ମୁମ୍ବାଇ,୨୩/୫ : ଆଇପିଏଲ୍ ୨୦୨୬ର ୬୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରି ୧୯୭ରନର ଟାର୍ଗେଟ ଦେଇଛି । ପଞ୍ଜାବ କିଙ୍ଗ୍ସ ଲାଗି ଏହି ମ୍ୟାଚ୍ ‘କର ବା ମର’ । ପ୍ଲେଅଫରେ ପହଞ୍ଚିବାର ଆଶା ଜୀବିତ ରଖିବା ଲାଗି ପଞ୍ଜାବକୁ ଏହି ମ୍ୟାଚ୍ ଜିତିବା ବହୁ ଗୁରୁତ୍ବପୂର୍ଣ୍ଣ । ଲକ୍ଷ୍ନୌ ଲାଗି ଜୋଶ୍ ଇଂଲିଶ ୪୪ବଲରେ ୭୨ରନର ତୁଫାନୀ ପାଳି ଖେଳିଥିଲେ । ସେହିଭଳି ଆୟୁଷ ବଦୋନୀ ୧୮ବଲରେ ୪୩ରନର ଧୂଆଁଧାର ମ୍ୟାଚ୍ ଖେଳିଥିଲେ । ଶେଷରେ ଅବ୍ଦୁଲ ସମଦ ୨୦ବଲରେ ୩୭ରନ୍ କରି ନଟଆଉଟ ରହିଥିଲେ । ସେ ଲକ୍ଷ୍ନୌକୁ ୧୯୬ରନ୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଲକ୍ଷ୍ନୌ ସୁପରା ଜାଏଣ୍ଟ୍ସର ଆରମ୍ଭ ଭଲ ନ ଥିଲା । ମିଚେଲ ମାର୍ଶଙ୍କ ସ୍ଥାନରେ ଓପନିଂ କରିବାକୁ ଆସିଥିବା ମହାରାଷ୍ଟ୍ରର ବିସ୍ଫୋଟକ ବ୍ୟାଟର ଅର୍ଶିନ କୁଲକର୍ଣ୍ଣି ଖାତା ଖୋଲିପାରିନଥିଲେ । ଏହାପରେ ୩ନମ୍ବରରରେ ଆସିଥିବା ନିକୋଲସ ପୂରନ ବି କେବଳ ୨ରନ୍ କରି ପାଭିଲିୟନ ଫେରିଥିଲେ । ଆରମ୍ଭ ସମ୍ପୂର୍ଣ୍ଣ ଭାବେ ଖରାପ ଥିଲା । କିନ୍ତୁ ଆୟୁଷ ବଦୋନୀ ଏବଂ ଜୋଶ ଇଂଲିଶ ଖେଳର ମାହୋଲକୁ ବଦଳାଇଦେଇଥିଲେ । ଆୟୁଷ ବଦୋନୀ କେବଳ ୧୮ବଲରେ ୪୩ରନର ଧୂଆଁଧାର ପାଳି ଖେଳିଥିଲେ । ତାଙ୍କ ବ୍ୟାଟରୁ ୫ଚୌକା ଏବଂ ୩ଛକ୍କା ବାହାରିଥିଲା । ଅଧିନାୟକ ଋଷଭ ପନ୍ତ ୨୨ବଲରେ ୨୬ରନ କରିଥିଲେ । ସେ ୩ଚୌକା ଲଗାଇଥିଲେ । ଜୋଶ ଇଂଲିଶ ୭୨ରନର ତୁଫାନୀ ପାଳିରେ ୯ଚୌକା ଏବଂ ଦୁଇଟି ଛକା ଯୋଡ଼ିଥିଲେ ।
ଶେଷରେ ପୁଣି ଥରେ ଲକ୍ଷ୍ନୌର ପାଳି ଥମି ଯାଇଥିଲା । ଅବ୍ଦୁଲ ସମଦ ୨୦ବଲରେ ୩୭ରନର ପାଳି ଖେଳି ଟିମର ସ୍କୋର ୨୦୦ପାଖାପାଖି ପହଞ୍ଚାଇ ଦେଇଥିଲେ । ସମଦ ୩ଚୌକା ଏବଂ ୩ଛକା ମାରିଥିଲେ ।