୍ର ସାମ୍ୟ ପରିଲକ୍ଷିତ ହୋଇଥାଏ । ଏହି ସାମ୍ୟର ପୃଷ୍ଠଭୂମିରେ ଭାରତୀୟ ଚେତନାର ମୂଳ ଆଦର୍ଶ ପ୍ରଚ୍ଛନ୍ନ ଥିବାର ଜଣାପଡ଼େ । ପ୍ରାଚୀନ ବୈଦିକ ଋଷିମାନେ ସମସ୍ତ ଦେବଦେବୀଙ୍କ ଭିତରେ ଏକମାତ୍ର ସତ୍ୟର ଉପଲବ୍‌ଧି କରିଥିଲେ । ସେମାନଙ୍କ ମତରେ ଚରମ ଓ ପରମ ସତ୍ୟ ଏକରୁ ଦୁଇ ହୋଇନପାରେ । ଏହି ସତ୍ୟ ବିଭିନ୍ନ ମନୀଷୀଙ୍କ ଦ୍ୱାରା ବହୁଭାବରେ ବ୍ୟାଖ୍ୟାୟିତ ହୋଇଥିଲେ ହେଁ, ପରମାର୍ଥିକ ଦୃଷ୍ଟିରୁ ଏହାର ନିର୍ଯ୍ୟାସ ଏକ ଓ ଅଭିନ୍ନ । ଶବର ନୀଳମାଧବ ସର୍ବବ୍ୟାପୀ ଜୀବାତ୍ମାର ଏକାତ୍ମତାକୁ ଜଗନ୍ତ ରୂପରେ ପ୍ରତିପାଦନ କଲାବେଳେ, ବୌଦ୍ଧତନ୍ତ୍ରର ନୀଳମାଧବ ସର୍ବଶକ୍ତିମୟ ବୁଦ୍ଧତ୍ୱର ଅର୍ଥ ପ୍ରକାଶ କରେ ଓ ବୈଷ୍ଣବ ନୀଳମାଧବ ବିଷ୍ଣୁଙ୍କର ସର୍ବଶକ୍ତିମୟ ଓ ସର୍ବଜନ ପରିପାବନ ତତ୍ତ୍ୱର ଘୋଷଣା କରିଥାଏ । ଏହି ତିନି ନିର୍ଦ୍ଦିଷ୍ଟ ନୀଳମାଧବୀୟ ସଂଜ୍ଞାରେ ବାହ୍ୟତଃ କିଛି କିଛି ପାର୍ଥକ୍ୟ ପରିଲକ୍ଷିତ ହେଲେ ହେଁ, ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହାର ସମାନତା ସ୍ପଷ୍ଟ ଭାବରେ ପରିଲକ୍ଷିତ ହୋଇଥାଏ । ସମ୍ଭବତଃ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ନୀଳମାଧବ ଭାଗବତ ଧର୍ମ ମାଧ୍ୟମରେ ବିକାଶ ଲାଭ କରି କାଳକ୍ରମେ ଭାଗବତ ଧର୍ମର ଚତୁର୍ଭୁଜ ତତ୍ତ୍ୱ ସହିତ ସଂପର୍କିତ ହେଲେ । ଭୌମକର ଯୁଗରେ ଏହି ଚତୁର୍ଭୁଜ ତତ୍ତ୍ୱରୁ ଜଗନ୍ନାଥ ସଂସ୍କୃତିର ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପରିକଳ୍ପନା କରାଗଲା । ଐତିହାସିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ, ପ୍ରଥମ ଶୁଭାକର ଦେବଙ୍କ ରାଜତ୍ୱ କାଳରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରାଯାଇ ଜଗନ୍ନାଥଙ୍କୁ ପୁରୁଷୋତ୍ତମ ରୂପରେ ପରିକଳ୍ପନା କରାଗଲା । ଶୁଭାକର ଦେବ(୧) ଙ୍କ ତାମ୍ରଶାସନଗୁଡ଼ିକରେ ତାଙ୍କୁ ପୁରୁଷୋତ୍ତମ ବୋଲି ଆଖ୍ୟାୟିତ କରାଯାଇଛି ।

​​​​​​​