ନୂଆଦିଲ୍ଲୀ: ବିରୋଧୀ ହୋହଲ୍ଲା ଭିତରେ ବୁଧବାର ଲୋକସଭାରେ ରେଳ (ସଂଶୋଧନ) ବିଧେୟକ ୨୦୨୪ ପାରିତ ହୋଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଅନେକ ସାଂସଦ ଭାରତୀୟ ରେଳର ଘରୋଇକରଣ ହେବାକୁ ଯାଉଛି କହି ଭ୍ରାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଏହି ବିଧେୟକ ଦ୍ୱାରା ରେଲୱେର ଘରୋଇକରଣ କିମ୍ବା କେନ୍ଦ୍ରୀକରଣ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ରେଳମନ୍ତ୍ରୀ ଗୃହରେ ଦୃଢ଼ୋକ୍ତି ବାଢ଼ିଛନ୍ତି ।
ରେଳ ମନ୍ତ୍ରୀ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି ଯେ, ସମ୍ୱିଧାନକୁ ନେଇ ଆପଣମାନଙ୍କ ମିଛ ପ୍ରଚାର ବିଫଳ ହୋଇଛି । ଏବେ ରେଲୱେର ଘରୋଇକରଣ ନେଇ ମିଛ ପ୍ରଚାର ପାଇଁ ଦୟାକରି ଉଦ୍ୟମ କରିବେ ନାହିଁ । ଏହା ଉପରେ ବିରୋଧୀ କିଛି ସମୟ ହଙ୍ଗାମା କରିଥିଲେ । ଏସବୁ ଭିତରେ ରେଳ ମନ୍ତ୍ରୀ ନୂଆ ବିଧେୟକ ଏବଂ ସାଂସଦଙ୍କ ଦ୍ୱାରା କରାଯାଇଥିବା ପ୍ରଶ୍ନର ଜବାବ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ପ୍ରତିରକ୍ଷା ଏବଂ ରେଲୱେକୁ ରାଜନୀତିଠାରୁ ଦୂରରେ ରଖି ଆଗକୁ ବଢିବାର ଆବଶ୍ୟକତା ରହିଛି । ନୂଆ ବିଧେୟକ ପ୍ରକ୍ରିୟା ରେଲଓ୍ବେର ସରଳୀକରଣ କାମ କରିବ ବୋଲି ମନ୍ତ୍ରୀ କହିଛନ୍ତି ।
ରେଲୱେ ବୋର୍ଡ ଆଇନ ୧୯୦୫ ମସିହାରେ ଆସିଥିଲା ଏବଂ ୧୯୮୯ରେ ରେଲୱେ ଅଧିନିୟମ ଆସିଥିଲା । ଦୁଇ ଅଲଗା-ଅଲଗା ଆଇନ ପରିବର୍ତ୍ତେ ଗୋଟିଏ ଆଇନ ହେବା ଭଲ । ଆଇନଗତ ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଏହି ନୂଆ ରେଳ (ସଂଶୋଧନ) ବିଧେୟକ ୨୦୨୪ ଅଣାଯାଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳରେ ରେଲୱେର ବ୍ୟାପକ ସ୍ତରରେ ବିକେନ୍ଦ୍ରୀକରଣ ହୋଇଛି । ପୂର୍ବରୁ ଜିଏମ୍ଙ୍କ ପାଖରେ ଖୁବ କମ ଅଧୀକାର ରହୁଥିଲା । କିନ୍ତୁ ବର୍ତ୍ତମାନ କୌଣସି ପ୍ରୋଜେକ୍ଟ ପାଇଁ ଟେଣ୍ଡର ପ୍ରୋସେସ୍ କରିବାର ଅଧୀକାର ଜିଏମଙ୍କ ପାଖରେ ରହିଛି ।
ଡିଆରଏମ୍ ଏବଂ ଅନ୍ୟ ଅଧିକାରୀଙ୍କ କ୍ଷମତା ମଧ୍ୟ ବଢାଯାଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ବିଲ୍ ଦ୍ୱାରା ପାର୍ଲାମେଣ୍ଟର ଭୂମିକା ହ୍ରାସ ହେବ ନାହିଁ । ସଂସଦର ଅଧୀକାର ଅପରିବର୍ତ୍ତିତ ରହିବ । ବିଲ୍ ଉପରେ ଚର୍ଚ୍ଚା ବେଳେ ୭୨ ଜଣ ସାଂସଦ ଭାଗ ନେଇଥିଲେ । ଡିସେମ୍ୱର ୪ରେ ଗୃହରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇ ସରକାର ରେଲୱେର ଘରୋଇକରଣ କରୁଥିବା ଅନେକ ବିରୋଧୀ ସାଂସଦ ଅଭିଯୋଗ କରିଥିଲେ । ତେବେ ବିରୋଧୀ ବିରୋଧ ଭିତରେ ଆଜି ଲୋକସଭାରେ ରେଳ ସଂଶୋଧନ ବିଧେୟକ ପାରିତ ହୋଇଯାଇଛି ।