ପୁରୀ,୧୯/୦୬: : ଶ୍ରୀମନ୍ଦିରରେ ଅନବସରର ନୀତି । ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ପୂଜା ଅନୁଷ୍ଠିତ ହେଉଛି । ଦଇତାପତିଙ୍କ ସେବା ଯତ୍ନରେ ଆରୋଗ୍ୟ ଲାଭ କରୁଛନ୍ତି ମହାପ୍ରଭୁ । ଏବେ ଜାରି ରହିଛି ଓଷ ଲାଗି । ଦଶମୀ ତିଥିରେ ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ସେହିଦିନ ବୈଦ୍ୟ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୌଷଧି ଶ୍ରୀମନ୍ଦିରରେ ପହଞ୍ଚିବ । ଏହାକୁ ସେବନ କଲାପରେ ଠାକୁରେ ସୁସ୍ଥ ହେବେ । ଏଣୁ ଠାକୁରଙ୍କ ମହୌଷଧି ପ୍ରସ୍ତୁତିରେ ଲାଗିଛନ୍ତି ବୈଦ୍ୟ ।
ବୈଦ୍ୟ ସେବକ ନନ୍ଦନନ୍ଦନ ମିଶ୍ର କୁହନ୍ତି, ଦିଅଁମାନେ ଜ୍ୱରରେ ପଡ଼ିଲାଠାରୁ ମହୌଷଧି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଦଶମୂଳ ମହୌଷଧି ଲଘୁ ୫ ଓ ଗୁରୁ ୫ଟି ଚେରମୂଳିରେ ପ୍ରସ୍ତୁତ ହେଉଛି । ସ୍ନାନପୂର୍ଣ୍ଣମୀରୁ ଚାଲିଥିଲା ପ୍ରସ୍ତୁତି । ଗମ୍ଭାରୀ, ବେଲଛେଲି, ଫଣଫଣା, ଶାଳପର୍ଣ୍ଣି, ଅଗବଥୁ, ନବାଙ୍କୁରୀ, ଗୋଖର, ଅଙ୍କରାନ୍ତି, କୃଷ୍ଣପର୍ଣ୍ଣୀ ଓ ପାଟେଳୀ ଭଳି ୧୦ ପ୍ରକାର ଚେରମୂଳି ସଂଗ୍ରହ କରାଯାଇଥିଲା । ଏହାକୁ ସମପରିମାଣର ମିଶ୍ରଣ କରାଯାଇ ଟାଣ ଖରାରେ ଶୁଖାଯାଏ । ପରେ ହେମଦସ୍ତାରେ ଚିକ୍କଣ କରି କୁଟି ନୂତନ କପଡ଼ାରେ ଭଲ ଭାବେ ଛଣାଯାଏ । ଅତ୍ୟନ୍ତ ଶୁଦ୍ଧପୁତ ଭାବେ ଏହି ମହୌଷଧି ପ୍ରସ୍ତୁତ କରାଯାଉଛି । ଏହି ଗୁଣ୍ଡକୁ ଦୁଗ୍ଧ, ମହୁ, ସାକର, ଖୁଆ, ଘିଅ ଇତ୍ୟାଦିରେ ପାଗ କରାଯାଏ ।
ଏହି ମିଶ୍ରଣ ଥଣ୍ଡା ହେଲା ପରେ ଗୁଳା ଗୁଳା କରି ମାଟି କୁଡ଼ୁଆରେ ରଖାଯାଏ । ତାଳପତ୍ର ଭୋଗେଇରେ କଦଳୀପତ୍ର ଦେଇ କର୍ପୁର ଦିଆଯାଏ । ଅଣସର ଦଶମୀରେ ଶ୍ରୀମନ୍ଦିରକୁ ବିଜେ କରନ୍ତି ଦଶମୂଳ ମହୌଷଧି । ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଜିଉମାନେ ଜ୍ୱରରେ ପୀଡ଼ିତ । ପଞ୍ଚମୀରେ ଫୁଲୁରୀ ତେଲ ଲାଗି ପରେ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଉଛି । ଦଶମୀରେ ଠାକୁରଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଅର୍ଥାତ୍ ଦାରୁବ୍ରହ୍ମ ଜାଗ୍ରତ ଅବସ୍ଥାକୁ ଫେରିବେ । ସେହିଦିନ ଦଶମୂଳ ମହୌଷଧି ଠାକୁରଙ୍କ ଉଦ୍ଦ୍ୟେଶରେ ଶ୍ରୀମନ୍ଦିରରେ ପହଞ୍ଚିଥିବ । ଏହା ସମର୍ପଣ ହେବାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ।