ଲକ୍ଷ୍ନୌ, ୬।୩: ଜଣେ ରେଳ କର୍ମଚାରୀଙ୍କୁ ନିଜ ଅସୁସ୍ଥତାର ପ୍ରମାଣ ଦେବାକୁ ପଡ଼ିଛି । ପାଇଲ୍ସ ଅପରେସନ ପରେ ବି ଛୁଟି ନମିଳିବାରୁ ସେ ନିଜ ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ପ୍ୟାଣ୍ଟ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ଲକ୍ଷ୍ନୌରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗୁଛି । ଆସନ୍ତୁ ଜାଣିବା କ’ଣ ଥିଲା ପୁରା ଘଟଣା । ଲକ୍ଷ୍ନୌ ରେଳ ମଣ୍ଡଳର ଲୋକୋ ପାଇଲଟ୍ ଭାବେ ନିଯୁକ୍ତ ଅଛନ୍ତି ରାଜେଶ ମୀନା । ଗତ ୨୨ ଫେବୃଆରୀ ୨୦୨୬ରେ ସେ ପାଇଲ୍ସର ଅପରେସନ କରାଇଥିଲେ । ତାଙ୍କୁ କିଛି ଦିନ ଧରି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ପ୍ରଥମେ ତାଙ୍କୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ଛୁଟି ମିଳିଥିଲା, କିନ୍ତୁ ଅପରେସନର କ୍ଷତ ଶୁଖି ନଥିବାରୁ ସେ ଚାଲିବା କିମ୍ବା ଟ୍ରେନ୍ ଚଲାଇବା ଅବସ୍ଥାରେ ନଥିଲେ ।

ଏହା ବି ପଢ଼ନ୍ତୁ... ​​​​​​​ବଡ଼ ଧରଣର ପ୍ରଶାସନିକ ପରିବର୍ତ୍ତନ: ବଦଳିଲେ ଦିଲ୍ଲୀ ଉପରାଜ୍ୟପାଳଙ୍କ ସମେତ ୯ ରାଜ୍ୟର ରାଜ୍ୟପାଳ

ଯେତେବେଳେ ରାଜେଶ ନିଜର ଛୁଟି ବଢ଼ାଇବା ପାଇଁ ରେଳବାଇର ଚିଫ୍ କ୍ରୁ କଣ୍ଟ୍ରୋଲର ରତନ କୁମାରଙ୍କ ପାଖକୁ ଗଲେ, ସେଠାରେ ତାଙ୍କୁ ଅପମାନିତ ହେବାକୁ ପଡ଼ିଥିଲା । ରାଜେଶ ନିଜର ସମସ୍ତ ମେଡିକାଲ ରିପୋର୍ଟ ସହ ଡ୍ରେସିଂ ହୋଇଥିବାର କହିଥିଲେ । ତଥାପି ଅଧିକାରୀ ଜଣକ ତାଙ୍କୁ ଛୁଟି ଦେବାକୁ ମନା କରିଦେଇଥିଲେ । ଅଭିଯୋଗ ହୋଇଛି ଯେ, ଅଧିକାରୀ ଜଣକ ତାଙ୍କ ଅସୁସ୍ଥତାକୁ ନେଇ ପରିହାସ କରିବା ସହ ପ୍ରମାଣ ଦେଖାଅ ବୋଲି ଜିଦ୍ ଧରିଥିଲେ । ବାରମ୍ବାର ନେହୁରା ହେବା ପରେ ବି ଯେତେବେଳେ ଅଧିକାରୀ ଶୁଣିଲେ ନାହିଁ, ଶେଷରେ ରାଜେଶ ନିଜର ଧୈର୍ଯ୍ୟ ହରାଇ ବସିଥିଲେ । ଅଧିକାରୀଙ୍କ ଅଫିସ ଭିତରେ ହିଁ ସେ ନିଜ ପ୍ୟାଣ୍ଟ ଖୋଲି ଅପରେସନ ହୋଇଥିବା ଜାଗା ଓ ରକ୍ତ ଜୁଡ଼ୁବୁଡ଼ୁ ଘା’କୁ ଦେଖାଇ ଦେଇଥିଲେ । ଏହି ଦୃଶ୍ୟ ଦେଖି ଅଫିସରେ ଉପସ୍ଥିତ ଥିବା ଅନ୍ୟ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ଏହି ଘଟଣାର ଭିଡିଓ ରେଳ କର୍ମଚାରୀଙ୍କ ଗ୍ରୁପ୍‌ରେ ଭାଇରାଲ ହେବା ପରେ ଅଲ୍ ଇଣ୍ଡିଆ ଲୋକୋ ରନିଂ ଷ୍ଟାଫ୍ ଆସୋସିଏସନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ୟୁନିୟନ ନେତାଙ୍କ ହସ୍ତକ୍ଷେପ ପରେ ଶେଷରେ ରାଜେଶଙ୍କୁ ଛୁଟି ମିଳିଛି, କିନ୍ତୁ କର୍ମଚାରୀଙ୍କ ମଧ୍ୟରେ ଏବେ ଅସନ୍ତୋଷର ନିଆଁ ଜଳୁଛି । "ଜଣେ କର୍ମଚାରୀଙ୍କୁ ନିଜର ରୋଗ ପ୍ରମାଣ କରିବା ପାଇଁ ଏତେ ନିମ୍ନ ସ୍ତରକୁ ଯିବାକୁ ପଡ଼ିବା ଅତ୍ୟନ୍ତ ଲଜ୍ଜାଜନକ" ବୋଲି କହିଛି ଏଆଇଏଲଆରଏସଏ । ଏହି ଘଟଣା ପରେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଏଠି ମାନବିକତା କୁଆଡ଼େ ଗଲା ? ଏହି ଘଟଣା ଭାରତୀୟ ରେଳବାଇର କର୍ମଚାରୀ ପ୍ରଶାସନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାମର ଚାପ ଏତେ ଯେ ଜଣେ ବ୍ୟକ୍ତିର ସର୍ଜରୀକୁ ମଧ୍ୟ ବିଶ୍ୱାସ କରାଯାଉନାହିଁ । ଏଥିପାଇଁ ତାକୁ ଶେଷରେ ଉଲଗ୍ନ ହୋଇ ପ୍ରମାଣ ଦେବାକୁ ପଡ଼ୁଛି ।