ଭୁବନେଶ୍ୱର ୨୨/୦୯୦: ଆଜିଠୁ ନବରାତ୍ରୀ ପୂଜା ଉତ୍ସବ। ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ନବରାତ୍ରୀ ପାଳନ ପୂର୍ବରୁ ଘଟ  ସ୍ଥାପନର ବିଶେଷ ମହତ୍ତ୍ୱ ରହିଛି । ଘଟ ସ୍ଥାପନର ମୁହୂର୍ତ୍ତ: ଏଥର ଘଟ ସ୍ଥାପନର ଶୁଭ ମୁହୂର୍ତ୍ତ ସକାଳ ୬ଟା ୦୯ମିନିଟ୍‌ରୁ ଆରମ୍ଭ  ହୋଇ ୮ଟା ୦୬ ମିନିଟ୍‌ ଯାଏ ରହିଛି । ପୁନଶ୍ଚ ଘଟ ସ୍ଥାପନର ଅଭିଜିତ୍‌ ମୁହୂର୍ତ୍ତ ହେଉଛି ଦ୍ୱିପ୍ରହର ୧୧ଟା ୪୯ମିନିଟ୍‌ରୁ ୧୨ଟା ୩୮ମିନିଟ୍‌ ।

କୃପା ପ୍ରାପ୍ତିର ଅବସର

ହିନ୍ଦୁ ଧର୍ମରେ ବିଶ୍ୱାସ  କରାଯାଏଯେ ନବରାତ୍ରୀ ଅବସରରେ ମା’ଦୁର୍ଗା ସ୍ୱୟଂ  ଧରାବତରଣ କରିଥାନ୍ତି । ଏହି ସମୟରେ ଦେବୀଙ୍କୁ  ନିଷ୍ଠା ଓ ଭକ୍ତି ସହ ପୂଜାର୍ଚ୍ଚନା କଲେ ତାଙ୍କର କୃପା  ସହଜରେ ପ୍ରାପ୍ତ ହୋଇଥାଏ । ମା’ଙ୍କ କୃପାରୁ ସାଧକ ଜୀବନରୁ ସମସ୍ତପ୍ରକାରର କଷ୍ଟ ଦୂର ହୋଇଯାଏ ।

ମା’ଙ୍କ ବାହନରୁ ଶୁଭବାର୍ତ୍ତା  

ନବରାତ୍ରୀ ଅବସରରେ ମା’ ଯେଉଁ ବାହନ  ଯୋଗେ ପୃଥିବୀ ପୃଷ୍ଠକୁ ଆଗମନ କରିଥାନ୍ତି ତାହାର ବିଶେଷତ୍ୱ ରହିଛି । ଏଥର ମା’ ହାତୀ ଉପରେ ବସି ଧରାପୃଷ୍ଠକୁ ଆସିବେ ବୋଲି ଜ୍ୟୋତିଷ ଶାସ୍ତ୍ରୀମାନେ ଜଣାଇଛନ୍ତି । ହାତୀ ଉପରେ ବସି ଆସୁଥିବାରୁ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ହେବ । ହାତୀ  ବାହନରେ ଦେବୀଙ୍କ ଆଗମନ ମଧ୍ୟ ଏହା ସୂଚନା  ଦିଏଯେ ଆଗାମୀ ଦିନଗୁଡ଼ିକ ଦେଶ ପାଇଁ ଶୁଭଦାୟକ ହେବ  । ଦେଶର ନାଗରିକଙ୍କର ସୁଖ-ସମୃଦ୍ଧି ବଢ଼ିବ ।

କେମିତି ଜଣାଯାଏ ଦେବୀଙ୍କ ବାହନ  

‘ଦେବୀ ଭାଗବତ’ ଅନୁଯାୟୀ  ନବରାତ୍ରୀ ଯେଉଁ ବାରରୁ ଆରମ୍ଭ  ହୁଏ ସେହି ଅନୁସାରେ ଦେବୀ କେଉଁ  ବାହନରେ ଆସିବେ ଜଣାଯାଏ ।  ଏଥର ସୋମବାରଠାରୁ ନବରାତ୍ରୀ ଆରମ୍ଭ  ହେଉଛି। ଏଣୁ ଦେବୀଙ୍କ ବାହନ ହାତୀ ନବରାତ୍ରୀର ପ୍ରଥମ ଦିନ  ରବିବାର ପଡ଼ିଲେ ତାହା ମଧ୍ୟ ଦେବୀ  ହାତୀ ବାହନରେ ଆସୁଥିବାର ସୂଚନା ଦିଏ । ନବରାତ୍ରୀ ମଙ୍ଗଳବାର କିମ୍ବା ଶନିବାର ଆରମ୍ଭ ହେଉଥିଲେ ଦେବୀଙ୍କ ବାହନ ଘୋଡ଼ା ବା ଅଶ୍ୱ । ଗୁରୁବାର କିମ୍ବା ଶୁକ୍ରବାର ନବରାତ୍ରୀର ପ୍ରଥମ ଦିନ ପଡ଼ିଲେ ଦେବୀ ଦୋଳାରେ ବସି ଆସିଥାନ୍ତି । ଅନ୍ୟପକ୍ଷରେ ନବରାତ୍ରୀ ବୁଧବାରୁ ଆରମ୍ଭ ହେଉଥିଲେ, ଦୁର୍ଗତିନାଶିନୀ ମା'  ଦୁର୍ଗା ନୌକାରେ ବସି ଧରାଧାମକୁ ଆସିବେ ବୋଲି ପୂର୍ବ ସୂଚନା ମିଳେ ।