ବିବାହକୁ ନେଇ ପ୍ରତ୍ୟେକ ଝିଅଙ୍କର ନିଜସ୍ୱ ସ୍ୱପ୍ନ ଥାଏ । କିଏ ଶୀଘ୍ର ବିବାହ କରି ଘର ସଂସାର ଆରମ୍ଭ କରିବାକୁ ଚାହେଁ ତ ଆଉ କିଏ କ୍ୟାରିଅରମନସ୍କ ହୋଇ ପ୍ରଥମେ ଭଲ ଚାକିରି କରି ପରେ ବିବାହ କରିବାକୁ ଚାହେଁ । ତେବେ ଏମାନଙ୍କ ବାଦ୍‌ ଏମିତି ଅନେକ ଝିଅ ଥାଆନ୍ତି ଯେଉଁମାନେ ବିବାହ କରିବାକୁ କେବେଠାରୁ ପ୍ରସ୍ତୁତ ହୋଇଥିଲେ ବି କୌଣସି ନା କୌଣସି କାରଣରୁ ବିବାହ କରିପାରନ୍ତି ନାହିଁ । ବରଂ ଅନେକ ସମୟରେ ମନଲାଖି ବର ଆଉ ଘର ଖୋଜି ବିବାହ କରିବା ପ୍ରୟାସରେ ବିବାହ ବୟସ ଗଡ଼ି ଯାଇଥାଏ । ବିବାହ ଯେ କେବଳ ବିଳମ୍ବିତ ହୁଏ ତା’ ନୁହେଁ, ବରଂ ବିବାହ ବିଳମ୍ବଜନିତ ମାନସିକ ଏବଂ ସାମାଜିକ ଚାପ ସେ ଝିଅ ଜଣଙ୍କୁ ଅସ୍ତବ୍ୟସ୍ତ କରିପକାଏ । ଘର ଲୋକ ଝିଅ ପାଇଁ ପ୍ରଥମେ ନିଜ ଜାତି ଆଉ ନିଜ ପସନ୍ଦର ବର ଖୋଜୁଥିଲେ ବି ପରେ ପରେ ଏଥିରେ କାଣ୍ଟଛାଣ୍ଟ କରିବାକୁ ବାଧ୍ୟ ହୁଅନ୍ତି । ଆଉ ଭଲ ବର ଖୋଜା ଯାଇନଥାଏ, ବରଂ ଯିଏ ହେଲେ ବି ଚଳିବ ନ୍ୟାୟରେ ମଣିଷ ଖୋଜା ଚାଲିଥାଏ।

ଏପଟେ ସାହିପଡ଼ିଶା ଟୁପୁରୁ ଟାପୁରୁ ହୁଅନ୍ତି । କିଏ କହେ- କିଛି ଗୋଟେ ଗ୍ରହ ଦୋଷ ଅଛି, ଆଉ କିଏ କହେ ଯେ ଝିଅ ଜାତକରେ ବୋଧେ ବାହାଘର ନାହିଁ । କ୍ରମଶଃ ସାହି ପଡ଼ିଶାଙ୍କ ପ୍ରଶ୍ନ ବାଣର ସ୍ୱରୂପ ବଦଳି ଯାଇଥାଏ । ବାହାଘର କେବେ ହେବ ପ୍ରଶ୍ନଟି ଓଲଟି ପଡ଼ି ‘ବାହାଘର ହେବ ତ’ରେ ପରିଣତ ହୋଇ ସାରିଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଝିଅର ରୂପ ରଙ୍ଗ ବଦଳୁ ଥାଏ । ଚେହେରା ଫିକା ପଡ଼ି ଆସୁଥାଏ । ଅଣ୍ଟାରେ ଚର୍ବି ବଢ଼ିବା ଦେଖି ପୁଅ ଘର ନାକ ଟେକିବା ଆରମ୍ଭ କରି ଦିଅନ୍ତି । ଝିଅ ବି ତାର ସ୍ୱପ୍ନ ଦେଖିବା ଭୁଲି ଯାଇଥାଏ । କେହି ଜଣେ ରାଜକୁମାର ପକ୍ଷୀରାଜ ଘୋଡ଼ା ଚଢ଼ି ଆସିବ ଆଉ ତାକୁ ନିଜର କରି ନେଇଯିବ ସେ ଆଶା ଝିଅ ଛାଡ଼ି ଦେଇଥାଏ । ଯେତେବେଳେ ଚାଳିଶ ପାଖାପାଖି ଝିଅର ବୟସ ଛୁଇଁଯାଏ, ସେତେବେଳେ ସେ ଭାବିବା ଆରମ୍ଭ କରିଦିଏ ଯେ ସ୍ତ୍ରୀ ମରିଯାଇଥିବା କିମ୍ବା ଛାଡ଼ପତ୍ର ନେଇଥିବା ପୁରୁଷ ହେଲେ ବି ବିବାହ ପାଇଁ ନା କହିବାର କୌଣସି କାରଣ ନାହିଁ ।

