ପୁରୀ,୧୯/୦୬: : ଶ୍ରୀମନ୍ଦିରରେ ଅନବସରର ନୀତି । ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ପୂଜା  ଅନୁଷ୍ଠିତ ହେଉଛି । ଦଇତାପତିଙ୍କ ସେବା ଯତ୍ନରେ ଆରୋଗ୍ୟ ଲାଭ  କରୁଛନ୍ତି ମହାପ୍ରଭୁ । ଏବେ ଜାରି ରହିଛି ଓଷ ଲାଗି । ଦଶମୀ  ତିଥିରେ ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ସେହିଦିନ  ବୈଦ୍ୟ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୌଷଧି ଶ୍ରୀମନ୍ଦିରରେ  ପହଞ୍ଚିବ । ଏହାକୁ ସେବନ କଲାପରେ ଠାକୁରେ ସୁସ୍ଥ ହେବେ । ଏଣୁ ଠାକୁରଙ୍କ ମହୌଷଧି ପ୍ରସ୍ତୁତିରେ ଲାଗିଛନ୍ତି ବୈଦ୍ୟ ।  

ବୈଦ୍ୟ ସେବକ ନନ୍ଦନନ୍ଦନ ମିଶ୍ର କୁହନ୍ତି, ଦିଅଁମାନେ ଜ୍ୱରରେ ପଡ଼ିଲାଠାରୁ ମହୌଷଧି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଦଶମୂଳ ମହୌଷଧି ଲଘୁ ୫ ଓ ଗୁରୁ ୫ଟି ଚେରମୂଳିରେ ପ୍ରସ୍ତୁତ  ହେଉଛି । ସ୍ନାନପୂର୍ଣ୍ଣମୀରୁ ଚାଲିଥିଲା ପ୍ରସ୍ତୁତି । ଗମ୍ଭାରୀ, ବେଲଛେଲି,  ଫଣଫଣା, ଶାଳପର୍ଣ୍ଣି, ଅଗବଥୁ, ନବାଙ୍କୁରୀ, ଗୋଖର, ଅଙ୍କରାନ୍ତି,  କୃଷ୍ଣପର୍ଣ୍ଣୀ ଓ ପାଟେଳୀ ଭଳି ୧୦ ପ୍ରକାର ଚେରମୂଳି ସଂଗ୍ରହ  କରାଯାଇଥିଲା । ଏହାକୁ ସମପରିମାଣର ମିଶ୍ରଣ କରାଯାଇ ଟାଣ  ଖରାରେ ଶୁଖାଯାଏ । ପରେ ହେମଦସ୍ତାରେ ଚିକ୍କଣ କରି କୁଟି ନୂତନ  କପଡ଼ାରେ ଭଲ ଭାବେ ଛଣାଯାଏ । ଅତ୍ୟନ୍ତ ଶୁଦ୍ଧପୁତ ଭାବେ ଏହି  ମହୌଷଧି ପ୍ରସ୍ତୁତ କରାଯାଉଛି ।  ଏହି ଗୁଣ୍ଡକୁ ଦୁଗ୍ଧ, ମହୁ, ସାକର, ଖୁଆ, ଘିଅ ଇତ୍ୟାଦିରେ ପାଗ କରାଯାଏ । 

ଏହି ମିଶ୍ରଣ ଥଣ୍ଡା ହେଲା ପରେ ଗୁଳା ଗୁଳା କରି  ମାଟି କୁଡ଼ୁଆରେ ରଖାଯାଏ । ତାଳପତ୍ର ଭୋଗେଇରେ କଦଳୀପତ୍ର ଦେଇ କର୍ପୁର ଦିଆଯାଏ । ଅଣସର ଦଶମୀରେ ଶ୍ରୀମନ୍ଦିରକୁ ବିଜେ କରନ୍ତି ଦଶମୂଳ ମହୌଷଧି । ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଜିଉମାନେ ଜ୍ୱରରେ ପୀଡ଼ିତ । ପଞ୍ଚମୀରେ ଫୁଲୁରୀ ତେଲ ଲାଗି ପରେ ନବମୀ  ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଉଛି । ଦଶମୀରେ ଠାକୁରଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଅର୍ଥାତ୍‌ ଦାରୁବ୍ରହ୍ମ ଜାଗ୍ରତ  ଅବସ୍ଥାକୁ ଫେରିବେ । ସେହିଦିନ ଦଶମୂଳ ମହୌଷଧି ଠାକୁରଙ୍କ  ଉଦ୍ଦ୍ୟେଶରେ ଶ୍ରୀମନ୍ଦିରରେ ପହଞ୍ଚିଥିବ । ଏହା ସମର୍ପଣ ହେବାପରେ  ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ।