ପୁରୀ,୩୧/୧୦: ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ସମଗରା  ଗ୍ରାମରେ ବୁଧବାର ରାତିରେ ଜମିବାଡ଼ି  ବିବାଦକୁ ନେଇ ଘଟିଛି ଡବଲ୍‌ ମର୍ଡର ।  ଦୁଇ ପରିବାର ସଂଘର୍ଷରେ ଗୋଟିଏ  ପରିବାରର ବାପପୁଅଙ୍କର ମୃତ୍ୟୁ  ଘଟିଥିବା ବେଳେ ଅନ୍ୟ ପରିବାରର ୩  ଜଣ ଆହତ ହୋଇଛନ୍ତି । ମୃତକମାନେ  ହେଲେ ସମଗରା ଗ୍ରାମର ରବି  ସ୍ୱାଇଁ(୬୦) ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁ ।  ଏହି ସଂଘର୍ଷରେ ଆହତ ହୋଇଥିବା ଅନ୍ୟ ପରିବାରର ସଦସ୍ୟ ହେଲେ ଜଟି  ପ୍ରଧାନ, ତାଙ୍କ ପୁଅ ଜଗନ୍ନାଥ ପ୍ରଧାନ,  ବଳରାମ ପ୍ରଧାନ ଓ ଟୁଲୁ ପ୍ରଧାନ । 

ମିଳିଥିବା ସୂଚନା ଅନୁଯାୟୀ  ଜମିବାଡିକୁ କେନ୍ଦ୍ର କରି ରବିଙ୍କ  ପରିବାର ସହିତ ତାଙ୍କ ପଡୋଶୀ ଜଟିଙ୍କ  ମଧ୍ୟରେ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଦୁଇ ପରିବାର  ମଧ୍ୟରେ ଅନେକ ଥର ଗଣ୍ଡଗୋଳ  ହେଉଥିଲା । ଜଣେ ଗ୍ରାମବାସୀଙ୍କ  କହିବା ଅନୁଯାୟୀ ବୁଧବାର ସନ୍ଧ୍ୟାରେ  ଗାଁରେ ଦୁଇ ପରିବାର ସଦସ୍ୟଙ୍କୁ ନେଇ  ଏକ ବୈଠକ ଚାଲିଥିଲା । ଆଲୋଚନା  ଚାଲିଥିବା ବେଳେ ଜଟି ପ୍ରଧାନ  ବୈଠକରୁ ଉଠି ଚାଲି ଆସିଥିଲା । ତେବେ ଏହାକୁ ନେଇ ରବି ଓ ତାଙ୍କ  ପୁଅ ପ୍ରକାଶ ସହିତ ଜଟିଙ୍କ ବଚସା  ହୋଇଥିଲା । ଏହି ଘଟଣାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା ।  ଜଟି ଏବଂ ତାଙ୍କ ପୁଅ ଜଗନ୍ନାଥ ପ୍ରଧାନ,  ବଳଭଦ୍ର ପ୍ରଧାନ ଓ ପତ୍ନୀ ଧାରୁଆ  ଅସ୍ତ୍ରରେ ରବି ଓ ପ୍ରକାଶଙ୍କୁ ଆକ୍ରମଣ  କରିଥିଲେ । ପ୍ରକାଶଙ୍କ ମୁଣ୍ଡରେ ଭୁଜାଲି  ଚୋଟ ବାଜିବାରୁ ସେ ଘଟଣାସ୍ଥଳରେ  ପଡ଼ିଯାଇଥିଲେ । ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେଠାରେ ତାଙ୍କର  ମୃତ୍ୟୁ ଘଟିଥିଲା । ରବିଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଜଟିଳ  ହେବାରୁ ରବିଙ୍କୁ କଟକ ସ୍ଥାନାନ୍ତର  କରାଯାଇଛି । ତେବେ ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ  ଘଟିଥିବା ଜଣାପଡିଛି । ଅନ୍ୟ ପରିବାର  ଆହତ ହୋଇଥିବା ଜଗନ୍ନାଥ  ପ୍ରଧାନଙ୍କୁ ମଧ୍ୟ ପ୍ରାଥମିକ ଚିକିତ୍ସା  ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ  କଟକ ସ୍ଥାନାନ୍ତର କରାଯାଇଛି । ଖବର  ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।