ସ୍ୱପ୍ନ ସହିତ ସାଲିସ୍‌ କରି ବାସ୍ତବତା ସହିତ ବଞ୍ଚିବା ହିଁ ଜୀବନ ବଞ୍ଚିବାର ଏକମାତ୍ର ରାସ୍ତା ବୋଲି ସେ ଝିଅ ଜଣଙ୍କ ଭାବି ସାରିଥାଏ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଝିଅର ବାହାଘର ନହେବାରୁ ଝିଅର ମାନସିକ ସ୍ଥିତି ବିପନ୍ନ ହୁଏ । ଏପରିକି ରୋଜଗାର କରୁଥିବା ଝିଅ ବି ନ୍ୟୁନ ସାମାଜିକ ସ୍ଥିତି ଦେଇ ଗତି କରେ । ସେ ନିଜେ ଆତ୍ମବିଶ୍ୱାସ ହରାଇଥାଏ । ବିବାହ ହେଉନଥିବାରୁ ଅନେକ ତାକୁ ଗୁରୁତ୍ୱହୀନ ମନେକରନ୍ତି । ପରିବାରରେ କିମ୍ବା ସମାଜରେ ତାକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ । ସମାଜରେ ସେ ଅପାଙ୍‌କ୍ତେୟ ହୋଇ ପଡ଼ିରହେ । ପରିବାରରେ ଆଉ ସମାଜରେ ପ୍ରାସଙ୍ଗିକ ରହିବା ପାଇଁ ସେ କେତେବେଳେ ଅନ୍ୟ ରାଜ୍ୟରେ ଥିବା ଭାଇ ଭଉଣୀ ପାଖକୁ ବୁଲି ପଳାଇଯାଏ ତ ଆଉ କେତେବେଳେ ନିଜ ମନ ପସନ୍ଦର ସାଥୀ ପାଇବା ପାଇଁ ମାଟ୍ରିମୋନିଆଲ ସାଇଟ୍‌ରେ ବିଜ୍ଞାପନ ଦେଇ ଭାଗ୍ୟକୁ ଆଦରି ବସି ରହିଥାଏ । କେତେବେଳେ କେଉଁଠୁ କିପରି ପ୍ରସ୍ତାବ ଆସେ ତ ଆଉ କେତେବେଳେ ସେ ଅନ୍ୟ ପାଖରେ ଅଗ୍ରହଣୀୟ ହୋଇପଡ଼େ । ଅନେକ ସମୟରେ ଏସବୁ ଅଲୋଡ଼ା ପ୍ରସ୍ତାବ ଏବଂ ସେମାନଙ୍କର ଅଦ୍ଭୁତ ଦାବି ଅନୁଯାୟୀ ନିଜକୁ ସଜାଡୁ ସଜାଡୁ ଝିଅ ଜଣଙ୍କ କ୍ରମେ କ୍ରମେ ଜୀବନ ଯୁଦ୍ଧରେ ଥକି ଯାଉଥାଏ । ମାନସିକ ଚାପ, ଏକଲାପଣ ଆଉ ସମାଜ ଆଖିରେ ପ୍ରାସଙ୍ଗିକ ରହିବାକୁ ଚେଷ୍ଟାରେ ଝିଅ ଜଣଙ୍କ ମାନସିକ ଅବସାଦ ଦେଇ ଗତିକରେ । ଏପରି କ୍ଷେତ୍ରରେ ଜଣେ ଆତ୍ମହତ୍ୟା କରିବା ବି ବିଚିତ୍ର ନୁହେଁ ।

