କୋରାପୁଟ,୦୭/୦୬: ରୋଗୀଙ୍କୁ ଦିଆଯାଉଛି ମୂଷା କଟା ସାଲାଇନ୍ । ବିରୋଧ କଲେ ଓଲଟା ରୋଗୀ ଓ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରାଯାଉଛି । ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କୁନ୍ଦୁରା ବ୍ଲକ୍ ଆସନା ପଞ୍ଚାୟତ କାଟ୍ରିଗୁଡ଼ା ଗାଁର ଧନସାଇ ମାଣ୍ଡି ଓ ତାଙ୍କ ସ୍ତ୍ରୀ ବାସନ୍ତୀ(୩୮) । ଶେଷରେ ପତ୍ନୀଙ୍କ ଚିକିତ୍ସା ନକରାଇ ଘରକୁ ଫେରାଇ ନେଇଥିବା ଧନସାଇ ଅଭିଯୋଗ କରିଛନ୍ତି ।
ଧନସାଇଙ୍କ କହିବାନୁଯାୟୀ, ଗତ ମଇ ୨୯ ତାରିଖରେ ତାଙ୍କ ପତ୍ନୀ ବାସନ୍ତୀ ଡାଇବେଡିଜ୍ରେ ପୀଡି଼ତ ହୋଇ ଅଚେତ ହୋଇପଡ଼ିଥିଲେ । ପ୍ରଥମେ ତାଙ୍କୁ ଜୟପୁରରେ ଥିବା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅକ୍ସିଜେନ୍ ଦେଇ ଆମ୍ବୁଲାନ୍ସରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ଆଉ ଦିନେ ୨ଦିନ ଭିତରେ ସେ ଡିସ୍ଚାର୍ଜ ହୋଇ ଘରକୁ ଫେରିଥାନ୍ତେ । ହେଲେ ଗତ ୫ ତାରିଖରେ ତାଙ୍କ ପତ୍ନୀଙ୍କୁ ସାଲାଇନ୍ ଦେବାକୁ ଆସିଥିଲେ ଜଣେ ନର୍ସ ।
ଦୁଃଖର ବିଷୟ, ସାଲାଇନ୍ଟିକୁ ମୂଷା କାଟି ଦେଇଥିଲା । ବେଡ୍ର ରଖାଯାଇଥିବା ବେଳେ ଡ୍ରପ୍ ଡ୍ରପ୍ ହୋଇ ଔଷଧୀୟ ପାଣି ପଡୁଥିଲା । ଏହା ଦେଖି ସେ ମୂଷା କଟା ସାଲାଇନ୍କୁ ବଦଳାଇବା ପାଇଁ ନର୍ସଙ୍କୁ ଅନୁରୋଧ କରିଥିଲେ । ତାଙ୍କ କଥା ଶୁଣି ନର୍ସଜଣଙ୍କ ଉତ୍ତ୍ୟକ୍ତ ହୋଇ ନୂଆ ସାଲାଇନ୍ ନଦେଇ ଫେରିଯାଇଥିଲେ । ଡାକ୍ତରଙ୍କ ପରିଦର୍ଶନ ବେଳେ ଏ ବିଷୟରେ ଜଣାଇଥିଲେ । ଡାକ୍ତର ମଧ୍ୟ ତାଙ୍କ କଥା ଶୁଣିବା ବଦଳରେ ଓଲଟା ବିଗିଡି଼ଥିଲେ । ଉତ୍ତ୍ୟକ୍ତ ହୋଇ କହିଥିଲେ, ତମେ ରୋଗୀକୁ ସେବା କରିବାକୁ ଆଣିନ, ତମର ବୁଝିବାର ଶକ୍ତି ନାହିଁ । ବ୍ରହ୍ମପୁରକୁ ସ୍ଥାନାନ୍ତର କରିଦେବି, ନେଇଯାଅ ବୋଲି ଉତ୍ତ୍ୟକ୍ତ ହୋଇ କହିଥିଲେ । ଆଉ ଦିନକର ଚିକିତ୍ସା ବାକି ଥିଲେ ବି ଡାକ୍ତର ଓ ନର୍ସଙ୍କ ଦୁର୍ବ୍ୟବହାରରେ ଅତିଷ୍ଟ ହୋଇ ପତ୍ନୀଙ୍କୁ ନେଇ ଘରକୁ ଫେରିଯାଇଥିଲେ ।
କେବଳ ଧନସାଇ କି ବାସନ୍ତୀ ନୁହନ୍ତି, ତାଙ୍କ ଭଳି ଅନ୍ୟ ରୋଗୀ ଓ ସମ୍ପର୍କୀୟମାନେ ବି ମେଡିକାଲ୍ କର୍ମଚାରୀଙ୍କ ଅଶାଳୀନ ବ୍ୟବହାରର ଶିକାର ହେଉଛନ୍ତି । ଯଦି କେହି ବିରୋଧ କଲେ ଅଯଥାରେ ହଇରାଣ କରାଯାଉଛି । ଯାହାଫଳରେ ଭୟଭୀତ ହୋଇ ଚିକିତ୍ସା କରାଇବା ବଦଳରେ ରୋଗୀଙ୍କୁ ନେଇ ସମ୍ପର୍କୀୟମାନେ ଘରକୁ ଫେରିଯାଉଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଏ ସମ୍ପର୍କରେ ପଚାରିବାକୁ ମେଡିକାଲ୍ ସୁପରିଣ୍ଟେଣ୍ଡାଣ୍ଟ ସୁଶାନ୍ତ କୁମାର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲା । ଫୋନ୍ ନଲାଗିବାରୁ ତାଙ୍କ ମତାମତ ମିଳିପାରିନାହିଁ ।
ଅଧିକ ପଢ଼ନ୍ତୁ :- Cancer breakthroughs: ପାନକ୍ରିଏଟିକ୍ କ୍ୟାନ୍ସର ଚିକିତ୍ସାରେ ଚମତ୍କାର Daraxonrasib, ୨ ଗୁଣା ବଢିଯିବ ରୋଗୀଙ୍କ ଆୟୁଷ