ଧଉଳି,୨୩/୦୮: ଭୁବନେଶ୍ୱର ବ୍ଲକ ଲିଙ୍ଗିପୁର ପଞ୍ଚାୟତରେ ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନଙ୍କ ବିରୋଧରେ ଶୁକ୍ରବାର ଅନାସ୍ଥା ଭୋଟ୍ ଗ୍ରହଣ ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟରେ ଏହି ମତଦାନ ହୋଇଥିଲା । ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୋନ୍-୨ ଏସିପି କୃଷ୍ଣଚନ୍ଦ୍ର ପଲେଇ,ଧଉଳି ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ, ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଏସ୍ଆଇ ବିଭୁନାରାୟଣ ସାହୁ, ଏଏସ୍ଆଇ ପ୍ରବୀର କୁମାର ଲେଙ୍କା, ଏଏସ୍ଆଇ ଶ୍ରୀଧର ସାହୁଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।
ଭୁବନେଶ୍ୱର ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଏବଂ ବାଲିଅନ୍ତା/ ବାଲିପାଟଣା ତହସିଲଦାର କଳ୍ପନା ଦାଶଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ମଧ୍ୟରେ ଏହି ମତଦାନ ହୋଇଥିଲା । ଏହି ପଞ୍ଚାୟତରେ ୧୩ଟି ୱାର୍ଡ ଥିବାବେଳେ ଜଣେ ୱାର୍ଡ ସଭ୍ୟଙ୍କ ଦେହାନ୍ତ ହୋଇଯାଇଛି । ଅନ୍ୟ ୧୨ ଜଣଙ୍କ ମଧ୍ୟରୁ ପୂର୍ବାହ୍ଣ ପ୍ରାୟ ୧୧ଟାରେ ୯ଜଣ ୱାର୍ଡ ସଭ୍ୟାସଭ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଅସ୍ଥାୟୀ ମତଦାନ କେନ୍ଦ୍ରରେ ମତଦାନ କରିଥିଲେ । ମତଦାନ ଶେଷରେ ଭୋଟ୍ ବାକ୍ସକୁ ଭୁବନେଶ୍ୱର ଟ୍ରେଜେରି କାର୍ଯ୍ୟାଳୟକୁ ନିଆଯାଇଛି ।
ସୂଚନାଯୋଗ୍ୟ, ଗତ ଜୁନରେ ଏହି ପଞ୍ଚାୟତର ୱାର୍ଡ ସଭ୍ୟାସଭ୍ୟମାନେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଆଣିଥିଲେ ।