ଲକ୍ଷ୍ନୌ,୨୧।୫: ଲକ୍ଷ୍ନୌ ରେଳଷ୍ଟେସନରେ ଯେତେବେଳେ ଛପରା-ଗୋମତୀନଗର ଏକ୍ସପ୍ରେସ୍ ପହଞ୍ଚିଲା, ସେତେବେଳେ ଟ୍ରେନ୍ ଭିତରେ ଥିବା ବାକ୍ସକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା। କାରଣ ସ୍ଲିପର୍ କୋଚ୍ ଭିତରେ ଲୁଚାଇ ରଖାଯାଇଥିବା ଏକ ବାକ୍ସରୁ ମିଳିଥିଲା ଖଣ୍ଡବିଖଣ୍ଡିତ ଜଣେ କିଶୋରୀର ମୃତଦେହ। ବ୍ୟାଗ୍ ଓ ପଲିଥିନ ଭିତରେ ହାତ-ଗୋଡ ଏବଂ ମୁଣ୍ଡ-ଗଣ୍ଡି ସବୁ ଅଲଗା ଅଲଗା ଭାବରେ ୬ ଖଣ୍ଡକରି ରଖାଯାଇଥିଲା। ଗତ ୧୭ ତାରିଖରେ ଏହି ବାକ୍ସ ମିଳିଥିଲା। ଏହି ମୃତଦେହ କାହାର ଜାଣିବା ଖୁବ୍ କଷ୍ଟକର ଥିଲା। ହେଲେ ଏବେ ଚିହ୍ନଟ ହୋଇଛି। ମାରିଥିବା ଲୋକ ସୁପାରୀ କିଲର କିମ୍ବା ଗ୍ୟାଙ୍ଗଷ୍ଟର ନୁହେଁ, ଝିଅର ବାପା। ମୃତ ଝିଅଟି ଥିଲା କୁଶିନଗରର ୧୫ ବର୍ଷୀୟା ବେବି ଶବା। ଜଣେ ହିନ୍ଦୁ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହରେ  ହତ୍ୟା କରାଯାଇଛି।

ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ବାପା ବିଗନ ଅନସାରୀ, ପିଉସୀ ନୁରଜାହାନ ଏବଂ ପିଉସା ମୋଜିବୁଲ୍ଲା ଅନସାରୀଙ୍କୁ କୁଶିନଗରରୁ ଗିରଫ କରିଛି। କରିବା ପାଇଁ ଏହି ତିନିଜଣ ଏକ ନୂଆ ଦାଆ କିଣିଥିଲେ, ଯାହାକୁ ଜବତ କରାଯାଇଛି। ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ବାପା ବିଗନ ଅନସାରୀଙ୍କୁ ସନ୍ଦେହ ଥିଲା ଯେ ତାଙ୍କ ଝିଅ ଫୋନ୍‌ରେ ଜଣେ ହିନ୍ଦୁ ପୁଅ ସହିତ କଥା ହେଉଛି। ସେ ବାରମ୍ବାର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ବୁଝାଇଥିଲେ ଏବଂ ଧମକ ବି ଦେଇଥିଲେ। କିନ୍ତୁ ଝିଅ କଥା ମାନି ନଥିବାରୁ ବଦନାମ୍ ହେବାରେ ଭୟରେ ପରିବାର ଲୋକ ଏହି ନିଷ୍ପତ୍ତି ନେଇଥିଲେ। କାରଣ ତଦନ୍ତ ବେଳେ ଜଣାପଡ଼ିଲା ଯେ ପରିବାରର ଦୁଇ ବଡ଼ ଝିଅ ପୂର୍ବରୁ ଜଣେ ହିନ୍ଦୁ ପୁରୁଷଙ୍କୁ ବିବାହ କରିସାରିଛି। ପୋଲିସ ସନ୍ଦେହ କରୁଛି ଯେ ଏହା ଅଭିଯୁକ୍ତଙ୍କ ‘ସମ୍ମାନ‘ ଏବଂ ‘ସମାଜ’ ପ୍ରତି ଭୟକୁ ଆହୁରି ବଢାଇ ଦେଇଥିଲା।

ପୋଲିସ କହିଛି, ଏହି ହତ୍ୟା ରାଗରେ ନୁହେଁ, ବଂର ସୁଚିନ୍ତିତ ଷଡଯନ୍ତ୍ର କରି କରାଯାଇଛି। ଘଟଣାର ପାଞ୍ଚ ଦିନ ପୂର୍ବରୁ ଅଭିଯୁକ୍ତ ବାପା ନିଜ ସ୍ତ୍ରୀ ଏବଂ ଦୁଇ ପୁଅଙ୍କୁ ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ। ଅର୍ଥାତ ଘରଟି ପୂର୍ବରୁ ଖାଲି ହୋଇସାରିଥିଲା। ତା'ପରେ, ମେ ୧୬ ତାରିଖରେ ଅଭିଯୁକ୍ତ ନିଜ ଭଉଣୀ ଏବଂ ଭିଣୋଇକୁ ଡାକିଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ସମସ୍ତଙ୍କ ହୃଦୟ ଥରାଇ ଦେବା ଭଳି ଘଟଣା। ଅଭିଯୋଗ ହୋଇଛି ଯେ ଏହି ତିନିଜଣ ଝିଅକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ହତ୍ୟା ପରେ, ସବୁଠାରୁ ବଡ଼ ପ୍ରଶ୍ନ ଥିଲା ମୃତଦେହକୁ କିପରି ଲୁଚାଇବେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଝିଅର ମୃତଦେହକୁ ଛଅ ଖଣ୍ଡ କରି କାଟି ଦେଇଥିଲେ। ମୁଣ୍ଡକୁ ଗାଁ ପୋଖରୀକୁ ଫୋପାଡି ଦେଇଥିଲା। ଏହାପରେ ହାତ ଏବଂ ଗୋଡକୁ ପଲିଥିନ୍ ବ୍ୟାଗରେ ପୃଥକ ଭାବରେ ପ୍ୟାକ୍ କରାଯାଇଥିଲା। ଗଣ୍ଡିକୁ ଏକ ବାକ୍ସରେ ଭର୍ତ୍ତି କରିଦେଇଥିଲା।

ବାକ୍ସଟି ଛୋଟ ଥିଲା, ସମ୍ପୂର୍ଣ୍ଣ ଶରୀର ଧରି ପାରିଲା ନାହିଁ। ତେଣୁ, ଶରୀରର ଅଂଶଗୁଡ଼ିକୁ ପୃଥକ ଭାବରେ ପ୍ୟାକ୍ କରାଯାଇଥିଲା। ଅଭିଯୁକ୍ତ ଏବଂ ସହଯୋଗୀ ତାପରେ ଇ-ରିକ୍ସା ଦ୍ୱାରା ତାମକୁହି ରୋଡ୍ ଷ୍ଟେସନକୁ ବାକ୍ସକୁ ନେଇକି ଯାଇଥିଲେ। ସେଠାରେ, ବାକ୍ସଟିକୁ ଛପରା-ଗୋମତୀନଗର ଏକ୍ସପ୍ରେସର ସ୍ଲିପର କୋଚ୍ S-1 ରେ ରଖାଯାଇଥିଲା।ପ୍ଲାନ ହୁଏତ ଏପରି ଥିଲା ଯେ ଯେତେବେଳେ ଟ୍ରେନ୍ ଲକ୍ଷ୍ନୌରେ ପହଞ୍ଚିବ, ସେତେବେଳେ ବାକ୍ସଟି ଭିଡ଼ ଭିତରେ ଉଭାନ ହୋଇଯିବ... ଏବଂ ଘଟଣାଟି ସବୁଦିନ ପାଇଁ ଲୁଚିଯିବ। କିନ୍ତୁ କାହାଣୀଟି ଏକ ଭିନ୍ନ ମୋଡ଼ ନେଇଥିଲା। ଟ୍ରେନ୍‌ରେ ଏହି ବାକ୍ସ ଦେଖାଯିବା ପରେ ସନ୍ଦେହ ସୃଷ୍ଟି କଲା। ବାକ୍ସଟି ଖୋଲାଯାଇଥିଲା ଏବଂ ଭିତରେ କ'ଣ ଥିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।