ଜଗତସିଂହପୁର ୦୬/୦୭: ଚତୁର୍ଥୀ ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ନବବଧୂ । ଏପ୍ରକାର କୌତୂହଳପୂର୍ଣ୍ଣ ଘଟଣା ଏରସମା ଥାନା ଅଞ୍ଚଳରେ ବେଶ ଚର୍ଚ୍ଚା ଖେଳାଇଛି । ବର୍ତ୍ତମାନ ଉଭୟ ମା’ ଓ ଶିଶୁପୁତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଏରସମା ଥାନାରେ ମଧ୍ୟ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି ।

ଏଡିଏମ୍ଓ(ମେଡିକାଲ୍) ଡା. ସରୋଜ ଜେନାଙ୍କ ସୂଚନା ମୁତାବକ, ବର୍ତ୍ତମାନ ଉଭୟ ମା’ ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି । ପ୍ରାରମ୍ଭିକ ଚିକିତ୍ସା ସମୟରେ ପ୍ରସୂତିଙ୍କ ଶରୀରରେ ରକ୍ତ କମ୍ ଥିବା ଜଣାପଡ଼ିଥିଲା । ଏରସମା ଥାନା ଅଞ୍ଚଳର ଏହି ନବବଧୂ ପ୍ରଥମେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ତସତ୍ତ୍ୱା ଥିବା ଏହି ଯୁବତୀଙ୍କର ବିବାହ ଏରସମା ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ହୋଇଥିଲା । ତେବେ ଚତୁର୍ଥୀ ରାତିରେ ଅନ୍ତସତ୍ତ୍ୱା ଯୁବତୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ।

ଅଧିକ ପଢ଼ନ୍ତୁ :-  Police Encounter: କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍, ଏନ୍କାଉଣ୍ଟରରେ ଅଭିଯୁକ୍ତ ମହମ୍ମଦ ନାଫିସ ଆହତ

ପ୍ରକୃତରେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନା ନବବଧୂ ନିଜ ଶ୍ୱଶୁର ଘରେ ସନ୍ତାନ ପ୍ରସବ କରିଥିଲେ ସେ ସମ୍ବନ୍ଧରେ ପୁଲିସ ବା ଡାକ୍ତରଖାନା କର୍ତ୍ତୃପକ୍ଷ ଅଦ୍ୟାବଧି ମୁହଁ ଖୋଲିନାହାନ୍ତି । ଅନ୍ୟପଟେ ଏକପ୍ରକାର ପ୍ରତାରିତ ହୋଇଥିବା ବର ଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇନାହିଁ । ବରଂ ନବବଧୂଙ୍କ ବାପା ଉକ୍ତ ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହେବା ଚର୍ଚ୍ଚାକୁ ଆସିଛି ।