ଭାରତୀୟ ସମାଜରେ ବିବାହ ଏକ ସାମାଜିକ ଏବଂ ଧାର୍ମିକ ଆବଶ୍ୟକତା । ଝିଅ ଜନ୍ମ ହେଲା ପରଠାରୁ ବିବାହକୁ ନେଇ ତା’ ବାପା ମାଆ ଚିନ୍ତା କରିବା ଆରମ୍ଭ କରି ଦେଇଥାନ୍ତି । ପ୍ରାପ୍ତବୟସ୍କ ହେଲା ମାତ୍ରେ ଝିଅ ବାହାଘର ନେଇ ସମାଜ ଉଭୟ ଝିଅ ଏବଂ ତା’ ପରିବାର ଉପରେ ଅସମ୍ଭବ ପ୍ରକାର ଚାପ ପକାଇବା ଆରମ୍ଭ କରି ଦେଇଥାନ୍ତି । ଲାଗେ ଯେମିତି ଝିଅ ବାହାଘର କେବଳ ଗୋଟିଏ ପରିବାରର ନୁହେଁ, ବରଂ ପୂରା ସାହିର ଦାୟିତ୍ୱ । ଏହି ଚାପ ଏତେ ଭୟଙ୍କର ଯେ, ଏଥିରୁ ମୁକ୍ତି ପାଇବା ଏକରକମ ଅସମ୍ଭବ । ବିଳମ୍ବିତ ବୟସରେ ବିବାହ ହେଲେ ମାତୃତ୍ୱ ଲାଭ କରିବାର ସମ୍ଭାବନା କମ୍‌ ଥିବାବେଳେ ବିବାହିତ ଦମ୍ପତି ପରବର୍ତ୍ତୀ ସମୟରେ ଅନେକ ଶାରୀରିକ ଆଉ ମାନସିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଯାହା ପରବର୍ତ୍ତୀ ସମୟରେ କାହାର ବି ଦୃଷ୍ଟି ଆକର୍ଷଣ କରିନଥାଏ । କାରଣ ପରିବାର ଆଉ ସମାଜ ଯାହା ହେଉ, ବାହାଘର ହୋଇଗଲା ବୋଲି ଭାବି ଆଶ୍ୱସ୍ତ ହୋଇଥାନ୍ତି ।

ବିଳମ୍ବିତ ବାହାଘରଜନିତ ଯନ୍ତ୍ରଣା ଏବଂ ଅସ୍ୱାଭାବିକତାକୁ କେବଳ ଦମ୍ପତି ହିଁ ଏକୁଟିଆ ମୁକାବିଲା କରିଥାନ୍ତି । ଯଦିଓ ବାହାଘର ଜୀବନର ପ୍ରଥମ ଆଉ ଶେଷ ଲକ୍ଷ୍ୟ ନୁହେଁ, ତେବେ ବିଳମ୍ବିତ ବିବାହଜନିତ ମାନସିକ ଅବସାଦ ଭୋଗୁଥିବା ବ୍ୟକ୍ତିବିଶେଷ ନିଜର ମାନସିକ ସ୍ୱାସ୍ଥ୍ୟ ପାଇଁ ଯତ୍ନ ନେବା ସହ ଏଥିପାଇଁ ଆବଶ୍ୟକ ପଡ଼ିଲେ କାଉନସେଲରଙ୍କ ପରାମର୍ଶ ନେବା ଆବଶ୍ୟକ । ବିବାହ ପାଇଁ କୌଣସି ବୟସାଗତ ବାଧ୍ୟବାଧକତା ନଥିଲାବେଳେ ଏଥିନେଇ ଜଣେ କୌଣସି ଭାବେ ବ୍ୟସ୍ତ ହେବା ଉଚିତ ନୁହେଁ । ବରଂ ବିବାହ ବିଳମ୍ବ ହେଉଥିବାବେଳେ ବ୍ୟସ୍ତ ନହୋଇ ନିଜକୁ ସାହିତ୍ୟ, ସମାଜ ସେବା କିମ୍ବା କୌଣସି ବୃତ୍ତିଗତ ଦକ୍ଷତା ବୃଦ୍ଧିଜନିତ କର୍ମରେ ଜଡ଼ିତ ରଖିପାରିଲେ ଏହା ମଣିଷର ଜୀବନକୁ ଅଧିକ ସୁନ୍ଦର ଏବଂ ପରିପୁଷ୍ଟ କରିବ । ବିବାହ ବିଳମ୍ବିତ ହେଲେ ହୁଏତ ଏହା ଆପଣଙ୍କୁ ବ୍ୟତିବ୍ୟସ୍ତ କରିଦେଇପାରେ, ତେବେ ଏହା ଆପଣଙ୍କ ଜୀବନର ମୂଳ ଲକ୍ଷ୍ୟରୁ ଏହା ଆପଣଙ୍କୁ କେବେ ବିଚ୍ୟୁତ କରିବା ଉଚିତ୍‌ ନୁହେଁ ।

​​​​​​​