ଧର୍ମଶାଳା, ୧୬।୩ : ଧର୍ମଶାଳା ଥାନା ଚୋରମୁହାଁ ପଞ୍ଚାୟତ ନାଉପାଳ ଗ୍ରାମର କୃଷ୍ଣ ଚନ୍ଦ୍ର ବିଶ୍ୱାଳ(୭୩ ବର୍ଷ)। ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ଗତ ୯ ତାରିଖରେ କଟକ ବଡ଼ ମେଡିକାଲରେ ଆଡମିଟ୍ ହୋଇଥିଲେ। ୧୨ ତାରିଖରେ ଅପରେସନ ପରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ସୁସ୍ଥ ହୋଇ ଆସୁଥିଲେ। ଆଜି ଆଇସିୟୁରୁ ଡିସଚାର୍ଜ ହୋଇ ବେଡ୍ କୁ ସ୍ଥାନାନ୍ତର ହୋଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା ଅଲଗା। ଜୀବନ ନେଇଗଲା ଡାକ୍ତରଖାନା ନିଆଁ। 

ରବିବାର ରାତି ପ୍ରାୟ ସାଢ଼େ ୨ଟା ବେଳେ କଟକ ବଡ଼ ମେଡିକାଲର ଟ୍ରମା କେୟାର ସେଣ୍ଟର ଆଇସିୟୁରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ କୃଷ୍ଣଚନ୍ଦ୍ରଙ୍କ ଜୀବନ ଚାଲି ଯାଇଛି। ଏ ସମ୍ପର୍କରେ ତାଙ୍କ ପୁଅ ପରମାନନ୍ଦ ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଅଗ୍ନିକାଣ୍ଡ ଘଟିବା ସମୟରେ ମୁଁ ଆଇସିୟୁ ୱାର୍ଡ ବାହାରେ ଥିଲି। ନିଆଁ ଦେଖି ଆମକୁ ସୁରକ୍ଷାକର୍ମୀ ତୁରନ୍ତ ସ୍ଥାନ ଛାଡି ଚାଲିଯିବା ପାଇଁ କହିଥିଲେ। ଆମେ ଭୟରେ ବାହାରକୁ ଚାଲି ଆସିଲୁ। ବାପା ବି ସେ ସମୟରେ ଆସି ପାରିଥାନ୍ତେ। କାରଣ ସେ ଚାଲି ପାରୁଥିଲେ। କିନ୍ତୁ ଆମକୁ ଭିତରକୁ ଯିବା ପାଇଁ ଅନୁମତି ଦେଲେନି। ଲୋକମାନେ ଦୌଡା ଦୌଡି କରୁଥିଲେ। ତା ପରେ ବହୁ ଖୋଜା ଖୋଜି କରିଥିଲୁ। ହେଲେ ତାଙ୍କ ପତ୍ତା ମିଳି ନଥିଲା। ଆଜି ସକାଳ ୭ ଟା ବେଳେ ଆଧାର କାର୍ଡ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦେଖାଇବାରୁ ବାପାଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ। ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରମାନନ୍ଦ ସୂଚନା ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ- SCB ଅଗ୍ନିକାଣ୍ଡ : ସିଏମ୍‌ଙ୍କୁ କଲ୍ କରି ଘଟଣା ସମ୍ପର୍କରେ ବୁଝିଲେ ପିଏମ୍, ସହାନୁଭୂତିପୂର୍ଣ୍ଣ ଉଦ୍‌ବେଗ ପାଇଁ କୃତଜ୍ଞତା ଜଣାଇଲେ ମୋହନ