ନୂଆଦିଲ୍ଲୀ,୨୬/୦୫: ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀକ୍ରମେ ସ୍କୁଲରେ ସାନିଟାରୀ ନାପକିନ୍ ଏବଂ ଶୌଚାଳୟ ଅଭାବ ଯୋଗୁ ଝିଅଙ୍କ ପାଠପଢ଼ା ପ୍ରଭାବିତ ନହେଉ ବୋଲି କହିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କୁ ଜାନୁଆରୀ ୩୦ ତାରିଖର ରାୟକୁ ସଂପୂର୍ଣ୍ଣ ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପ୍ରଗତି ସଂପର୍କରେ କୋର୍ଟ ପ୍ରତି ୩ ମାସରେ ଅନୁଧ୍ୟାନ କରିବେ । ତେଣୁ ଏଥିନେଇ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ପ୍ରତି ୩ ମାସରେ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରକୁ କୁହାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧ରେ ହେବ । ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ ଅର୍ଚ୍ଚନା ପାଠକ ଦାଭେ ଜାନୁଆରୀ ୩୦ର ରାୟ ସଂପର୍କିତ ଏକ ଅନୁପାଳନ ରିପୋର୍ଟ ଦାଖଲ କରିଥିଲେ।
ଆହୁରି ପଢନ୍ତୁ-Paliguda Murder: ପାଲିଗୁଡ଼ା ହତ୍ୟାକାଣ୍ଡ ରହସ୍ୟ ଖୋଲିଲା, ଦେହରୁ ଲୁଗା ଖସିଯିବାରୁ ହତ୍ୟା କରିଥିଲା ସ୍ୱାମୀ
ସେଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଦର୍ଶାଯାଇଥିଲା । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ଦିଗରେ ପ୍ରୟାସକୁ ତ୍ୱରିତ କରିଥିବା ସେ କହିଥିଲେ । ଏହାପରେ ଜଷ୍ଟିସ ଜେବି ପାରଦିୱାଲା ଏବଂ ଜଷ୍ଟିସ ଆର ମହାଦେବନଙ୍କ ଖଣ୍ଡପୀଠ ସମସ୍ତ ରାଜ୍ୟ ନିକଟରୁ ନିୟମିତ ଭାବେ ଏଥିନେଇ ତଥ୍ୟ ସଂଗ୍ରହ କରାଯାଉଛି କି ବୋଲି ପଚାରିଥିଲେ । ଏଥିସହ ଆଗକୁ ମଧ୍ୟ ରାଜ୍ୟଗୁଡିକର ମାର୍ଗଦର୍ଶନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଖଣ୍ଡପୀଠ ଆହୁରି କହିଥିଲେ ଯେ, ଜାନୁଆରୀ ୩୦ରେ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟର ଠିକ ଉପଯୋଗ ହେବା ଉଚିତ୍ । ଏହା ସିଧାସଳଖ ଭାବେ ଝିଅଙ୍କ ଶିକ୍ଷାକୁ ପ୍ରଭାବିତ କରୁଥିବାରୁ ଅଧିକରୁ ଅଧିକ ଛାତ୍ରୀ ଯେପରି ଏହାର ଲାଭ ପାଇବେ ତାହା ସୁନିଶ୍ଚିତ କରାଯିବା ଦରକାର । ସାନିଟାରୀ ନାପକିନ୍ ଏବଂ ଶୌଚାଳୟ ଅଭାବ ଯୋଗୁ ଝିଅଙ୍କ ପାଠପଢା ପ୍ରଭାବିତ ନ ହେଉ। ସେମାନେ ଏଥିଲାଗି ପାଠପଢା ଛାଡି ଘରେ ନ ବସନ୍ତୁ । ଏହା ପୂର୍ବରୁ ଜାନୁଆରୀ ୩୦ର ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ସମ୍ୱିଧାନର ଅନୁଚ୍ଛେଦ ୨୧ ଅନୁସାରେ ଜୀବନର ଅଧିକାରରେ ଋତୁସ୍ରାବ ସ୍ୱାସ୍ଥ୍ୟର ଅଧିକାର ବି ସାମିଲ । ତେଣୁ ସହର ଏବଂ ଗ୍ରାମାଞ୍ଚଳର ସମସ୍ତ ସରକାରୀ ଘରୋଇ ସ୍କୁଲରେ ମାଗଣାରେ ଛାତ୍ରୀମାନଙ୍କୁ ସାନିଟାରୀ ନାପକିନ୍ ଉପଲବ୍ଧ କରାଯାଉ। ପ୍ରାଥମିକତା ଆଧାରରେ ଏହାକୁ ଶୌଚାଳୟ ପରିସରରେ ଭେଣ୍ଡିଂ ମେସିନ ଜରିଆରେ ଉପଲବ୍ଧ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।