ପୁରୀ,୦୫/୧୦:  ଆସନ୍ତା ୭  ତାରିଖ ମଙ୍ଗଳବାର ଶ୍ରୀମନ୍ଦିରରେ  କୁମାର ପୂର୍ଣ୍ଣିମା । ଏହି ଅବସରରେ  ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ  ଦ୍ୟୁତକ୍ରୀଡ଼ା ପ୍ରତିଯୋଗିତା ହେବ ।  ଏଥିସହ ଶ୍ରୀସୁଦର୍ଶନ ଦେବ  ଶ୍ରୀମନ୍ଦିରରୁ ବାହାରି ନଗର ପରିକ୍ରମା  କରିବେ । ଅନେକ ସ୍ଥାନରେ ୬ ତାରିଖ  ସୋମବାର କୁମାର ପୂର୍ଣ୍ଣିମା ପାଳନ  ହେଉଛି । ମଙ୍ଗଳବାର ସୂର୍ଯ୍ୟୋଦୟକୁ  ପୂର୍ଣ୍ଣିମା ରହିଥିବାରେ ଶ୍ରୀମନ୍ଦିରରେ  ୭ ତାରିଖ କୁମାର ପୂର୍ଣ୍ଣମୀ ପାଳନ  ହେଉଥିବା ସୂଚନା ରହିଛି ।

 ଠାକୁରଙ୍କ ବରିଷ୍ଠ ପାଳିଆ ସେବକ  କୁହନ୍ତି, ୬ ତାରିଖ ଦିନ ୧୨ଟା ୨୨  ମିନିଟ୍‌ ପର୍ଯ୍ୟନ୍ତ ରହିଛି ଚର୍ତୁଦ୍ଦଶୀ । ସୂର୍ଯ୍ୟୋଦୟ ହୋଇଛି ଚର୍ତୁଦ୍ଦଶୀରେ ।  ୭ ତାରିଖ ମଙ୍ଗଳବାର ପୂର୍ଣ୍ଣିମା ରହିଛି  ଦିନ ୯ଟା ପ୍ରାୟ ପର୍ଯ୍ୟନ୍ତ । ମୁଖ୍ୟତଃ  ସୂର୍ଯ୍ୟୋଦୟକୁ ନେଇ ବଡ଼ଦେଉଳରେ  କୁମାର ପୂର୍ଣ୍ଣମୀ ପାଳନ । ହେଲେ  ପୂର୍ବ ଏକାଦଶୀଠାରୁ ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ  ହୋଇସାରିଛି ।

ମୁକ୍ତିମଣ୍ଡପ ପଣ୍ଡିତ  ସଭାର ଉପସଭାପତି ତଥା ବରିଷ୍ଠ  ଆଇନ୍‌ଜୀବୀ ଉମାବଲ୍ଲଭ ମହାପାତ୍ର  କୁହନ୍ତି, ୬ ତାରିଖ ସନ୍ଧ୍ୟାରେ ପୂର୍ଣ୍ଣିମା  ରହିଛି, କିନ୍ତୁ ସକାଳୁ ନାହିଁ । କୁମାର ପୂର୍ଣ୍ଣିମା ପୂଜା ବ୍ରତ ଓ ଓଷା ସମେତ  ଚନ୍ଦ୍ର ପୂଜା କଲେ ୬ ତାରିଖ ଠିକ୍‌ । ୭  ତାରିଖ ମଙ୍ଗଳବାର ସନ୍ଧ୍ୟାକୁ କୁମାର  ପୂର୍ଣ୍ଣିମା ନାହିଁ । ସେଦିନ ସୂର୍ଯ୍ୟୋଦୟ  ତଥା ଦିନ ସମୟରେ ପୂର୍ଣ୍ଣିମା ଲାଗୁଛି । ଏଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ  ସୂର୍ଯ୍ୟୋଦୟ ସମୟ ଅନୁସାରେ ନୀତି  ପାଳନ ହୁଏ । ହବିଷ୍ୟବ୍ରତଧାରୀ ମଧ୍ୟ  ୭ ତାରିଖରୁ ସେମାନଙ୍କ କାର୍ତ୍ତିକ  ବ୍ରତ ଆରମ୍ଭ କରୁଥିବା ଶ୍ରୀ ମହାପାତ୍ର  କହିଛନ୍ତି ।