ଧର୍ମଶାଳା, ୨୫।୧୧: ଧର୍ମଶାଳା ଥାନା ଠାରୁ ୫ଶହ ମିଟର ଦୂର ଜାରକା ଶାନ୍ତି ବଜାର କଲୋନୀରୁ ଚୋରି ହୋଇଛି। ଚୋରମାନେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ନିତ୍ୟାନନ୍ଦ ସାହୁଙ୍କ ଘରେ କଳା କନା ବୁଲାଇଛନ୍ତି। ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ବ୍ୟାଙ୍କ୍ ଅବସର ପ୍ରାପ୍ତ ଅଧିକାରୀ ନିତ୍ୟାନନ୍ଦ ସାହୁ ଓ ତାଙ୍କ ପତ୍ନୀ ଶାନ୍ତି ବଜାର କଲୋନୀରେ ରହୁଥିଲେ। ୬ଦିନ ହେବ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ମେଡିକାଲରେ ଆଡମିଟ ଅଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଦୃର୍ବୁତ୍ତମାନେ ଘରେ କଳା କନା ବୁଲାଇଛନ୍ତି। ଘରେ ଥିବା ସମସ୍ତ ଗଡରେଜର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଦେଢ଼ ଲକ୍ଷ ଟଙ୍କାରୁ ଅଧିକା ଟଙ୍କା ଚୋରି ହୋଇଥିବା ନିଦ୍ୟାନନ୍ଦଙ୍କ ଭାଇ ଧୀର କିଶୋର ସାହୁ କହିଛନ୍ତି । ନିତ୍ୟାନନ୍ଦ ଭୁବନେଶ୍ଵର ଥିବା କାରଣରୁ ଥାନାରେ ଏତଲା ହୋଇପାରି ନାହିଁ। ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନାହିଁ। ନିକଟରେ ମନ୍ଦିର ଚୋରି ଗ୍ୟଙ୍ଗର ୪ ଜଣଙ୍କୁ ଧରି ପୁଲିସ ବାହାବା ନେଉଥିବା ବେଳେ ଦୃର୍ବୁତ୍ତମାନେ ପୁଣି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଚର୍ଚ୍ଚା ହେଉଛି।