କଟକ, ୨୭/୦୭: ବୋଲ୍ବମ୍ ଯାତ୍ରା ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ସାମଗ୍ରୀ କିଣାକିଣି । କାଉଡ଼ିଆମାନେ ବଜାରରୁ ମନ ପସନ୍ଦର ବାହୁଙ୍ଗି ଓ ଆନୁଷଙ୍ଗିକ ଜିନିଷ କିଣିବାକୁ ଭିଡ଼ ଲଗାଇଲେଣି । ଚୌଧୁରୀବଜାର, ପିଠାପୁର ଏବଂ ଝୋଲାସାହିରେ ଥିବା ହୋଲ୍ସେଲ୍ ମାର୍କେଟ୍ରେ ବ୍ୟବସାୟୀମାନେ ରାଜ୍ୟ ବାହାରୁ ଭଳିକି ଭଳି ସାମଗ୍ରୀ ଆଣି ବ୍ୟବସାୟ କରୁଛନ୍ତି । ବିଶେଷକରି ଫ୍ୟାନ୍ସୀ ଶିବ ଲିଙ୍ଗରୁ ଆରମ୍ଭ କରି ଘଣ୍ଟି, ଘୁଙ୍ଗୁର, ଲାଇଟିଂ ଡମ୍ବୁରୁ ଏବଂ ବିଭିନ୍ନ ସ୍ପ୍ରିଙ୍ଗ ସାମଗ୍ରୀ କୋଲକାତା ଏବଂ ଦିଲ୍ଲୀରୁ ଆଣି ଏଠାରେ ବିକ୍ରି କରୁଛନ୍ତି । ଏହି ସବୁ ସାମଗ୍ରୀର ବେଶ୍ ଚାହିଦା ଥିବା ଦେଖିବାକୁ ମିଳିଛି । ସେହିଭଳି ମାଳି ଏବଂ ଆକର୍ଷଣୀୟ ବୋଲବମ୍ ପୋଷାକ ବନାରସ୍ ଏବଂ ଗୁଜରାଟରୁ ଆସି ଏଠାରେ ବିକ୍ରି ହେଉଛି ।
ଚୌଧୁରୀ ବଜାରରେ ବୋଲବମ୍ ସାମଗ୍ରୀ ମିଳୁଥିବା ୫୦ରୁ ଅଧିକ ହୋଲସେଲ୍ ଏବଂ ରିଟେଲ୍ ମାର୍କେଟ ରହିଛି । ଚଳିତବର୍ଷ ବଜାରକୁ ପ୍ଲାଷ୍ଟିକ୍ ଏବଂ ଗୋଲ୍ଡେନ୍ ସାପ, ପ୍ଲାଷ୍ଟିକ୍ ଏବଂ ଗୋଲ୍ଡେନ୍ ଶିବଲିଙ୍ଗ, ପ୍ଲାଷ୍ଟିକ୍ ଫୁଲ, ତ୍ରିଶୂଳ, ହାତୀ ଶୁଣ୍ଢ, ଓମ୍, ଧୂପଦାନୀ, ଶିବ ମୂର୍ତ୍ତି, ଲୁହା ଘଣ୍ଟି ଏବଂ ଘୁଙ୍ଗୁର ଭଳି ପ୍ରାୟ ୨୦ରୁ ଅଧିକ ପ୍ରକାର ବୋଲବମ୍ ସାମଗ୍ରୀ ବିକ୍ରି ହେଉଛି । ଏହା ସହ ଲାଇଟିଂ ହେଉଥିବା ବିଭିନ୍ନ ଆକର୍ଷଣୀୟ ବୋଲବମ୍ ସାମଗ୍ରୀ ମାର୍କେଟରେ ଦେଖିବାକୁ ମିଳିଛି । ୨ଟି ପ୍ରକାରର ଲାଇଟ୍ ଡମ୍ବୁରୁ ସହ ଛୋଟ ଏବଂ ବଡ଼ ଲାଇଟ୍ ତ୍ରିଶୂଳ ମାର୍କେଟକୁ ଆସିଛି । ଏହାସହ ମୁଣ୍ଡରେ ଲଗାଇବାକୁ ଲାଇଟ୍ ଟିଆରା ଭଳି ଏକ ନୂଆ ସାମଗ୍ରୀ ଆସିଥିବା ବେଳେ ଏହାର ବେଶ୍ ଚାହିଦା ରହିଛି । ଲାଇଟ୍ ଡମ୍ବୁରୁ ଦାମ୍ ୪୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ଥିବା ବେଳେ ଲାଇଟ୍ ତ୍ରିଶୂଳ ଦାମ୍ ୫୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଅନ୍ୟପଟେ ବିଭିନ୍ନ ସ୍ପ୍ରିଙ୍ଗ ସାମଗ୍ରୀ ମଧ୍ୟରେ ସ୍ପ୍ରିଙ୍ଗ ତ୍ରିଶୂଳଠାରୁ ହାୱା ତ୍ରିଶୂଳ, ସ୍ପ୍ରିଙ୍ଗ ଶିବଲିଙ୍ଗ, ବାଘମୁଣ୍ଡ, ୩ଟି ରଙ୍ଗର ସ୍ପ୍ରିଙ୍ଗ କୋବ୍ରା ଦେଖିବାକୁ ମିଳିଛି । ଚଳିତବର୍ଷ ସ୍ପ୍ରିଙ୍ଗ୍ ବେଲପତ୍ର, ସ୍ପ୍ରିଙ୍ଗ୍ ମହାକାଳ ଏବଂ ଶେଷ ନାଗ ଭଳି ବିଭିନ୍ନ ନୂଆ ସାମଗ୍ରୀ ପ୍ରଥମଥର ମାର୍କେଟକୁ ଆସିଛି । ଏହି ସବୁ ସାମଗ୍ରୀ ଦାମ୍ ୪୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ହୋଲ୍ସେଲ୍ ଦୋକାନରୁ ଏହି ସବୁ ସାମଗ୍ରୀ ନେବା ପାଇଁ ବ୍ୟବସାୟୀମାନଙ୍କ ଭିଡ଼ ଲାଗୁଛି ।
ଏହି ସବୁ ସାମଗ୍ରୀ କୋଲକାତାରୁ ଆସୁଥିବା ବେଳେ ହୋଲ୍ସେଲ୍ରେ ଶିବଲିଙ୍ଗ ଡର୍ଜନ ଦାମ୍ ୩୦ ଟଙ୍କାରୁ ଆରମ୍ଭ କରି ୨୪୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ଝୋଲାସାହିର ବ୍ୟବସାୟୀ ରାଜେନ୍ଦ୍ର କୁମାର ସାହୁ କହିଛନ୍ତି । ଦିଲ୍ଲୀରୁ ଆସୁଥିବା ଲୁହାର ଘଣ୍ଟି ଏବଂ ଘୁଙ୍ଗୁର ଦାମ୍(ଗୋଟିଏ) ୮ ଟଙ୍କାରୁ ୨୫ ଟଙ୍କା(ବଡ଼ ଘଣ୍ଟି) ପର୍ଯ୍ୟନ୍ତ ରହିଛି । କାଉଡ଼ିଆମାନେ ପିନ୍ଧୁଥିବା ବିଭିନ୍ନ ମୁଣ୍ଡ ମାଳି, ଶଙ୍ଖ ମାଳି, ନବରତ୍ନ ମାଳି ଏବଂ ସ୍ପଟିକ ମାଳି ଏବଂ ରୁଦ୍ରାକ୍ଷ ମାଳି ବନାରସ୍ରୁ ଆସୁଥିବା ବେଳେ ହାତବନ୍ଧା ସୂତା ମଥୁରାରୁ ଆସୁଛି । ମାଳି ଡର୍ଜନ ୭୮ ଟଙ୍କାରୁ ୩୮୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ସହ ରିବନ୍ ଭଳି ସାମଗ୍ରୀ ସୁରଟ୍ରୁ ଆସୁଛି ।
ଅଧିକ ପଢ଼ନ୍ତୁ :- GI Tag Demand: ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍, ପୁରୀର କାଗଜ ମୁଖା ଓ ସୋଲ କାମକୁ କେବେ ?
ବାହୁଙ୍ଗିରେ ସଜା ହେବା ପାଇଁ ଆସୁଥିବା ପ୍ଲାଷ୍ଟିକ୍ ଫୁଲ ଦାମ୍ ୧୧୪ ଟଙ୍କାରୁ(ଡର୍ଜନ) ଆରମ୍ଭ ହେଉଛି । ଅନ୍ୟପଟେ ଖୁଚୁରା ମାର୍କେଟରେ ବିଭିନ୍ନ ସାମଗ୍ରୀ ଦାମ୍ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାସହ ଆକର୍ଷଣୀୟ ବେତ ବାହୁଙ୍ଗି ଭାଣପୁରରୁ ଆସୁଥିବା ବେଳେ ଏହାର ଦାମ୍ ୩୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ସହ କିଛି ବ୍ୟବସାୟୀ ଚୌଧୁରୀବଜାର ଗୌରୀଶଙ୍କର ପାର୍କ ଏବଂ ସିଡିଏ ଅଞ୍ଚଳରେ ତିଆରି କରି ମାର୍କେଟରେ ବିକ୍ରି କରାଯାଉଛି ।