ନୂଆଦିଲ୍ଲୀ, ୨୭।୭: ଆଜିର ସମୟରେ ଅଧିକାଂଶ ଲୋକଙ୍କର ସୋସିଆଲ ମିଡିଆର 'ରିଲ୍ସ' କିମ୍ବା 'ସର୍ଟ ଭିଡିଓ' ଦେଖିବା ଏକ ନିଶା ପଲଟିଗଲାଣି । ଯାହା କେବଳ ସାଧାରଣ ଲୋକଙ୍କ ଭିତରେ ସୀମିତ ନାହିଁ, ବରଂ ବିଶ୍ୱର ବଡ଼ ବଡ଼ ପ୍ରଯୁକ୍ତିବିଦ୍ୟା କମ୍ପାନୀର ମୁଖ୍ୟମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି । ଖୋଦ୍ ଏଆଇ କ୍ଷେତ୍ରର ଅଗ୍ରଣୀ ସଂସ୍ଥା OpenAI ର ସିଇଓ ସ୍ୟାମ୍ ଅଲ୍ଟମ୍ୟାନ୍ ନିଜେ ଏକ ପୋଡ୍କାଷ୍ଟ୍ରେ ଏହି ସତ୍ୟ ପ୍ରକାଶ କରିଛନ୍ତି । ସ୍ୟାମ୍ ଅଲ୍ଟମ୍ୟାନ୍ କହିଛନ୍ତି ଯେ ଯେତେବେଳେ ସେମାନଙ୍କ କମ୍ପାନୀ ଏଆଇ ଭିଡିଓ ତିଆରି କରୁଥିବା ଆପ୍ 'ସୋରା' ତିଆରି କରୁଥିଲା, ସେତେବେଳେ ସେ ଟିକଟକ୍ର ଆଡିକ୍ଟ ହୋଇଯାଇଥିଲେ । ଏହା ପଛର କାରଣ ଥିଲା ଯେ ସେ ଏହା ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଥିଲେ, କାରଣ ସେ ପୂର୍ବରୁ କେବେବି ଟିକଟକ୍ ବ୍ୟବହାର କରିନଥିଲେ ।

ସେ ଭାବିଥିଲେ ଯେ ରାତିରେ ଶୋଇବା ପୂର୍ବରୁ କେବଳ ୧୦ ମିନିଟ୍ ପାଇଁ ଏହି ଆପ୍ ବ୍ୟବହାର କରିବେ । କିନ୍ତୁ କିଛି ଦିନ ପରେ ଏହା ଘଣ୍ଟା ଘଣ୍ଟା ଧରି ଚାଲିଲା ଏବଂ କେତେବେଳେ ସାରା ରାତି ବିତି ଯାଉଥିଲା, ତାହା ସେ ଜାଣିପାରୁ ନଥିଲେ । ଅଲ୍ଟମ୍ୟାନ୍ ଜଣାଇଛନ୍ତି ଯେ, ଗୋଟିଏ ଶନିବାର ଦିନ ସେ ସୋଫାରେ ବସି କ୍ରମାଗତ ଭାବେ ପ୍ରାୟ ତିନି ଘଣ୍ଟା ଧରି କେବଳ ଟିକଟକ୍ ଦେଖିଥିଲେ । ସେତେବେଳେ ତାଙ୍କୁ ଅନୁଭବ ହୋଇଥିଲା ଯେ ଏହି ଆପ୍ଟି ଏକ ବଡ଼ ସମସ୍ୟା ପାଲଟି ଯାଇଛି । ସ୍ୟାମ୍ ଅଲ୍ଟମ୍ୟାନ୍ କହିଛନ୍ତି, "ମୁଁ ଭାବିଥିଲି ମୁଁ ଏହାକୁ ନିୟନ୍ତ୍ରଣ କରିପାରିବି । ମୁଁ ଭାବୁଥିଲି ଏହା ମଜାଦାର, କିନ୍ତୁ ମୁଁ ଏହାକୁ କେବଳ ବିଶ୍ରାମ ପାଇଁ ୧୦ ମିନିଟ୍ ବ୍ୟବହାର କରୁଛି । କିନ୍ତୁ ଗୋଟିଏ ଶନିବାର ମୁଁ ୩ ଘଣ୍ଟା ଧରି ସେଥିରେ ବୁଡ଼ି ରହିଲି । ମୋତେ ଲାଗିଲା ଆଇଫୋନର ମୂଳ ଉଦ୍ଦେଶ୍ୟ ଏହା ନଥିଲା ।"

ଏହା ବି ପଢ଼ନ୍ତୁ... NFC Scam : ସାବଧାନ ! ବିନା OTP ଏବଂ PINରେ ବି କଟି ଯାଇ ପାରେ ଟଙ୍କା ,ଜାଣନ୍ତୁ NFC ସ୍କାମର ପୁରା ଖେଳ ..

ଅବଶ୍ୟ ସେ ପ୍ରଥମେ ଟିକଟକ୍ ବ୍ୟବହାର ସମୟକୁ ୫ରୁ ୧୦ ମିନିଟ୍କୁ କମାଇ ଦେଇଥିଲେ, କିନ୍ତୁ ଶେଷରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତାଙ୍କୁ ଫୋନ୍ରୁ ଟିକଟକ୍ ଆପ୍କୁ ସମ୍ପୂର୍ଣ୍ଣ ଭାବେ ଡିଲିଟ୍ କରିବାକୁ ପଡ଼ିଥିଲା । ଏହା ସହିତ ସେ ନିଜ ଫୋନ୍ର ସମସ୍ତ ନୋଟିଫିକେସନ୍ ବନ୍ଦ କରିଦେଇଛନ୍ତି, ଯାହାକୁ ସେ ନିଜ ଜୀବନର ଏକ ବଡ଼ ସୁଧାର ବୋଲି କହିଛନ୍ତି । ଏକ ପୋଡ୍କାଷ୍ଟ୍ରେ ଅଲ୍ଟମ୍ୟାନ୍ କମ୍ପାନୀର ଆଗାମୀ ହାର୍ଡୱେର ପ୍ରଡକ୍ଟସ୍ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଚାଟ୍ଜିପିଟି ଆଧାରିତ ଡିଭାଇସ୍ଗୁଡ଼ିକ ଅତ୍ୟନ୍ତ ଉପଯୋଗୀ ଏବଂ ଶକ୍ତିଶାଳୀ ହେବ, କିନ୍ତୁ କିଛି ଲୋକ ଏହାର ଅପବ୍ୟବହାର ମଧ୍ୟ କରିପାରନ୍ତି, ଯାହା ସେମାନଙ୍କ ଜୀବନକୁ ପ୍ରଭାବିତ କରିବ ।