ନୂଆଦିଲ୍ଲୀ,୦୮/୦୬: ଭାରତର ଭୂସ୍ୱର୍ଗ ଜମ୍ମୁ କଶ୍ମୀରରେ ସଦ୍ୟ ଉଦଘାଟିତ ଚେନାବ ବ୍ରିଜ ବିକାଶକୁ ଆଉ ପାଦେ ଆଗକୁ ନେଇଛି । ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜକୁ ଗତ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟିତ କରିଥିଲେ । ଏହି ପ୍ରୋଜେକ୍ଟ ୨୭୨ କିମିର ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳବାଇ ଲିଙ୍କର ଅଂଶ ଯାହାକୁ ୨୦୦୩ରେ ଗ୍ରୀନ ସିଗନାଲ ମିଳିଥିଲା । ସଫଳତାପୂର୍ବକ ଏହି ପୋଲ ନିର୍ମାଣରେ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରଫେସର ଜି ମାଧବୀ ଲତା ଅନ୍ୟତମ । ସେ ଏହି ବ୍ରିଜ ନିର୍ମାଣରେ ଜୀବନର ୧୭ ବର୍ଷ ଦେଇଛନ୍ତି । ଚେନାବ ରେଳ ବ୍ରିଜର ବିନ୍ଧାଣୀ ମାଧବୀଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ।

ପିଲାଦିନ ସ୍ୱପ୍ନ, ଦିଗ ଦେଲା ରିସର୍ଚ- ମାଧବୀ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ପ୍ରଫେସର । ଜଣେ ଭୂବୈଷୟିକ ପରାମର୍ଶଦାତା ଭାବେ ଦୀର୍ଘ ୧୭ ବର୍ଷ ଧରି ସେ ଚେନାବ ବ୍ରିଜ ପ୍ରୋଜେକ୍ଟରେ ଯୋଡ଼ି ହୋଇଥିଲେ । ପୋଲର କ୍ରଣ୍ଟ୍ରାକ୍ଟର ଆଫ୍‌କନ୍‌ସ ସହିତ ଯୋଜନାର ନିର୍ମାଣ, ଏବଂ ଢାଞ୍ଚାର ଡିଜାଇନ୍‌ ଓ ନିର୍ମାଣରେ ମାଧବୀ ଲତା କାମ କରିଥିଲେ । ଚଟାଣ ଦ୍ୱାରା ସୃଷ୍ଟ ବାଧାବିଘ୍ନ ଉପରେ ତାଙ୍କର ଖାସ୍‌ ଫୋକସ୍‌ ଥିଲା । ମାଧବୀ ଲତା ୧୯୯୨ରେ ଜୱାହରଲାଲ ନେହରୁ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରୁ ସିଭିଲ ଇଞ୍ଜିନିୟରିଂରେ ସ୍ୱତନ୍ତ୍ରତା ସହିତ ପ୍ରଥମ ଶ୍ରେଣୀରେ ବି.ଟେକ୍‌ ଡିଗ୍ରୀ ହାସଲ କରିଥିଲେ । ୱାରଙ୍ଗଲ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଏମ୍‌.ଟେକ୍‌ ଛାତ୍ରୀ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କର ଅଧ୍ୟୟନ ବିଷୟ ଥିଲା ଜିଓଟେକ୍ନିକାଲ (ଭୂବୈଷୟିକ) ଇଞ୍ଜିନିୟରିଂ । 

୨୦୦୦ ମସିହାରେ ସେ ଜିଓଟେକ୍ନିକାଲ ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସରୁ ଡକ୍ଟରେଟ୍‌ ଡିଗ୍ରୀ ଶେଷ କରିଥିଲେ । ଏହା ପରେ ସେ ଅନେକ ସମ୍ମାନ ହାସଲ କଲେ । ୨୦୨୧ରେ ଭାରତୀୟ ଜିଓଟେକ୍ନିକାଲ ସୋସାଇଟି ଦ୍ୱାରା ତାଙ୍କୁ ଶ୍ରେଷ୍ଠ ମହିଳା ଜିଓଟେକ୍ନିକାଲ ରିସର୍ଚ୍ଚର୍‌ ସମ୍ମାନ ପ୍ରଦାନ କରାଗଲା । ୨୦୨୨ରେ ଭାରତର ଷ୍ଟିମ୍‌ରେ ଶୀର୍ଷ ୭୫ ମହିଳାଙ୍କ ମଧ୍ୟରେ ତାଙ୍କ ନାଁ ମଧ୍ୟ ସ୍ଥାନ ପାଇଥିଲା । ଚେନାବ ପୋଲ ନିର୍ମାଣରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଆହ୍ୱାନଭରା ଟପୋଗ୍ରାଫି, ପାଣିପାଗ ସ୍ଥିତି ଏବଂ ସୁଦୂର ସ୍ଥାନ ଯୋଗୁ ଉକ୍ତ କ୍ଷେତ୍ରରେ ପୋଲ ନିର୍ମାଣ ଏକ କଷ୍ଟକର ପ୍ରୟାସ ଥିଲା । ମାଧବୀ ଲତାଙ୍କ ଟିମ୍‌ ସବୁ ବାଧାବିଘ୍ନକୁ ଏଡ଼ାଇବା ପାଇଁ ‘ଡିଜାଇନ୍‌- ଆଜ୍‌-ୟୁ-ଗୋ ଆପ୍ରୋଚ୍‌’କୁ ଆପଣେଇଥିଲେ । ଚେନାବ ସେତୁ ନିର୍ମାଣରେ ଜୀବନର ୧୭ ବର୍ଷ ଦେଇଥିବାରୁ ମାଧବୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ।