ଭୁବନେଶ୍ୱର ୧୬/୦୭: ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ । ଲଘୁଚାପ ପ୍ରଭାବରେ ଆସନ୍ତା  ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା  ଲାଗି ରହିବ । ରଥଯାତ୍ରା ଅବସରରେ ପୁରୀ ସମେତ ବିଭିନ୍ନ  ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର  ଓଡ଼ିଶା-ପଶ୍ଚିମ ଉପକୂଳରେ ଆଜି  ଥିଲା । ଉତ୍ତର-ପଶ୍ଚିମରେ ଗତି  କରି ଏହା ଉତ୍ତର ଓଡ଼ିଶା-ଗାଙ୍ଗେୟ  ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ ।  ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ  ସ୍ଥାନରେ ବର୍ଷା ଜାରି ରହିଛି ।

ବୁଧବାର ରାତିରୁ ଗୁରୁବାର ସକାଳ  ଭିତରେ ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା  ଅଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ,  କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ,  କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼,  ଗଞ୍ଜାମରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ସକାଳ ଭିତରେ । ଆଉ  କେତେକ ଜିଲ୍ଲାରେ ବି ପ୍ରବଳ ବର୍ଷା  ଆଶଙ୍କା ଅଛି ।

ପାଣିପାଗ ବିଭାଗ ସତର୍କ  କରାଇଛି ଯେ ଗୁରୁବାର ରାଜ୍ୟର  ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର, ଦେବଗଡ଼, ଅନୁଗୁଳ,  କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ବର୍ଷା  ସମ୍ଭାବନା ଅଛି । ପୁରୀ, କଟକ, ଖୋର୍ଦ୍ଧା,  ବାଲେଶ୍ୱର, ଜଗତସିଂହପୁର, ଭଦ୍ରକ,  କେନ୍ଦ୍ରାପଡ଼ା, ଢେଙ୍କାନାଳ, ବରଗଡ଼, ସୋନପୁର,  ବୌଦ୍ଧ, ନୟାଗଡ଼, ଯାଜପୁରରେ ସ୍ଥାନେ  ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୭ରେ  ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ  ଦକ୍ଷିଣର ଅନେକ ଜାଗାରେ ବର୍ଷା ସମ୍ଭାବନା  ଅଛି । ସମ୍ବଲପୁର, ଅନୁଗୁଳର ଗୋଟିଏ  ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା  ହୋଇପାରେ । ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା,  ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ଢେଙ୍କାନାଳ,  କେନ୍ଦୁଝର, ମୟୂରଭଞ୍ଜ, ସୋନପୁରରେ ଗୋଟିଏ  ଦୁଇଟି ଜାଗାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।  

ଅଧିକ ପଢ଼ନ୍ତୁ :-  Rath Yatra 2026: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ର, ଭାବ ଭକ୍ତିରେ ଭିଜିବେ ଭଗବାନ ଓ ଭକ୍ତ, ସକାଳ ସାଢ଼େ ୯ରୁ ପହଣ୍ଡି, ଦିନ ୨ଟାରୁ ଛେରାପହଁରା

ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ  କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ  ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ  ଥିବା ଲଘୁଚାପ ପ୍ରଭାବରେ ୧୮ ଯାଏଁ ରାଜ୍ୟରେ  ବର୍ଷା ରହିବ । ଗୁରୁବାର ସକାଳ ଭିତରେ  ଖୋର୍ଦ୍ଧା, ଜଗତସିଂହପୁର, କଟକ, ଭଦ୍ରକ,  ଯାଜପୁର, ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ  ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ  ଗୁରୁବାରଠାରୁ  ଉତ୍ତର ଓ ପଶ୍ଚିମ ଓଡ଼ିଶାରେ  ଅଧିକ ବର୍ଷା ରହିପାରେ ।

ଡକ୍ଟର ସାହୁ କହିଛନ୍ତି,  ରଥଯାତ୍ରା ଦିନ (ଗୁଣ୍ଡିଚାରେ)  ପୁରୀ ସମେତ  ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ ।  ମାତ୍ର ଗୁଳୁଗୁଳି ପ୍ରଭାବ କମ୍‌ ରହିପାରେ । ଆଶ୍ୱସ୍ତି  ଦେଲା ଭଳି ଥଣ୍ଡା ପବନ ବହିପାରେ । ମଝିରେ  ମଝିରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ ।    ଡକ୍ଟର ସାହୁ ଆହୁରି ପୂର୍ବାନୁମାନ କରିଛନ୍ତି,  ଆସନ୍ତା ୨୩/୨୪ ତାରିଖବେଳୁ ପୁଣି ଏକ  ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ  ୨୨ରୁ ପୁଣି ବର୍ଷା ବଢ଼ିପାରେ । ବୁଧବାର ଦିନ  ଭିତରେ ଚାନ୍ଦବାଲି, ବାଲେଶ୍ୱର, କଟକ,  ଭୁବନେଶ୍ୱର, ପୁରୀ, ଅନୁଗୁଳ, ନୟାଗଡ଼,  କେନ୍ଦ୍ରାପଡ଼ା, ରାଉରକେଲା, ବଲାଙ୍ଗୀର, ଯାଜପୁର  ସମେତ ରାଜ୍ୟର ବ୍ୟାପକ ଅଞ୍ଚଳରେ ବର୍ଷା  ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ  ସ୍ଥାନରେ ବର୍ଷା ଲାଗି ରହିଥିଲା ।