ଭୁବନେଶ୍ୱର,୨୨/୦୨: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଯେଉଁଥିରେ  ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁଯାୟୀ, ନାରାୟଣପୁର ପାଖ ଜଙ୍ଗଲରେ  ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା  ।  ତୋୟମେଟା ଏବଂ କଓ୍ୱାନାର ମଧ୍ୟବର୍ତ୍ତୀ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଯାଉଥିବା ବେଳେ ହଠାତ୍‌ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ଡିଆର୍‌ଜି ଯବାନ ଆହତ ହୋଇଥିଲେ । ଏନେଇ ତୁରନ୍ତ ସାଥୀମାନେ ଆହତ ଯବାନଙ୍କୁ ନାରାୟଣପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ  । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟପୁର ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ପୂର୍ବରୁ ଏହି ଲ୍ୟାଣ୍ଡମାଇନ୍‌ ଲଗାଇଥିଲେ ବୋଲି ସୂଚନା ରହିଛି ।  ସେପଟେ ଏହି ବିସ୍ଫୋରଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ  ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।