ଏର୍ଣ୍ଣାକୁଲମ: କେରଳର ଏର୍ଣ୍ଣାକୁଲମ ଜିଲ୍ଲାର କୋତ୍ତମଙ୍ଗଲମରେ ଟିଚର ଟ୍ରେନିଂ କୋର୍ସ (ଟିଟିସି)ରେ ପଢୁଥିବା ଜଣେ ୨୩ ବର୍ଷୀୟା ମହିଳା ସୋନା ଏଲ୍‌ଧୋସ୍‌ ରହସ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି। ତାଙ୍କର ସୁଇସାଇଡ୍ ନୋଟ୍‌ରେ ସେ ତାଙ୍କ ପ୍ରେମିକ ରମୀସ୍‌ଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୋନା ଅଭିଯୋଗ କରିଛନ୍ତି ଯେ ରମୀସ୍‌ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ବିବାହ ପୂର୍ବରୁ ଇସଲାମ ଧର୍ମ ଗ୍ରହଣ କରିବାକୁ ମଧ୍ୟ ବାଧ୍ୟ କରିଥିଲେ। 

ପୁଲିସ୍‌ ଦେଇଥିବା ସୂଚନା ଅନୁସାରେ, ସୋନା ତାଙ୍କ ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ରମୀସ୍‌ ବିବାହ ପଞ୍ଜୀକରଣର ପ୍ରତିଶ୍ରୁତି ଦେଇ ତାଙ୍କୁ ନିଜ ଘରକୁ ନେଇଥିଲେ। କିନ୍ତୁ ରମୀସ୍‌ଙ୍କ ପରିବାର ବିବାହ ପୂର୍ବରୁ ସୋନାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଇଥିଲେ। କିନ୍ତୁ ସୋନା ଏଥିରେ ରାଜି ନହେବାରୁ ରମୀସ୍ ତାଙ୍କୁ ମାରଧର କରିଥିଲେ। ଏହାପରେ ସୋନା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ରମୀସ୍‌ଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଅନୁସାରେ ଆତ୍ମହତ୍ୟା ପାଇଁ ପ୍ରରୋଚନା ଏବଂ ମିଥ୍ୟା ବିବାହ ପ୍ରତିଶ୍ରୁତି ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। 

ପୁଲିସ୍‌ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଯେଉଁଥିରେ ଧର୍ମାନ୍ତରଣ ଚାପ ସମ୍ବନ୍ଧୀୟ ଅଭିଯୋଗକୁ ମଧ୍ୟ ଯାଞ୍ଚ କରାଯାଉଛି। ଏହା ବ୍ୟତୀତ, ଗତ ଜୁନ୍‌ ମାସରେ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଜଣେ ଦଳିତ ଝିଅଙ୍କୁ କେରଳକୁ ନିଆଯାଇ ଇସଲାମ ଧର୍ମକୁ ବାଧ୍ୟତାମୂଳକ ଭାବେ ଧର୍ମାନ୍ତରଣ କରାଯିବା ସହ ଜିହାଦ ତାଲିମ ପାଇଁ ଚାପ ଦିଆଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। 

ଏହା ପୂର୍ବରୁ କେରଳର ଦୁଇଜଣ ମହିଳା ନନ୍ ଛତିଶଗଡରେ ଧର୍ମାନ୍ତିକରଣ କରୁଥିବା ବେଳେ ଧରାପଡିଥିଲେ। ଯାହାକୁ ନେଇ ଏ ପର୍ଯ୍ୟନ୍ତ ଛତିଶଗଡ କୋର୍ଟରେ ଏହି ମାମଲା ବିଚାରଧିନ ରହିଛିଯ। ଏହି ଘଟଣାଗୁଡ଼ିକ କେରଳରେ ଧାର୍ମିକ ସମ୍ପ୍ରଦାୟ ଏବଂ ସାମାଜିକ ସମସ୍ୟା ଉପରେ ଆଲୋଚନାକୁ ତୀବ୍ର କରିଛି।