ପୁରୀ,୧୬/୦୭: ଆଜି ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥାରୂଢ଼ ହେବେ ଦାରୁବ୍ରହ୍ମ । ଗତ ନୀଳାଦ୍ରି ବିଜେରେ ଭକ୍ତକୁ ପ୍ରତିଶ୍ରୁତି ଦେଇଥିଲେ କାଳିଆ ସାଆନ୍ତେ । ଆର ରଥଯାତ୍ରାକୁ ପୁଣି ଭେଟ । ସଭିଙ୍କ ପ୍ରତୀକ୍ଷା ମିଳନର ସେହି ଦିବ୍ୟ ମୁହୂର୍ତ୍ତକୁ । ଭାବ ଓ ଭକ୍ତିରେ ଭିଜିବେ ଭକ୍ତ ଓ ଭଗବାନ । ଏହି ଦିବ୍ୟ ଅନୁଭବ ପାଇଁ ପ୍ରସ୍ତୁତ ଅଗଣିତ ଭକ୍ତ, ରଥ ଓ ପଥ । ସିଂହଦ୍ୱାରେ ଅପେକ୍ଷାରତ ରଥତ୍ରୟ । ବଡ଼ଦାଣ୍ଡରେ ଉପସ୍ଥିତ ଲକ୍ଷାଧିକ ଉତ୍କଣ୍ଠିତ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ରଥ ପଥ । ଜୀବନପଥରେ ବିଜେ ହେବେ ଶ୍ରୀଜଗନ୍ନାଥ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିବ ତିନି ରଥ । ଭାଇ ଭଉଣୀଙ୍କୁ ସାଥିରେ ନେଇ ମହାବାହୁ ମହାବେଦି ଅଭିମୁଖେ ଯାତ୍ରା କରିବେ ।
ମହାପ୍ରଭୁଙ୍କ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସକ ଓ ସେବକଙ୍କ ଆଖିରୁ ନିଦ ହଜିଯାଇଛି । ଲଗାଣ ବର୍ଷା ଯୋଗୁଁ ଯାହା ମନେ ହେଉଛି ଏଥର କାଦୁଆ ଗୁଣ୍ଡିଚା (ଆଗେ ବଡ଼ଦାଣ୍ଡ ଧୂଳି ମାଟି ଥିବାରେ ବର୍ଷା ହେଲେ କୁହାଯାଏ) । ଠାକୁରଙ୍କ ନୀତିକାନ୍ତି ଠାରୁ ଭକ୍ତଙ୍କ ଦର୍ଶନ ସୁବିଧା କେଉଁଥିରେ ଉଣା ନକରିବାକୁ ଚାଲିଛି ପ୍ରସ୍ତୁତି । ଦଶ ଠାକୁରଙ୍କ ଆଗମନ ଅପେକ୍ଷାରେ ଅରୁଣ ସ୍ତମ୍ଭ ନିକଟରେ ଦଣ୍ଡାୟମାନ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ।
ଶ୍ରୀମନ୍ଦିର ପ୍ରଶାସନର ନୀତି ନୀର୍ଘଣ୍ଟ ଅନୁସାରେ ପୂର୍ବାହ୍ଣ ସାଢ଼େ ୯ଟାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ । ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରରୁ ପହଣ୍ଡି ହୋଇ ଆସି ରଥାରୂଢ଼ ହେବେ । ୨ଟାରୁ ୩ଟା ମଧ୍ୟରେ ରଥରେ ଛେରାପହଁରା ହେବ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ଭକ୍ତ ତଥା ସାଧୁସନ୍ଥଙ୍କ ଜନସମୁଦ୍ର ମଧ୍ୟରେ ହେବ ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ରଥ ଯାତ୍ରା ପାଇଁ ପ୍ରଶାସନିକ ସମୟ ଅନୁସାରେ ପ୍ରତ୍ୟୁଷ ୬ଟାରେ ମଙ୍ଗଳାଳତି, ୬ଟା ୧୦ରୁ ସାଢ଼େ ୬ରେ ମଇଲମ ଓ ତଡ଼ପ ଲାଗି, ସାଢ଼େ ୬ଟା ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ନୀତି ବଢ଼ି ବେଶ ଶେଷ ହେବ । ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ୮ଟାରୁ ୯ଟା ମଧ୍ୟରେ ସରିବ । ୯ଟାରେ ରଥ ପ୍ରତିଷ୍ଠା ହେବ । ୯ଟା ୧୫ରେ ମଙ୍ଗଳାର୍ପଣ ସରି ସାଢ଼େ ୯ଟାରେ ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ସମୟ ରହିଛି ସାଢ଼େ ୧୨ଟା । ୧ଟା ମଧ୍ୟରେ ଶ୍ରୀମଦନମୋହନ ଓ ଶ୍ରୀରାମଶ୍ରୀକୃଷ୍ଣ ରଥରେ ବିଜେ ହେବେ । ୨ଟା ସୁଦ୍ଧା ଠାକୁରଙ୍କ ଚିତାଲାଗି ହେବ । ସାଢ଼େ ୨ଟାରେ ଠାକୁରଙ୍କ ବେଶ ଶେଷ ହେବ। ୨ଟାରୁ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା । ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ରଥଟଣା ଅପରାହ୍ଣ ୪ଟାରେ ଆରମ୍ଭ ହେବ । ରଥ ଟଣା ଶେଷ ହେଲେ ରଥରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ହେବ ।